ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା: କରୋନା ମୁକାବିଲା ପାଇଁ ଘରେ ବୟସ୍କ ବ୍ୟକ୍ତିଙ୍କ ଉପଯୁକ୍ତ ଯତ୍ନ ନିଅନ୍ତୁ, ସେମାନଙ୍କୁ ଆନନ୍ଦ ଦିଅନ୍ତୁ

ଓଡ଼ିଶାରେ ଅଛନ୍ତି ୪୨ ଲକ୍ଷ ବରିଷ୍ଠ ନାଗରିକ

ଭୁବନେଶ୍ୱର: ଆଜି ଭାରତରେ କରୋନା ନେଇଛି ଚତୁର୍ଥ ଜୀବନ। ଆଉ ଜଣେ ୭୨ ବର୍ଷ ବୟସ୍କ କରୋନା ସହ ଳଢ଼େଇରେ ହାରି ଯାଇଛନ୍ତି। ପୂର୍ବରୁ ତିନି ଜଣ ବୟସ୍କ ବ୍ୟକ୍ତି ବି କରୋନା ସଂକ୍ରମଣରେ ପ୍ରାଣ ହରାଇଥିଲେ। ଏହାକୁ ଗୁରୁତ୍ବର ସହ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ସେମାନଙ୍କ ଘରର ବରିଷ୍ଠ ନାଗରିକଙ୍କ ଯତ୍ନ ନେବାକୁ ଅନୁରୋଧ କରିଛନ୍ତି। ଶାରୀରିକ ଯତ୍ନ ଅପେକ୍ଷା ମାନସିକ ଯତ୍ନ ନେବାକୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଏହି ବାର୍ତ୍ତାକୁ ସରକାରଙ୍କ ମୁଖ୍ୟମୁଖପାତ୍ର ସୁବ୍ରତ ବାଗଚୀ ଗଣମାଧ୍ୟମ ଜରିଆରେ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇଛନ୍ତି।

କରୋନା ଭାଇରସ ମୁକାବିଲା ପାଇଁ ରାଜ୍ୟ ସରକାର ଅନେକଗୁଡ଼ିଏ ସୁରକ୍ଷାମୂଳକ ପଦକ୍ଷେପ ନେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକମାନଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖ୍ୟପାତ୍ର ସୁବ୍ରତ ବାଗ୍‌ଚୀ ଗଣମାଧ୍ୟମ ଆଗରେ ଆଜି ପ୍ରକାଶ କରିଛନ୍ତି। ଶ୍ରୀ ବାଗ୍‌ଚୀ କହିଛନ୍ତି, ୨୦୧୧ର ଜନଗଣନା ଅନୁଯାୟୀ ରାଜ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୪୨ ଲକ୍ଷ। ଏଥିରେ ୬୦ରୁ ୭୦ ବର୍ଷ ବୟସ ବର୍ଗଙ୍କ ସଂଖ୍ୟା ୬ ପ୍ରତିଶତ, ୭୦ରୁ ୮୦ ବର୍ଷ ବୟସ ବର୍ଗଙ୍କ ସଂଖ୍ୟା ୩ ପ୍ରତିଶତ ଓ ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ୧ ପ୍ରତିଶତ।

