ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ପ୍ରତି ମାସ ୭ ତାରିଖ ପୂର୍ବରୁ ବିଭାଗୀୟ ରିପୋର୍ଟ ଦେବେ ମନ୍ତ୍ରୀ

ଭୁବନେଶ୍ୱର: ପ୍ରତି ମାସ ୭ ତାରିଖ ପୂର୍ବରୁ ମନ୍ତ୍ରୀମାନେ ଦଳୀୟ ଇସ୍ତାହାରରେ ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବରେ କାର୍ଯ୍ୟକାରୀ କରିବା ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି, ସେ ସଂପର୍କରେ ତାଙ୍କୁ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଜୁଲାଇ ୭ ତାରିଖ ମଧ୍ୟରେ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କର ପ୍ରଥମ ରିପୋର୍ଟ ପ୍ରଦାନ କରିବେ।

ସୂଚନାଯୋଗ୍ୟ ଯେ, ମେ’ ମାସ ୨୯ ତାରିଖ ଦିନ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରିମଣ୍ଡଳର ବୈଠକ ବସି ନିର୍ବାଚନ ସମୟରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ତଥା ଦଳୀୟ ଇସ୍ତାହାରର ପ୍ରସ୍ତାବ ଗୁଡ଼କୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରିଥିଲେ। ସେତେବେଳେ ମନ୍ତ୍ରୀ ପରିଷଦର ସଦସ୍ୟ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିଠାରୁ ଠିକ୍‌ ୩୬୫ ଦିନ ପରି ୨୦୨୦ ମେ’ ମାସ ୨୯ ତାରିଖ ଦିନ ଆମେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଓ ଏହାର ରୂପାୟନ ସଂପର୍କରେ ଜଣାଇବୁ।

ମୁଁ ଚାହେଁ ଆମ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଏହି ପ୍ରତିଶ୍ରୁତି ଗୁଡ଼ିକର ସଫଳ ରୂପାୟନ ପାଇଁ ନିଜର ଶ୍ରେଷ୍ଠ ଉଦ୍ୟମ କରନ୍ତୁ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶାସନର ତିନୋଟି ମନ୍ତ୍ରୀ ଟିମ୍‌ ଓ୍ଵାର୍କ, ଟ୍ରାନ୍ସଫରେନ୍‌ସି ଓ ଟେକ୍ନୋଲୋଜୀ ସହିତ ଟ୍ରାନସ୍‌ଫରମେସନ ନିମନ୍ତେ ପଂଚମ ପରିମାପକ (ଟାଇମ୍‌) ସମୟକୁ ଅନ୍ତର୍ଭୁକ୍ତ କରିଥିଲେ ଏବଂ ଏକ ଗତିଶୀଳ ପ୍ରଶାସନିକ ମଡେଲ ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ଗରିବୀ ଦୂର କରିବା, ମହିଳା ମାନଙ୍କର ବିକାଶ ଏବଂ ଅଭିବୃଦ୍ଧିରେ ସମାନ ଭାଗିଦାରୀ, ଦୁର୍ବଳ ଶ୍ରେଣୀର ଲୋକଙ୍କ ବିକାଶ ଏବଂ ଯୁବକ ମାନଙ୍କ ସ୍ୱପ୍ନର ସଫଳ ରୂପାୟନ ଜରିଆରେ ଏକ ସଶକ୍ତ ଓଡ଼ିଶା ଗଠନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଏହି ସବୁ ଦିଗ ଉପରେ ଗୁରୁତ୍ୱ ଆରୋପ କରି ମନ୍ତ୍ରୀମାନେ ସେମାନଙ୍କର ବିଭାଗର ପ୍ରାଥମିକତା କ୍ଷେତ୍ର ଉପରେ ତ୍ୱରିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର