ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ଲକଡାଉନ୍ ଜାରି ଥିବା ବେଳେ ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକଡାଉନ୍ରେ ରାଜ୍ୟବାସୀଙ୍କ ସହଯୋଗ ପାଇଁ ମୁଁ ଧନ୍ୟବାଦ ଜଣାଉଛି । ରାଜ୍ୟ ସରକାର କରୋନା ରୋଗୀ ଚିହ୍ନଟ ହୋଇଥିବା ତିନିଗୋଟି ସହର ଯଥା ଭୁବନେଶ୍ୱର, କଟକ ଓ ଭଦ୍ରକରେ ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ସଟ୍ଡାଉନ୍ ଜାରି କରିଛନ୍ତି । ଏହି ୪୮ ଘଣ୍ଟା ପ୍ରଶାସନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ନବୀନ କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
କଟକ ମହାନଗର ନିଗମ, ଭୁବନେଶ୍ବର ମହାନଗର ନିଗମ ଏବଂ ଭଦ୍ରକ ପୌରାଞ୍ଚଳରେ ୪୮ ଘଣ୍ଟା ପାଇଁ ଜାରି ହୋଇଥିବା ସଟ୍ ଡାଉନ୍ ପାଳନ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କୁ ନିବେଦନ: pic.twitter.com/dgx9Bbrqe5
— I & PR Department, Odisha (@IPR_Odisha) April 3, 2020
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ୪୮ ଘଣ୍ଟା ମଧ୍ୟରେ ପ୍ରଶାସନ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଭଲ ଭାବରେ କରିପାରିବେ । କରୋନା ସଂକ୍ରମଣକୁ ରୋକିବା ପାଇଁ ଏହା ଖୁବ ଜରୁରୀ ଅଟେ । ନିଜ ପରିବାର ଓ ବନ୍ଧୁମାନଙ୍କ ଭଲ ପାଇଁ, ମଙ୍ଗଳ ପାଇଁ ଆମକୁ ବ୍ୟକ୍ତିଗତ ଭାବରେ ଏହି ତ୍ୟାଗ କରିବାକୁ ହେବ । କଷ୍ଟ ସ୍ୱୀକାର କରିବାକୁ ହେବ । ଆମର ଏହି ତ୍ୟାଗ ହିଁ ଆମ ସମସ୍ତଙ୍କୁ ସୁରକ୍ଷିତ ରଖି ପାରିବ ବୋଲି ନବୀନ କହିଛନ୍ତି ।