ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ତିତ୍ଲି’ ପ୍ରଭାବରେ ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ପ୍ରାଥମିକ ପର୍ଯ୍ୟାୟରେ ଏହି ୩ଟି ଜିଲ୍ଲାପାଇଁ ୧୦୨ କୋଟି ଟଙ୍କାର ପ୍ରାଥମିକ ରିଲିଫ ଘୋଷଣା କରାଯାଇଛି। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ରିଲିଫ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ବାତ୍ୟା ‘ତିତ୍ଲି’ ପରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଓ ଆସ୍କା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଆସ୍କା ବ୍ଲକରେ କେବଳ ପ୍ରାୟ ୫୦,୦୦୦ ଲୋକ ପ୍ରଭାବିତ ହୋଇଥିଲେ। ଆସ୍କାରୁ ବ୍ରହ୍ମପୁର ୨ ଦିନ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଥିଲା। ମେଡିକାଲ ସମ୍ମୁଖରେ ୫ ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ଉପଖଣ୍ଡ ଜେଲରେ ରୋଷେଇ ହୋଇ ନପାରିବାରୁ ବ୍ରହ୍ମପୁର ମଣ୍ଡଳ ଜେଲରୁ ରନ୍ଧା ଖାଦ୍ୟ ଅଣାଯାଇ କଏଦୀମାନଙ୍କୁ ଦିଆଯାଇଥିଲା। ଭଞ୍ଜନଗରରେ ୬ ଜଣ ଲୋକ ପାଣିରେ ଭାସି ଯାଇଥିଲେ।
ରାୟଗଡ଼ା ଜିଲ୍ଲାର ଗୁଣପୁର ବ୍ଲକରେ ସମଦଶା ଦେଖିବାକୁ ମିଳିଥିଲା। ଲଗାଣ ବର୍ଷା ହେବା ଫଳରେ ୨ ଦିନ ପର୍ଯ୍ୟନ୍ତ ବିଦ୍ୟୁତ ବିଚ୍ଛିନ୍ନ ହୋଇଯାଇଥିଲା। ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଦିଆଯାଉଥିଲା। ଏପରିକି ସାଧାରଣ ଲୋକଙ୍କୁ ପାଣି କିଣିବାକୁ ପଡୁଥିଲା।