କେନ୍ଦୁଝର : କାଳିଆ ଯୋଜନା ପରେ ଆଉ ଏକ ମାଷ୍ଟର୍ଷ୍ଟ୍ରୋକ୍ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହାକୁ କେବଳ ପ୍ରସାରିତ କରିନାହାନ୍ତି, ଏହି ନାଁରେ ନୂଆ ଏକ ଯୋଜନା ଆରମ୍ଭ କରିଛନ୍ତି। ଯେଉଁଥିରେ, ଚାଷୀ ପିଲାଙ୍କ ପାଇଁ ବୃତ୍ତି ମିଳିବାର ବ୍ୟବସ୍ଥା ରହିଛି। ଆଜି କେନ୍ଦୁଝରରେ ଆୟୋଜିତ କାଳିଆ କାର୍ଯ୍ୟକ୍ରମକୁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିବା ପରେ ସଭାମଞ୍ଚରେ ଥିବା ମିସନ ଶକ୍ତିର ମହିଳା ପ୍ରତିନିଧି ଓ ଚାଷୀଙ୍କ ପ୍ରତିନିଧିମାନେ ସ୍ବାଗତ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ମିସନ ଶକ୍ତି କାର୍ଯ୍ୟକ୍ରମ ଓ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ କାଳିଆ ଯୋଜନାରେ ଲକ୍ଷ ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି। ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଏବେ ବେଶ୍ ଲୋକପ୍ରିୟ ହୋଇ ପାରିଛି। ସମଗ୍ର ଭାରତ ଏହି ଯୋଜନାକୁ ଅନୁସରଣ କରୁଛି। କୃଷକ ପରିବାରରେ ସେମାନଙ୍କ ପୁଅଝିଅ ହେଉଛନ୍ତି ଭବିଷ୍ୟତ। ତେଣୁ ସେହି ଭବିଷ୍ୟତର ଶିକ୍ଷାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ବଦ୍ଧପରିକର। ଯେଉଁ କୃଷକ ପରିବାର ପୁଅଝିଅ କୌଣସି ବୃତ୍ତିଗତ ଶିକ୍ଷାରେ ମେରିଟ୍ ଲିଷ୍ଟରେ ସିଲେକ୍ସନ ହେବେ, ରାଜ୍ୟ ସରକାର ସେମାନଙ୍କର ସମସ୍ତ ଖର୍ଚ୍ଚ ବହନ କରିବ। ଏଥିପାଇଁ ଆଜି ରାଜ୍ୟ ସରକାର ନୂଆ କାଳିଆ ସ୍କଲାରସିପ୍ ସ୍କିମ୍ ଆରମ୍ଭ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ୬୬ କୋଟି ଟଙ୍କାର ୧୭ଟି ପ୍ରକଳ୍ପକୁ ଉଦ୍ଘାଟନ କରିଥିବା ବେଳେ ୨୧ଶହ କୋଟି ଟଙ୍କାର ୪୬ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/kjr-Chasi-Mahasamabesa-1-1.jpg)