କୋଭିଡ୍ ମୁକାବିଲା ଲାଗି ରାଜ୍ୟରେ ବିମାନ ଓ ରେଳ ସେବା ଉପରେ ପ୍ରତିବନ୍ଧକ ଜାରି ରଖିବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ମୁକାବିଲା ଲାଗି ନୂଆ ରଣନୀତି ଘୋଷଣା କରିଛନ୍ତି। ଏହାଦ୍ବାରା କୋଭିଡ୍ ପରିଚାଳନାକୁ ବିକେନ୍ଦ୍ରୀକରଣ କରି ୱାର୍ଡସ୍ତରୀୟ କମିଟିକୁ ଦାୟିତ୍ବ ଦିଆଯାଇଛି। ତେବେ ଆଜି ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ପୁଣି ଦୋହରାଇଛନ୍ତି ଯେ ଜୁନ୍ ମାସ କରୋନା ମୁକାବିଲା ଲାଗି ବେଶ୍ ଗୁରୁତ୍ବପୂର୍ଣ୍ଣ। ଏଥିସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କନଫରେନ୍ସିଂ ବେଳେ ରାଜ୍ୟର ହିତ ଲାଗି କେତେକ ଦାବି ଉପସ୍ଥାପନ କରିଛନ୍ତି। ସେ ରାଜ୍ୟକୁ ବିମାନ ଓ ରେଳ ସେବା ବନ୍ଦ ରଖିବାକୁ ଦାବି କରିଛନ୍ତି। ଦେଶର ଅନ୍ୟ ପ୍ରାନ୍ତକୁ ବିମାନ ଓ ରେଳ ସେବା ମାଧ୍ୟମରେ ନ ଯୋଡ଼ିବା ସପକ୍ଷରେ ମତ ରଖିଛନ୍ତି ନବୀନ। ଏଥିସହ ଉପସାଗରୀୟ ଦେଶରେ ଫସିଥିବା ଗରିବ ଓଡ଼ିଆଙ୍କୁ ଭାରତ ସରକାର ରାଜ୍ୟକୁ ଫେରାଇ ଆଣିବା ଲାଗି ବ୍ୟବସ୍ଥା କରନ୍ତୁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ସେ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ସମାପନ ପରେ ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷା କରାଇବାକୁ ଅନୁରୋଧ କରିଛନ୍ତି।

ରାଜ୍ୟବାସୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ ବାରମ୍ବାର କହି ଆସିଛି ଯେ ଜୁନ୍‌ ମାସ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଲକ୍‌ଡାଉନ୍‌ ଧୀରେଧୀରେ ଖୋଲୁଛି। ଧୀରେଧୀରେ ଗମନାଗମନ ବଢ଼ୁଛି। ଲୋକଙ୍କ ଯାତାୟାତ ଆଗକୁ ବଢ଼ିବ। ଜୀବନ ସହିତ ଜୀବିକା ଉପରେ ମଧ୍ୟ ଆମକୁ ଜୋର ଦେବାକୁ ପଡ଼ୁଛି। ତେଣୁ ବର୍ତ୍ତମାନ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ।

ସେ ଆହୁରି ବି କହିଛନ୍ତି, ‘ଗତ ୩ ମାସରୁ ଅଧିକ ସମୟ ଧରି କରୋନା ଆମ ଜନଜୀବନକୁ ଗଭୀରଭାବରେ ପ୍ରଭାବିତ କରି ଆସିଛି। ସବୁ ବର୍ଗ ଓ ସବୁ କ୍ଷେତ୍ର ଏହାଦ୍ୱାରା ପ୍ରଭାବିତ ହୋଇଛି। ଯେହେତୁ ଏ ରୋଗର ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ ପଦ୍ଧତି ବାହାରି ନାହିଁ, ତେଣୁ ସତର୍କତା ହିଁ ଆମପାଇଁ ଶ୍ରେଷ୍ଠ ଉପାୟ। ସାମଜିକ ଦୂରତା, ମାସ୍କ ବ୍ୟବହାର ଏବଂ ସାବୁନରେ ବାରମ୍ବାର ହାତ ଧୋଇବା ଦ୍ୱାରା ହିଁ ଏ ରୋଗକୁ ନିୟନ୍ତ୍ରଣ କରିପାରିବା।

ସମ୍ବନ୍ଧିତ ଖବର