ଭୁବନେଶ୍ବର: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖଦ ଖବରରେ ସେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି । ସେ ଜଣେ ଜନପ୍ରିୟ ନେତା ଭାବରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ବାଚସ୍ପତି ଭାବେ ଉଚ୍ଚ ସଂସଦୀୟ ପରମ୍ପରା ବଜାୟ ରଖିବା ସହିତ ସବୁ ଦଳର ବିଧାୟକ ମାନଙ୍କ ସମ୍ମାନର ଅଧିକାରୀ ହୋଇପାରିଥିଲେ । ମନ୍ତ୍ରୀ ତଥା ବିଧାୟକ ଭାବରେ ଓଡିଶାର ବିକାଶ ପାଇଁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ମଧ୍ୟ ସେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପଶ୍ଚିମ ଓଡିଶାରେ ବିଜୁ ଜନତା ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ଦୃଢ଼ ନେତୃତ୍ବ ଦେଇଥିଲେ । ସେବା ଓ ପ୍ରତିବଦ୍ଧତା ତାଙ୍କ ବ୍ୟକ୍ତିତ୍ବର ଅନନ୍ୟ ଦିଗ ଥିଲା ।

Advertisment

ସୂଚନାଯୋଗ୍ୟ, ହୃଦଘାତ କାରଣରୁ ଆଜି ସନ୍ଧ୍ୟାରେ କିଶୋର ମହାନ୍ତିଙ୍କରର ମୃତ୍ୟୁ ହୋଇଛି। ହୃଦଘାତ ପରେ ତାଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡାର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। କିଶୋର ମହାନ୍ତି ଆଜି ସକାଳୁ ନିଜ ନିର୍ବାଚନ ମଣ୍ଡଳିରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ‌ ଦେଇଥିଲେ। ସନ୍ଧ୍ୟାରେ ତାଙ୍କର ହୃଦ୍‌ଘାତ ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବିଧାୟକ ଶ୍ରୀ ମହାନ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, କିଶୋର ମହାନ୍ତି ଥିଲେ ପଶ୍ଚିମ ଓଡ଼ିଶାରେ ଜଣେ ଟାଣୁଆ ଓ ଅଭିଜ୍ଞ ରାଜନୀତିଜ୍ଞ। ସେ ଝାରସୁଗୁଡ଼ାରୁ ୩  ଥର ବିଧାୟକ ହୋଇଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ଟିକେଟରେ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳିରୁ ଲଢ଼ିଥିଲେ। ଏଥି ସହିତ କିଶୋର ମହାନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି (୨୦୦୮ ଅଗଷ୍ଟ ୧୯ରୁ ୨୦୦୯ ମେ’ ୨୫) ମଧ୍ୟ ହୋଇଥିଲେ। ସେହିପରି ସ୍ବର୍ଗତଃ କିଶୋର ମହାନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସିର)ର ଅଧ୍ୟକ୍ଷ (୨୦୧୪ ଜୁନ୍‌ ୧୯ରୁ ୨୦୧୯ ଜୁନ୍‌ ୧୮) ଦାୟିତ୍ବ ମଧ୍ୟ ତୁଲାଇଥିଲେ।