ବରମୁଣ୍ଡାରେ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ ୧୮ମାସ ମଧ୍ୟରେ ନିର୍ମାଣ କାମ ସରିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ବରମୁଣ୍ଡାରେ ନିର୍ମାଣାଧୀନ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ଟର୍ମିନାଲ ପରିସର ବୁଲି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବସ୍‌ ଟର୍ମିନାଲରେ କ’ଣ ସବୁ ସୁବିଧା ରହିବ ତାହାର ମାନଚିତ୍ର‌ ପରଖିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ଯେ, ବରମୁଣ୍ଡା ବସ୍‌ ଟର୍ମିନାଲର ନିର୍ମାଣ କାମ ଆସନ୍ତା ୧୮ମାସ ମଧ୍ୟରେ ଶେଷ ହେବ। ଏଥି ପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ଡିଜାଇନ୍‌ ଅତି ସୁନ୍ଦର ଓ ପଥ ପ୍ରଦର୍ଶକ ବୋଲି ନବୀନ ସୂଚନା ଦେଇଛନ୍ତି। ଏଥିସହ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ହେବା ପରେ ତାହା ଭୁବନେଶ୍ବରର ଏକ ନୂଆ ଲ୍ୟାଣ୍ଡମାର୍କ ହେବ।

ସୂଚନାଯୋଗ୍ୟ, ବରମୁଣ୍ଡାରେ ନିର୍ମାଣାଧୀନ ବସ୍‌ ଟର୍ମିନାଲରେ ଅତ୍ୟାଧୁନିକ ସୁବିଧା ରହିବ। ଏଠାରେ ବସ୍‌, ଅନ୍ୟ ବାହାନ ପାଇଁ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ରହିବ। ଏତଦ୍‌ ବ୍ୟତୀତ ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯିବ। ବରମୁଣ୍ଡା ବସଷ୍ଟାଣ୍ଡ ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସଷ୍ଟାଣ୍ଡ। ରାଜ୍ୟର ବିଭିନ୍ନ ସ୍ଥାନକୁ ଏଠାରୁ ବସ୍‌ ଚଳାଚଳ କରିଥାଏ। ହଜାର ହଜାର ଯାତ୍ରୀ ମଧ୍ୟ ପ୍ରତିଦିନ ବିଭିନ୍ନ ସ୍ଥାନକୁ ବସ୍‌ଯୋଗେ ଯାଇଥାନ୍ତି। ତେଣୁ ଏହାକୁ ଅକ ଅତ୍ୟାଧୁନିକ ରୂପ ଦେବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କାମ ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ, ଭୁବନେଶ୍ୱର ମହାନଗର ନିଗମର କମିଶନର ଓ ପୁଲିସ କମିସନର ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର