କୋଭିଡ୍-୧୯ ମୁକାବିଲା : ସହରାଞ୍ଚଳ ଗରିବଙ୍କ ପାଇଁ ଶହେ କୋଟି

ଭୁବନେଶ୍ବର : କୋଭିଡ୍-୧୯ ମୁକାବିଲା ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳରେ ଶ୍ରମ ଭିତ୍ତିକ ନିଯୁକ୍ତି ନାମରେ ଏକ ନୂଆ ଯୋଜନା ଆରମ୍ଭ କରିବା ସହିତ ଏଥିପାଇଁ ୧୦୦ କୋଟି ଟଙ୍କା ଘୋଷଣା କରିଛନ୍ତି। ଏହାଦ୍ବାରା ସହରାଞ୍ଚଳରେ ସା‌ଢ଼େ ଚାରିଲକ୍ଷ ପରିବାର ଉପକୃତ ହେବେ ବୋଲି କୁହାଯାଇଛି। ଚଳିତ ଏପ୍ରିଲ ମାସରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ଓ ସେପ୍ଟେମ୍ବର ମାସ ସୁଦ୍ଧା ସରିବ।

ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ସହରାଞ୍ଚଳରେ ଗରିବଙ୍କ ପାଇଁ ରୋଜଗାର ବାଟ ‌ଖୋଲିବା ସହିତ ଆସନ୍ତା ପୌର ନିର୍ବାଚନରେ ମଧ୍ୟ ସହାୟକ ହେବ ବୋଲି କୁହାଯାଉଛି। ସରକାର ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଯାଇ ୧୧୪ଟି ପୌରାଞ୍ଚଳ ଓ ମହାନଗର ନିଗମରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ କୋଭିଡ୍-୧୯ ସାରା ବିଶ୍ବ ପାଇଁ ଏକ ସମସ୍ୟା ନୁହେଁ, ବରଂ ଏହା ଅନେକ ଅର୍ଥନୈତିକ ଓ ସାମାଜିକ ସମସ୍ୟା ସୃଷ୍ଟି କରିଛି। ଏହାର ମୁକାବିଲା କରିବାକୁ ଯାଇ ସରକାର ୧୧୪ଟି ପୌରାଞ୍ଚଳରେ ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ରୋଜଗାର ପାଇଁ ୧୦୦କୋଟି ଟଙ୍କା ଘୋଷଣା କରିଛନ୍ତି। ଏଥିରେ ଶ୍ରମଭିତ୍ତିକ କାର୍ଯ୍ୟ ଉପରେ ଗୁରୁତ୍ବ ଦିଆଯାଇଛି। ମିସନ ଶକ୍ତିର ମାଆମାନଙ୍କ ସହାୟତା ଓ ସହଭାଗିତାରେ ଏହି କାର୍ଯ୍ୟ ଚାଲିବ। ହିତାଧିକାରୀଙ୍କ ମଜୁରୀ ପ୍ରତି ସପ୍ତାହ ଶେଷରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ।

ସରକାର କହିଛନ୍ତି ଯେ ଏହାଦ୍ବାରା ସବୁ ପୌରାଞ୍ଚଳରେ ରହୁଥିବା ଶ୍ରମିକ, ଗରିବ ଲୋକ ଓ ଦିନମଜୁରିଆଙ୍କ ପାଇଁ ରୋଜଗାର ସୃଷ୍ଟି ହେବ। ଏହି ଯୋଜନାରେ ସହରାଞ୍ଚଳରେ ଥିବା ଡ୍ରେନରୁ ମାଟି କଢ଼ାଯିବ, ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସଫେଇ, ଜଳାଶୟ ଖନନ ଓ ନବୀନକରଣ ଆଦି କାର୍ଯ୍ୟ କରାଯିବ। କେବଳ ସେତିକି ନୁହେଁ, ପାର୍କ, ଖେଳପଡିଆ ଓ ଅନ୍ୟାନ୍ୟ ଖୋଲାସ୍ଥାନଗୁଡ଼ିକର ଉନ୍ନତୀକରଣ, ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସାମୟିକ କାର୍ଯ୍ୟକ୍ଷେତ୍ର ନିର୍ମାଣ, ବନୀକରଣ, ଶୌଚାଳୟ ନିର୍ମାଣ ଓ ସହରାଞ୍ଚଳ ସୌନ୍ଦର୍ଯ୍ୟକରଣ ଆଦି ହେବ। ଏହାସହିତ ସ୍ଥାନୀୟ ଶିଳ୍ପୀ ଓ କାରିଗରଙ୍କୁ ରୋଜଗାର ଦେବା ପାଇଁ କାନ୍ଥରେ ଚିତ୍ରାଙ୍କନ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ।

ସରକାରଙ୍କ ପକ୍ଷରୁ ସତର୍କ କରିଦିଆଯାଇଛି ଯେ କୋଭିଡ୍-୧୯ ପାଇଁ ଜାରି ସାମାଜିକ ଦୂରତ୍ବ ମାର୍ଗଦର୍ଶିକା ପାଳନ ସହିତ ଏସବୁ କାର୍ଯ୍ୟକ୍ରମ କରାଯିବ।

ସମ୍ବନ୍ଧିତ ଖବର