ସାଧାରଣତଃ ବୟସ ବୃଦ୍ଧି ଯୋଗୁଁ ବରିଷ୍ଠ ନାଗରିକମାନେ ହୃଦରୋଗ, ରକ୍ତଚାପ, କିଡନୀ ସମସ୍ୟା, ମଧୁମେହ ରୋଗର ସମ୍ମୁଖୀନ ହୋଇଥାନ୍ତି। ଏବେ ଯେହେକୁ କରୋନା ଭୂତାଣୁ ଦେଖାଯାଇଛି, ତେଣୁ ସେମାନଙ୍କୁ ସୁରକ୍ଷିତ ଭାବେ ରଖିବାର ଦାୟିତ୍ୱ ଆସିଛି। ସେମାନଙ୍କର ସ୍ବାସ୍ଥ୍ୟ ଭଲ ରଖିବା ସହ ସେମାନଙ୍କୁ ମାନସିକ ସ୍ତରରେ ଖୁସୀ ରଖିବା ଦରକାର। ବୟସ୍କ ବ୍ୟକ୍ତିମାନେ ଶ୍ରଦ୍ଧାକୁ ପସନ୍ଦ କରିଥାନ୍ତି। ତେଣୁ ସେମାନଙ୍କୁ ଅଣଦେଖା କରନ୍ତୁ ନାହିଁ। ସେମାନେ ଖାଇଲେ କି ନାହିଁ ତାର ଖବର ରଖିବା ଦରକାର ଅଛି। ପୂର୍ବରୁ ବୃଦ୍ଧ-ବୃଦ୍ଧାମାନେ ମନ୍ଦିରରେ ବସୁଥିଲେ, ଗାଁ ବରଗଛ ମୂଳରେ ବସୁଥିଲେ। କିନ୍ତୁ ଏବେ ତାଙ୍କୁ ଘରେ ରହିବାକୁ କୁହାଯିବା ଦରକାର। ସେମାନଙ୍କୁ ସ୍ନେହ ଦେବା ଅର୍ଥାତ ମନ ଦେଇ ଭଲ ପାଇବା ବୋଲି ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବାର୍ତ୍ତାରେ କହିଛନ୍ତି, ବରିଷ୍ଠ ନାଗରିକଙ୍କ ସହ କଥା ହେବା ଓ ତାଙ୍କ କଥାକୁ ଶୁଣିବା ଦରକାର । ସେମାନଙ୍କୁ କରୋନା ସଂକ୍ରମଣ ସଂପର୍କରେ ସୂଚନା ଦେବା, ସାଙ୍ଗରେ ବସି ଟିଭି ଦେଖାଇବା ଦରକାର । ଏଥିସହ କରୋନା ବ୍ୟତୀତ ଅନ୍ୟ ବିଷୟରେ ଅଧିକ କଥା ହେବା, ପୁରୁଣା ଦିନର କଥା ମନେ ପକାଇଦେବା ଭଳି ମାନସିକ ସନ୍ତୋଷ ଦେବା ଭଳି କାର୍ଯ୍ୟ କରିବା। ବରିଷ୍ଠ ନାଗରିକଙ୍କୁ ତାଙ୍କ ମନପସନ୍ଦର ବହି ଆଣି ଦିଅନ୍ତୁ ବୋଲି ନବୀନ ବାର୍ତ୍ତା ମାଧ୍ୟମରେ ପରାମର୍ଶ ଦେଇଛନ୍ତି। ଯଦି ସେମାନେ ଭାଗବତ ପଢ଼ୁଥିଲେ, ତେବେ ନୂଆ ପ୍ରକାରର ଭାଗବତ ବହି ଆଣି ଦିଅନ୍ତୁ। ଗପ ଓ କାହାଣୀ ବହି ଦିଅନ୍ତୁ। ପୁଣି କେବଳ ବହି ନ ଦେଇ ଏବାବଦରେ ଆଲୋଚନା ମଧ୍ୟ କରନ୍ତୁ।

ସେହିପରି ହ୍ଵାଟସଅପ, ଭିଡିଓ କଲ୍ କରି ସେମାନଙ୍କୁ ସେମାନଙ୍କ ସାଙ୍ଗମାନଙ୍କ ସହିତ କଥା କରାଇ ଦିଅନ୍ତୁ। ତାଙ୍କୁ ପରିବାର ଓ ବନ୍ଧୁ ବାନ୍ଧବଙ୍କ ସହ ସଂପର୍କ କରାଇଦିଅନ୍ତୁ। ତାଙ୍କ ସହିତ ମିଳି ମିଶି କାମ କରନ୍ତୁ। ତାଙ୍କର ଯତ୍ନ ନିଅନ୍ତୁ। ତାଙ୍କ ମନ ପସନ୍ଦର ରୋଷେଇ କରନ୍ତୁ। ଜେଜେବାପା ଓ ଜେଜମା’ଙ୍କୁ ମନ ପସନ୍ଦର ଖାଦ୍ୟ ଦିଅନ୍ତୁ। ସାମାଜିକ ଦୂରତ୍ୱ ନ ରଖି ପରିବାରରେ ଥରଟିଏ ଏକାଠି ଖାଆନ୍ତୁ। ତାଙ୍କ ସମୟର ଗୀତଟିଏ ଶୁଣାନ୍ତୁ । ତାଙ୍କୁ ପରିଚ୍ଛନ୍ନ ରଖନ୍ତୁ। ତାଙ୍କୁ ନିତିଦିନିଆ ଔଷଧ ଦେଇ ଦାୟିତ୍ୱ ନିଅନ୍ତୁ। ସବୁଠାରୁ ବଡ଼ କଥା ହେଲା ନାତି ନାତୁଣୀଙ୍କ ଠାରୁ ଦୂରରେ ରଖନ୍ତୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର