ବିଜେପୁରରୁ ନବୀନଙ୍କ ପ୍ରାର୍ଥିପତ୍ର ଦାଖଲ

ପଦ୍ମପୁର : ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୋମବାର ଅପରାହ୍ନରେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ୪ ସେଟ୍‌ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେପୁର ବିଧାୟିକା ରୀତା ସାହୁ, ସନ୍ତୋଷ ଦେହେରି, ଧୀରେନ୍ଦ୍ରନାଥ ସାହୁ, ନାରାୟଣ ସାହୁ ତାଙ୍କ ପ୍ରସ୍ତାବକ ରହିଛନ୍ତି।

ପ୍ରାର୍ଥିପତ୍ର ଦାଖଲ ନିମନ୍ତେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ବିମାନରେ ଆସି ପଦ୍ମପୁର ସହର ଉପକଣ୍ଠ ସତୀଭଟା ଏୟାରଷ୍ଟ୍ରିପ୍‌ ଠାରେ ପାଖାପାଖି ଅପରାହ୍ନ ୨ଟା ବେଳେ ଓହ୍ଲାଇଥିଲେ। ସେଠାରେ ଏକ ପଡ଼ିଆରେ ସମବେତ କର୍ମୀ ଓ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସଂକ୍ଷିପ୍ତ ଉଦ୍‌ବୋଧନ ଦେଇଥି‌ଲେ। ବିଜେପୁର ଆସନରୁ ସେ ପ୍ରାର୍ଥୀ ହୋଇଛନ୍ତି। ଏଥିରେ ଆପଣମାନେ ଖୁସି ତ ବୋଲି ପଚାରିଥିଲେ। ବରଗଡ଼ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ପରୋକ୍ଷରେ ସଂକେତ ଦେଇଥିଲେ। ବିଜେଡି ଯାହା ପ୍ରତିଶ୍ରୁତି ଦେଇଛି ତାହା ପାଳନ କରିଛି। ବିଜେପୁର ଅଂଚଳକୁ ଜଳସେଚନ ସୁବିଧା ନିଶ୍ଚିତ ଭାବେ କାର୍ଯ୍ୟକାରୀ ହେବ। ବିକାଶ ନିଶ୍ଚୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଏ ଅବସରରେ କହିଥିଲେ।

ନାମାଙ୍କନ ପତ୍ର ଦାଖଲ ବେଳେ ଲୋକସଭା ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ପ୍ରଭାସ ସିଂହ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂହ ଏବଂ ସ୍ନେହାଂଗିନୀ ଛୁରିଆ, ବିଧାୟକ ରୋହିତ ପୂଜାରୀ, ଦେବେଶ ଆଚାର୍ଯ୍ୟ ଏବଂ ରୀତା ସାହୁ, ଜିଲ୍ଲା ବିଜେଡି ସଭାପତି ବିଜୟରଂଜନ ସିଂହ ବରିହାଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର