ଭୁବନେଶ୍ବର : ‘ସୁନେତ୍ର’ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାରେ ୫୩ଟି ସ୍ଥାୟୀ ଦୃଷ୍ଟିଯତ୍ନ କେନ୍ଦ୍ର ସହ ୧୦ଟି ଜିଲ୍ଲାରେ ଭ୍ରାମ୍ୟମାଣ ଦୃଷ୍ଟିଯତ୍ନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଆଜି ସଚିବାଳୟ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ଆଇଏପିପିର ଅନ୍ଧତ୍ବ ଦୂରୀକରଣ ସଂପର୍କିତ ସଂକଳ୍ପକୁ କାର୍ଯ୍ୟକାରୀ କରିବା ସହ ନିର୍ଧାରିତ ସମୟ ମଧ୍ୟରେ ରାଜ୍ୟରୁ ଚକ୍ଷୁ ସମସ୍ୟା ଦୂର କରିବା ଲାଗି ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ।

Advertisment

‘ସୁନେତ୍ର’ ଯୋଜନା ମାଧ୍ୟମରେ ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଛି। ନିର୍ଧାରିତ ସମୟ ମଧ୍ୟରେ ଅନ୍ଧତ୍ବ ଦୂରୀକରଣ ଲକ୍ଷ୍ୟ ହାସଲ ଏବଂ ଉନ୍ନତମାନର ଚକ୍ଷୁ ଚିକିତ୍ସା ସୁବିଧା ଓ ଚଷମା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି। ଏହାସହ ମୋତିଆବିନ୍ଦୁର ମାଗଣା ଅସ୍ତ୍ରୋପଚାର, ଗୋଷ୍ଠୀସ୍ତରରେ ଚକ୍ଷୁ ପରୀକ୍ଷା, ମଧୁମେହ ଜନିତ ରେଟିନୋପ୍ୟାଥି ଚିକିତ୍ସା ସହ ସମସ୍ତ ପ୍ରକାର ଗୁରୁତର ଚକ୍ଷୁ ରୋଗର ମାଗଣା ଚିକିତ୍ସା ପାଇଁ ଆବଶ୍ୟକ ପଦେକ୍ଷପ ଗ୍ରହଣ କରାଯାଇଛି। ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ ଡିଜିଟାଲ କରିବା ପାଇଁ ୱେବ ପୋର୍ଟାଲ, ମୋବାଇଲ ଆପ୍ ଓ ଇଲେକଟ୍ରୋନିକ୍ ମେଡିକାଲ ରିପୋର୍ଟ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦା, ସୁନେତ୍ର କାର୍ଯ୍ୟକ୍ରମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅର୍ଚନା ପଟ୍ଟନାୟକ, ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକ, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ଏସ୍‌ କରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।