ନବୀନଙ୍କ ମନ୍ତ୍ରିମଣ୍ଡଳର ନବକଳେବର : ଏହି ବିଧାୟକମାନଙ୍କୁ ମିଳିପାରେ ମନ୍ତ୍ରୀପଦ, ଜାଣନ୍ତୁ ଚର୍ଚ୍ଚାରେ ଅଛନ୍ତି କିଏ?

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରିମଣ୍ଡଳ ଆସନ୍ତାକାଲି ଶପଥ ଗ୍ରହଣ କରିବ । ଏଥିରେ ଚଳିତ ମନ୍ତ୍ରିମଣ୍ଡଳରେ ପୂର୍ବରୁ ଥିବା କିଛି ସଦସ୍ୟଙ୍କ ସହିତ ୧୦ରୁ ୧୧ ଜଣ ନୂତନ ବିଧାୟକ ମନ୍ତ୍ରୀ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କିନ୍ତୁ ଏଯାବତ୍ ଆଧିକାରୀକ ଭାବେ  ସ୍ପଷ୍ଟ କରାଯାଇନାହିଁକି କିଏ ମନ୍ତ୍ରୀ ହେବେ। ତେବେ ବିଭିନ୍ନ ମହଲରୁ ମିଳୁଥିବା ତଥ୍ୟ ଆଧାରରେ ଗଣମାଧ୍ୟମରେ ନୂତନ ମନ୍ତ୍ରୀମାନଙ୍କର ଏକ ସମ୍ଭାବ୍ୟ ତାଲିକା ପ୍ରକ‌ାଶ ପାଇଛି। ଏହି ତାଲିକାରେ କେନ୍ଦ୍ରାପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, କେନ୍ଦୁଝରରୁ ବଦ୍ରିନାରାୟଣ ପାତ୍ର ଓ ବୌଦ୍ଧରୁ ପ୍ରଦୀପ ଅମାତଙ୍କ ରହିଛି।  ନବୀନଙ୍କ କ୍ୟାବିନେଟରେ ଏମାନଙ୍କୁ ସ୍ଥାନ ମିଳିପାରେ। ସେହିପରି ସମ୍ବଲପୁରରୁ ରୋହିତ ପୂଜାରୀ, ଗଂଜାମରୁ ଲତିକା ପ୍ରଧାନ, ବରଗଡ଼ରୁ ରୀତା ସାହୁ ଓ ମୟୂରଭଂଜରୁ ବାସନ୍ତୀ ହେମ୍ବ୍ରମ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି। ଏଥିସହ କଳାହାଣ୍ଡି ଜିଲ୍ଲାରୁ ଭୁପିନ୍ଦର ସିଂ, ବାଲେଶ୍ବରରୁ  ଅଶ୍ବିନୀ ପାତ୍ର, କେନ୍ଦ୍ରାପଡ଼ାର ପ୍ରତାପ ଦେବ ଓ ଯାଜପୁର ଜିଲ୍ଲାର ପ୍ରୀତିରଂଜନ ଘଡେଇଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ମାତ୍ର ଏହି ଖବର ଲେଖା ହେବା ବେଳକୁ ମନ୍ତ୍ରିମଣ୍ଡଳରେ ସ୍ଥାନୀତ ହେବା ନେଇ ଏମାନଙ୍କ କାହା ପାଖକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ଆସିଥିବା କଥା ସ୍ପଷ୍ଟ ହୋଇନାହିଁ। ତେବେ ଚର୍ଚ୍ଚା ହେଉଛି କି ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଅଭିଜ୍ଞତା ସଂପନ୍ନ ରାଜନେତାଙ୍କ ସହିତ କିଛି ନବାଗତଙ୍କୁ ମଧ୍ୟ ସୁଯୋଗ ମିଳିପାରେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଲୋକସେବା ଭବନ ପରିସର‌ରେ ଥିବା କନ୍‌ଭେନସନ ହଲ୍‌ରେ ଦିନ ୧୧.୪୫ ମିନିଟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳକୁ ଶପଥ ‌ଗ୍ରହଣ କରାଇବେ ବୋଲି ସୂଚନା ରହିଛି। ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ଆଜି  ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ କୁହାଯିବା ପରେ ଜଣକ ପରେ ଜଣେ ମନ୍ତ୍ରୀ ନିଜର ଇସ୍ତଫାପତ୍ର ପଠାଇବା ଆରମ୍ଭ କରିଥିଲେ । ସୂଚନା ଅନୁସାରେ ଅଧିକାଂଶ ମନ୍ତ୍ରୀ ଏ ସଂକ୍ରାନ୍ତୀୟ ନିଷ୍ପତ୍ତି ନେଇ ଅବଗତ ନ ଥିଲେ। ସେମାନଙ୍କ ନିକଟକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ଆସିବା ପରେ ମନ୍ତ୍ରୀମାନେ ମନ୍ତ୍ରିମଣ୍ଡଳ ପୂର୍ନଗଠନ ହେଉଛି ବୋଲି ସୂଚନା ପାଇଥିଲେ। ଏପରିକି କେତେଜଣଙ୍କ ପାଖକୁ ଇସ୍ତଫା ପତ୍ରର ଡ୍ରାଫ୍ଟ ଆସିଥିବା ମଧ୍ୟ ଜଣାପଡ଼ିଛି। ସେହପରି ଯେଉଁମାନେ ମନ୍ତ୍ରୀ ଭାବେ ଶପଥ ନେବେ ସେମାନଙ୍କ ପାଖକୁ ମଧ୍ୟ ଫୋନ୍ ଯିବା ଆରମ୍ଭ ହୋଇଛି। ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଭୁବନେଶ୍ବର ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥର ମନ୍ତ୍ରିମଣ୍ଡଳ ପୁର୍ନଗଠନରେ ମୁଖ୍ୟମନ୍ତ୍ରୀ ଏକ ନୂତନ ଶୈଳୀ ଆପଣାଇଛନ୍ତି। କାରଣ ପୂର୍ବର ୪ ପାଳି ମୁଖ୍ୟମନ୍ତ୍ରିତ୍ବରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ସମୟରେ ନିର୍ଦ୍ଦିଷ୍ଟ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ରାଜନୈତିକ ବି‌ଶ୍ଳେଷକମାନେ କହିଛନ୍ତି କି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଫର୍ମୁଲାକୁ ଆପଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଗନମୋହନ ଯେମିତି ନିଜର ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଅଚାନକ ଇସ୍ତଫା ଦେବାକୁ ନିର୍ଦେଶ ଦେଇଥିଲେ, ଠିକ୍ ସେହିପରି ନବୀନ ବି ଏଥର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ମାଗିଛନ୍ତି ।

ସମ୍ବନ୍ଧିତ ଖବର