ନବୀନ-ମିତ୍ତଲ ଆଲୋଚନା : ୨ହଜାର କୋଟି ବିନିଯୋଗ ହେବ

ପୁ଼ଞ୍ଜିନିବେଶ ପାଇଁ ଆର୍ସେଲର ମିତ୍ତଲକୁ ଆମନ୍ତ୍ରଣ

ଭୁବନେଶ୍ବର : କେନ୍ଦୁଝରରେ ଇସ୍ପାତ କାରଖାନା କରିବ ବୋଲି ବୁଝାମଣା ପତ୍ର ସ୍ବାକ୍ଷର କରି ପରେ ଓହରିଥିଲା ଆର୍ସେଲର- ମିତ୍ତଲ କଂପାନି। ଓଡ଼ିଶାକୁ ଏହି କଂପାନି ସେବେ ମୁହଁ ମୋଡ଼ିବା ପଛରେ କାରଣ ଥିଲା ଖଣି। ଏହି ସମସ୍ୟା ସମାଧାନ ପରେ ଆଜି ପୁଣି ଥରେ ପୁଞ୍ଜିନିବେଶ କରିବା ଲାଗି ରାଜ୍ୟ ସରକାର ସଂପୃକ୍ତ ସଂସ୍ଥାକୁ ଅନୁରୋଧ କରିଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆର୍ସେଲର ଗ୍ରୁପ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ଯୋଗେ ଆଲୋଚନା ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୨ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ କଂପାନି ସମ୍ମତି ଜଣାଇଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ଲଣ୍ଡନରେ ଶ୍ରୀ ମିତ୍ତଲ ବସି ବେଶ୍ କିଛି ସମୟ ଆଲୋଚନା କରିଥିଲେ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାର କୋଭିଡ଼୍ ପରିଚାଳନାକୁ ଶ୍ରୀ ମିତ୍ତଲ ପ୍ରଶଂସା କରିବା ସହିତ ସାରା ବିଶ୍ବ ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥିବା ବେ​ଳେ ଶିଳ୍ପ ଜଗତକୁ ସହଯୋଗ ପାଇଁ ଆଗେଇ ଆସିଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ମିତ୍ତଲ କହିଥିଲେ ଯେ ତାଙ୍କ କଂପାନି ନିଲାମରେ ନେଇଥିବା ୨ଟି ଖଣି ସାଗାସାହି ଓ ଠାକୁରାଣୀ ଖଣି ଲିଜ୍ ଯେପରି ସ୍ବଚ୍ଛତାର ସହ ସଂପାଦିତ ହେଲା ତାହା ବିଶ୍ବସ୍ତରରେ ବେଞ୍ଚମାର୍କ ସୃଷ୍ଟି କରିଛି।

ଆର୍ସେଲର ମିତ୍ତଲ ଓ ନିପନ୍ ଷ୍ଟିଲ ଗତ ଡିସେମ୍ବରରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ୫୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଏସାର୍ ଷ୍ଟିଲକୁ ଅଧିଗ୍ରହଣ କରିଛନ୍ତି। ଏହାଦ୍ବାରା ଭାରତରେ ୭ ବିଲିୟନ୍ ଆମେରିକୀୟ ଡଲାରର ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ହୋଇପାରିଛି, ଯାହାକି ଭାରତର ଅନ୍ୟତମ ବୃହତ୍ତମ ପୁଞ୍ଜି ବିନିଯୋଗ ବୋଲି କୁହାଯାଉଛି। ଆର୍ସେଲର ମିତ୍ତଲ ଓ ନିପନ୍ ଷ୍ଟିଲ୍ ପାରାଦୀପରେ ପେଲେଟ୍ ପ୍ଲାଣ୍ଟ, କେନ୍ଦୁଝରର ଡାବୁନିରେ ବେନିଫିକେସନ୍ ପ୍ଲାଣ୍ଟ ସହିତ ଏହି ଦୁଇ ନୂଆ ଖଣି ପରିଚାଳନା କରୁଛନ୍ତି।

ଓଡ଼ିଶାରୁ ଉତ୍ପାଦିତ ଖଣିଜ ଦ୍ରବ୍ୟକୁ ଏହିଠାରେ ହିଁ ମୂଲ୍ୟଯୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମିତ୍ତଲଙ୍କୁ ପରାମର୍ଶ ଦେଇଥିଲେ। ଏହାଦ୍ବାରା ଅଧିକ ନିଯୁକ୍ତି ସହିତ ରାଜ୍ୟ ଅର୍ଥନୀତି ଅଭିବୃଦ୍ଧି ହେବ। ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଆର୍ସେଲର ମିତ୍ତଲ ଓ ନିପନ୍ ଷ୍ଟିଲ ଦ୍ବାରା ପରିଚାଳିତ ପାରାଦୀପର ପେଲେଟ୍ ପ୍ଲାଣ୍ଟର କ୍ଷମତା ୬ନିୟୁତ ଟନରୁ ୧୨ ନିୟୁତ ଟନକୁ ବୃଦ୍ଦି କରିବା ପାଇଁ ସ୍ଥିର କରାଯାଇଛି। ଡାବୁନାର ବେନିଫିକେସନ୍ ପ୍ଲାଣ୍ଟ୍ କ୍ଷମତା ୫ ନିୟୁତ ଟନ୍‌ରୁ ୧୬ ନିୟୁତ ଟନ୍‌କୁ ସଂପ୍ରସାରିତ କରାଯିବ। ଏହିସବୁ ପ୍ରକଳ୍ପ ବାବଦରେ ପ୍ରଥମ ପର୍ଯ୍ୟାୟରେ ଆର୍ସେଲର ଓ ନିପନ୍ ଷ୍ଟିଲ ୨ହଜାର କୋଟି ବିନିଯୋଗ କରିବେ।

ସମ୍ବନ୍ଧିତ ଖବର