ଭୁବନେଶ୍ୱର: ରାଜ୍ୟର ସର୍ବପ୍ରଥମ ଏଭେରେଷ୍ଟ୍ ଆରୋହୀ କଳ୍ପନା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ଜଣାଇଛନ୍ତି। ଏଥି ସହିତ ସେ କଳ୍ପନାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, କଳ୍ପନାଙ୍କ ସଫଳତା ମହିଳା ପର୍ବତାରୋହଣକାରୀଙ୍କୁ ପ୍ରେରଣା ଯୋଗାଇବ।
ସୂଚନାଯୋଗ୍ୟ କଳ୍ପନା ଦାସଙ୍କ ଗୁରୁବାର ଦେହାନ୍ତ ହୋଇଥିଲା। କଳ୍ପନା ନିଜର ଶେଷ ନିଶ୍ୱାସକୁ ଏଭେରେଷ୍ଟ ଶିଖରରେ ହିଁ ତ୍ୟାଗ କରିଥିଲେ। ଦ୍ଵିତୀୟ ଥର ପାଇଁ ଏଭେରେଷ୍ଟ୍ ଆରୋହଣ କରିବାର କିଛି ଘଣ୍ଟା ପରେ ହିଁ ଏଭଳି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ନେପାଳ ପର୍ଯ୍ୟଟନ ବିଭାଗର ନିର୍ଦେଶକ ମୀରା ଆଚାର୍ଯ୍ୟ ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ହିମାଲୟନ୍ ୱେବ୍ସାଇଟ୍କୁ ଦେଇଥିବା ସାକ୍ଷାତକାରରେ ମୀରା ଏହି ଖବର ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ କଳ୍ପନା ସହିତ ଥିବା ଜଣେ ସେର୍ପା ମଧ୍ୟ କଳ୍ପନାଙ୍କ ପରିବାରକୁ ହ୍ଵାଟସଆପ୍ ମାଧ୍ୟମରେ ମୁତ୍ୟୁ ଘଟିଥିବା ଖବର ଜଣାଇଛନ୍ତି। ଏହି ଖବର ଓଡ଼ିଶା ଦୁଃସାହସିକ କ୍ରୀଡ଼ା ଦୁନିଆକୁ ଶୋକରେ ବୁଡ଼ାଇ ଦେଇଛି।
ନେପାଳରୁ କଳ୍ପନା ଦାସଙ୍କ ମରଶରୀର ଓଡ଼ିଶାକୁ ଅଣାଯିବ। ଏ ନେଇ ନେପାଳରେ ଭାରତୀୟ ଦୂତାବାସକୁ ଚିଠି ରାଜ୍ୟ କ୍ରୀଡ଼ା ସଚିବ ଚିଠି ଲେଖିଛନ୍ତି। ଚିଠିରେ ସଚିବ ଉଲ୍ଲେଖ କରିଛନ୍ତି ଯେ, କଳ୍ପନାଙ୍କ ମରଶରୀର ଆଣିବା ପାଇଁ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।
ନିଜର ତୃତୀୟ ପ୍ରୟାସରେ ୨୦୦୮ ମସିହାରେ କଳ୍ପନା ଏଭେରେଷ୍ଟ୍ ଆରୋହଣ କରି ଓଡ଼ିଶା କ୍ରୀଡ଼ାରେ ନୂଆ ଇତିହାସ ରଚିଥିଲେ। ୨୦୦୪ ଏବଂ ୨୦୦୬ରେ ଖରାପ ପାଣିପାଗ କାରଣରୁ ଅଧାରୁ ଫେରିଥିବା ଏହି ଢେଙ୍କାନାଳ ଝିଅ କିନ୍ତୁ ନିଜ ଅଦମ୍ୟ ସାହାସ ଦେଖାଇ ୨୦୦୮ ମସିହାରେ ଓଡ଼ିଶା କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ିଥିଲେ। ଏଥର କିନ୍ତୁ ପ୍ରଥମ ଭାରତୀୟ ଭାବେ ଏଭେରେଷ୍ଟ୍ ଶିଖର ପହଞ୍ଚି ନୂଆ କୀର୍ତିମାନ କରି ନେଇଥିଲେ। ଏହି ଖବର ପ୍ରସାରିତ ହେବା ପୂର୍ବରୁ କିନ୍ତୁ ଶିଖରରୁ ଫେରିବା ବାଟରେ ଅସୁସ୍ଥ ହୋଇ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବାଲାକୋନି ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନ ୧୨.୪୫ ମିନିଟରେ ତାଙ୍କ ଦେହାନ୍ତ ହୋଇଥିଲା।
ନେପାଳର ଡ୍ରିମର୍ସ ଡେଷ୍ଟିନେସନ୍ ଟ୍ରେକ୍ସ ପକ୍ଷରୁ ଗଠିତ ୩ ଜଣିଆ ମହିଳା ଏଭେରେଷ୍ଟ୍ ଅଭିଯାନରେ କଳ୍ପନା ଏଥର ସାମିଲ ହୋଇଥିଲେ। ଅନ୍ୟ ଦୁଇ ଜଣ ଥିଲେ ନେପାଳର ମାୟା ତମାଙ୍ଗ ଏବଂ ଚୀନର ଲିୟାମୁ ମା। ୧୮ ଥର ଏଭେରେଷ୍ଟ୍ ଆରୋହଣ କରିଥିବା ତଥା ୬ ଥର ଗିନିଜ୍ କୀର୍ତିମାନଧାରୀ ସେର୍ପା ପେମ୍ବା ଦୋର୍ଜି ଏବଂ ବିଶ୍ୱ କୀର୍ତିମାନଧାରୀ ମହିଳା ସେର୍ପା ପୂର୍ବା ଏହି ଅଭିଯାନର ନେତୃତ୍ୱ ନେଇଥିଲେ। ଢେଙ୍କାନାଳ ଝିଅ କଳ୍ପନା ପୂର୍ବରୁ ଏଭେରେଷ୍ଟ୍ ବିଜୟ ସହିତ ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଆମେରିକା ଏବଂ ଅଷ୍ଟ୍ରେଲିଆର କିଛି ପର୍ବତାରୋହଣ କରିବାର ଗୌରବ ଆଣିଥିଲେ। କଳ୍ପନା ବାଟ ଦେଖାଇବା ପରେ ଓଡ଼ିଶାରୁ ଗଣେଶ ଚନ୍ଦ୍ର ଜେନା, ଦେବୀଦତ୍ତ ପଣ୍ଡା, ଯୋଗାବ୍ୟାସ ଭୋଇ, ପ୍ରଦୀପ ସାହୁ, ଚେତନା ସାହୁ, ସ୍ୱର୍ଣ୍ଣଲତା ଦଳାଇ ମଧ୍ୟ ଏଭେରେଷ୍ଟ୍ ଆରୋହଣ କରିଥିଲେ।