ଭୁବନେଶ୍ୱର/ପୁରୀ: କାର୍ତ୍ତିକ ବ୍ରତ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନସିଂ ଜରିଆରେ ୪ ହବିଷ୍ୟାଳି କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ଏକ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପୂଣ୍ୟ ବ୍ରତ ପାଇଁ ପୁରୀରେ ହବିଷ୍ୟାଳିମାନଙ୍କ ଭିଡ଼ ଜମିଛି। ପୁରୀରେ ଆଜି ୨୫୦୦ରୁ ଅଧିକ ହବିଷ୍ୟାଳି ପହଞ୍ଚି ରାଧା-ଦାମୋଦରଙ୍କୁ ପୂଜା କରିଛନ୍ତି।

Advertisment

publive-image

ଜିଲ୍ଲା ପ୍ରଶାସନ ପକ୍ଷରୁ ରେଳବାଇ ଯାତ୍ରୀ ନିବାସ, ରେଳବାଇ କଲ୍ୟାଣ ମଣ୍ଡପ, ଜଗନ୍ନାଥ ବଲ୍ଲଭ ବାଖ୍ୟାନ କେନ୍ଦ୍ର ଓ ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ଏହି ସବୁ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ଏଠାରେ ହବିଷ୍ୟାଳିମାନଙ୍କର ରହିବା, ଖାଇବା, ସହାୟତା କେନ୍ଦ୍ର, ସ୍ବାସ୍ଥ୍ୟ ସେବା ଆଦି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ହୋଇଛି। କାର୍ତ୍ତିକ ବ୍ରତ ପାଇଁ ତୁଳସୀ ଚଉରା ପ୍ରସ୍ତୁତ ହୋଇ ରହିଛି। ଆଜି ବିଭିନ୍ନ ଜିଲ୍ଲାରୁ ହବିଷ୍ୟାଳିମାନେ ଆସି କେନ୍ଦ୍ରରେ ନାମ ପଞ୍ଜୀକରଣ କରିଛନ୍ତି।

ରେ‌ଳବାଇ ଯାତ୍ରୀ ନିବାସରେ ୨୨୦୦ ହବିଷ୍ୟାଳିଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ସଂଖ୍ୟା ଅଧିକ ହେବାରୁ ଯାତ୍ରୀନିବାସ ଛାତ‌େର ଟେଣ୍ଟ ବ୍ୟବସ୍ଥା କରାଯାଇଛି। ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଏସ୍‌ପି ଡାକ୍ତର ସାର୍ଥକ ଷଡ଼ଙ୍ଗୀ, ପିଡି ଡକ୍ଟର ଉଦ୍ଧବ ମାଝି, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଆଜି ହବିଷ୍ୟାଳି କେନ୍ଦ୍ରକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ହବିଷ୍ୟାଳିଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି। ପୁରୀ, ଖୋର୍ଧା, ନୟାଗଡ, ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ, ଢେଙ୍କାନାଳ ଆଦି ଜିଲ୍ଲାରୁ ହବିଷ୍ୟାଳିମାନେ ଆସିଥିବା ଜଣାଯାଇଛି।