ଏସ୍‌ଓଏସ୍‌ ଭିଲେଜ୍‌ରେ ‌ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଏଥର ନିଆରା ଢଙ୍ଗରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସ୍‌ଓଏସ୍‌ ଭିଲେଜ ଯାଇ ଅନ୍ତେବାସୀଙ୍କ ସହ ବାଣ ଫୁଟାଇ ଦୀପାବଳି ସନ୍ଧ୍ୟାକୁ କାଟିଥିଲେ। କେବଳ ନିଜେ ମୁଖ୍ୟମନ୍ତ୍ରୀ ଏପରି କରିଥିଲେ ତାହା ନୁହେଁ, ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ, ନିଜ କାର୍ଯ୍ୟାଳୟର ଅଧିକାରୀ ଓ ଜିଲ୍ଲାପାଳମାନଙ୍କୁ ମଧ୍ୟ ବାଳାଶ୍ରମରେ ଯାଇ ଦୀପାବଳି ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଏହା ସହ ଡିଜି, ବରିଷ୍ଠ ପୁଲିସ୍‌ ଅଧିକାରୀ ଓ ଏସ୍‌ପିମାନଙ୍କୁ ବିଭିନ୍ନ ବାଟାଲିୟନ୍ ଯାଇ ଜବାନ୍‌ଙ୍କ ପରିବାର ସଦସ୍ୟଙ୍କ ସହ ଦୀପାବଳି ପାଳନ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ମାନି ସମସ୍ତେ ଏପରି ଅଭିନବ ଢଙ୍ଗରେ ଦୀପାବଳି ପାଳନ କରିଥିବା ଦେଖାଯାଇଥିଲା।

ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏସ୍‌ଓଏସ୍‌ ଭିଲେଜ୍ ଯାଇ ପିଲାମାନଙ୍କ ସହ କିଛି ସମୟ ବିତାଇ ଥିଲେ। ସେମାନଙ୍କ ସହ କଥା ହୋଇଥିଲେ ଓ ଉପହାର ବାଣ୍ଟିଥିଲେ। ପୁଣି ଠିଆ ହୋଇ ବାଣ ଫୁଟାଇଥିଲେ। ଏହି ଅନୁଷ୍ଠାନକୁ ୨୦ ଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ନିକଟରେ ପାଇ ପିଲାମାନଙ୍କ ଉତ୍ସାହ ବି ଢେର୍ ବଢ଼ିଯାଇଥିଲେ।

ସେହିପରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚେତନା ଅନୁଷ୍ଠାନ ଯାଇ ସେଠାରେ ଭିନ୍ନକ୍ଷମ ଅନ୍ତେବାସୀଙ୍କ ସହ ଦୀପାବଳି ପାଳନ କରିଥିଲେ। ଶ୍ରୀ ତ୍ରିପାଠୀ ସେମାନଙ୍କ ସହ ଗପିଥିଲେ ଓ ମିଠା ଖୁଆଇଥିଲେ। ଅନ୍ତେବାସୀମାନେ ତାଙ୍କ ସହ ଖେଳିବାକୁ ଓ ଫଟୋ ଉଠାଇବାକୁ ବେଶ୍‌ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର