ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ନବୀନ, ବିଧାନ ପରିଷଦ ବିଲ ପାଶ କରିବା ଦିଗରେ ଲୋଡିଲେ ସମର୍ଥନ

ନୂଆଦିଲ୍ଲୀ: ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିତରେ ମଙ୍ଗଳବାର ଭେଟ ହୋଇଛି। ସାକ୍ଷାତକାରରେ ରାଜନୈତିକ ଦିଗକୁ ସଂପୂର୍ଣ୍ଣ ଭାବେ ଏଡାଇ ଦିଆଯାଇ ପାରିନାହିଁ। ଯଦିଓ ସରକାରୀ ସ୍ତରରେ ଦିଆଯାଇଥିବା ସୂଚନା ଅନୁସାରେ, କେବଳ ରାଜ୍ୟ ସ୍ୱାର୍ଥ ସମ୍ବଳିତ କିଛି ପ୍ରସଙ୍ଗ ନବୀନ ଉଠାଇ କେନ୍ଦ୍ରର ଧ୍ୟାନ ଆକର୍ଷଣ କରିଛନ୍ତି, ହେଲେ ଏହା ପଛରେ ଥିବା ରାଜନୈତିକ ଦିଗକୁ ନେଇ ଏବେ ଚର୍ଚ୍ଚା କରାଯାଉଛି।

ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ବଡ ରାଜନୈତିକ ଦାବି ରଖିଛନ୍ତି। ଯଦିଓ ଏବାବଦରେ ଔପଚାରିକ ଭାବେ କିଛି ଗଣମାଧ୍ୟମକୁ କୁହାଯାଇନାହିଁ, ତଥାପି ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇସାରିଛି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନ ପରିଷଦ ଗଠନ ଦିଗରେ କେନ୍ଦ୍ରର ସହଯୋଗ ଲୋଡିଛନ୍ତି। ୨୦୧୮ ସେପଟେମ୍ବର ରେ ଓଡିଶା ବିଧାନସଭାରେ ଏସଂପର୍କିତ ବିଲ୍‌ ପାରିତ ହୋଇଥିଲା। ସେତେବେଳେ ସରକାରୀ ଦଳ ବିଲକୁ ଐତିହାସିକ କହିଥିବା ବେଳେ ବିଜେପି ଓ କଂଗ୍ରେସ ଏହାକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ।

ଏହି ବିଲକୁ ଏବେ ସଂସଦର ଉଭୟ ଗୃହରେ ପାରିତ ହେବାର ଆବଶ୍ୟକତା ଅଛି । ଏଥିପାଇଁ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିର ସହଯୋଗ ଆବଶ୍ୟକ ଅଛି। ସେହି ଦୃଷ୍ଟିକୋଣରୁ ନବୀନ ଆଜି ଏହି ପ୍ରସଙ୍ଗ ମୋଦିଙ୍କ ସାମ୍ନାରେ ଉଠାଇଥିବା ଜଣାପଡିଛି। ସଂସଦର ଆଗାମୀ ଅଧିବେଶନରେ ଏହି ବିଲକୁ ଗୃହରେ ଆଗତ କରାଇବାକୁ ଅନୁରୋଧ କରାଯାଇଥିବା ସୂଚନା ମିଳିଛି।

ଏବେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର, ଜମ୍ମୁ ଓ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରେ ବିଧାନ ପରିଷଦ ବ୍ୟବସ୍ଥା ରହିଛି। ଡାକ୍ତର ନୃୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର ଓ ତେଲେଙ୍ଗାନା ରାଜ୍ୟ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। କମିଟିର ସୁପାରିସକୁ ସରକାର ଗ୍ରହଣ କରିଥିଲେ ଓ ଗତ ଅଗଷ୍ଟ ୨୪ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ଏହାକୁ ଅନୁମୋଦନ ଦେଇଥିଲେ।

ଭାରତ ସମ୍ବିଧାନର ଅନୁଚ୍ଛେଦ ୧୭୧ ଅନୁଯାୟୀ, ବିଧାନ ପରିଷଦର ମୋଟ ସଭ୍ୟ ସଂଖ୍ୟା ସର୍ବନିମ୍ନ ୪୦ ଓ ସର୍ବାଧିକ ସଂପୃକ୍ତ ରାଜ୍ୟର ବିଧାନସଭାର ସମୁଦାୟ ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶ ହେବା ଆବଶ୍ୟକ। ଅର୍ଥାତ ଓଡ଼ିଶା ବିଧାନସଭା ପରିଷଦର ସଭ୍ୟ ସଂଖ୍ୟା ୪୯ ହେବ। ଏହି କ୍ରମରେ ପରିଷଦର ଏକ ତୃତୀୟାଂଶ ସଭ୍ୟ ଅର୍ଥାତ ୧୬ ଜଣଙ୍କୁ ବିଧାନସଭାର ସଭ୍ୟମାନେ ର୍ନିବାଚିତ କରିବେ। ସେହିପରି ଆଉ ଏକ ତୃତୀୟାଂଶ ଅର୍ଥାତ ୧୬ ଜଣ ସଦସ୍ୟଙ୍କୁ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ସଭ୍ୟ ଓ ସହରାଞ୍ଚଳର ଲୋକପ୍ରତିନିଧି ର୍ନିବାଚିତ କରିବେ।

ଏକ ଦ୍ୱାଦଂଶ ତଥା ୪ ଜଣ ସଦସ୍ୟ ରାଜ୍ୟରେ ୩ବର୍ଷରୁ ଅଧିକ ଅଭିଜ୍ଞତା ଥିବା ସ୍ନାତକଙ୍କୁ ନେଇ ଏକ ଇଲେକ୍ଟୋରାଲ କଲେଜ ମାଧ୍ୟମରେ ର୍ନିବାଚିତ ହେବେ। ସେହିଭଳି ଆଉ ୪ ଜଣ ମାଧ୍ୟମିକ ତଥା ତାଠାରୁ ବିଦ୍ୟାଳୟରେ ୩ବର୍ଷରୁ ଅଭିଜ୍ଞତା ଥିବା ଶିକ୍ଷକଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ମାଧ୍ୟମରେ ର୍ନିବାଚିତ ହେବେ। ଅବଶିଷ୍ଟ ୯ ଜଣ ସଭ୍ୟ ସାହିତ୍ୟ, ବିଜ୍ଞାନ, କଳା, ସମବାୟ ଓ ସାମାଜିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଏବଂ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହେବେ।

ମୋଦୀ ସରକାରଙ୍କ ପ୍ରଥମ ପାଳିରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାଶ କରାଇବାରେ ବିଜେଡି ସମର୍ଥନ ଦେଇଥିଲା ଯ ଏପରିକି ମୋଦି ସରକାର ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଆଲୋଚନାରୁ ବିଜେଡି ଦୂରେଇ ରହିଥିଲା ଯ ଆଉ ଏବେ ବିଜେଡି ଲୋଡିଛି ବିଜେପିର ସମର୍ଥନ ଯ ଆଉ ଏଦିଗରେ ମୋଦିଙ୍କ ଆଭିମୁଖ୍ୟ କଣ ରହିବ, ତା ଉପରେ ସମସ୍ତଙ୍କ ନଜର ରହିିଛି।

ସମ୍ବନ୍ଧିତ ଖବର