ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଗୋପାଳପୁରର ମାଣ୍ଡିଆପଲ୍ଲୀରେ ମଙ୍ଗଳବାର ରାତିରେ ସ୍କୋର୍ପିଓ ଧକ୍କାରେ ତିନି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥି ସହ ସେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Advertisment

ସୂଚନାଯୋଗ୍ୟ, ମାଣ୍ଡିଆପଲ୍ଲୀ ଗାଁରେ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ତେଲୁଗୁ ବାହାଘର ରୀତି ଅନୁସାରେ କନ୍ୟାଯାତ୍ରୀଙ୍କ ବାଟବରଣ ବେଳେ ଏହି ଦୁର୍ଘଟଣା ଘଟିଛି। କନ୍ୟାଯତ୍ରୀଙ୍କୁ ବାଟବରଣ କରିବା ପାଇଁ ଲୋକ ରୁଣ୍ଡ ହୋଇଥିବା ବେଳେ ଏକ ସ୍କର୍ପିଓ ଆସି ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ସ୍ପର୍ପିଓ ଚଢ଼ିଯିବା ପରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ମୃତକମାନେ ହେଲେ ଲାଞ୍ଜିପଲ୍ଲୀ ଅଞ୍ଚଳର ସ୍ୱପ୍ନା ରେଡ଼ି(୨୨), ସଞ୍ଜୁ ରେଡ଼ି(୨୩) ,ଭାରତୀ ରେଡ଼ି(ବୟସ ୧୨)। ସମସ୍ତ ଆହତମାନଙ୍କୁ ଏବେ ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବା ଜଣାପଡ଼ିଛି । ସମସ୍ତ ମୃତକ ଲାଞ୍ଜିପଲ୍ଲୀ ଅଞ୍ଚଳର ବାସିନ୍ଦା ବୋଲି ସୂଚନା ରହିଛି।