କଳିଙ୍ଗନଗର ମହୋତ୍ସବ ଉଦ୍‌ଘାଟିତ

ବିଜୁବାବୁଙ୍କ ସ୍ବପ୍ନ ସାକାର ହୋଇଛି: ନବୀନ

ଯାଜପୁର/ଦାନଗଦୀ : ଯାଜପୁର ଏକ ଆଗୁଆ ଜିଲ୍ଲା। ସବୁ କ୍ଷେତ୍ରରେ ‌ଜିଲ୍ଲା ଆଗରେ ରହିଛି। ଏଠାକାର ସଂସ୍କୃତି, ଐତିହ୍ୟ, ଜନଜାତି କଳା ମହାନ। ଜିଲ୍ଲାର ସୁନାମ ରହିଛି। ଜିଲ୍ଲା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା। କଳିଙ୍ଗନଗରରେ ଶିଳ୍ପକାରଖାନା ପ୍ରତିଷ୍ଠା ହୋଇଛି। ଏହା ଶିଳ୍ପ ପ୍ରତିଷ୍ଠାନର ହବ୍ ପାଲଟିଛି। ଯାହା ବିଜୁ ବାବୁଙ୍କର ସ୍ବପ୍ନ ଥିଲା, ତାହା କଳିଙ୍ଗନଗରରେ ସାକାର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗନଗର ମ‌ହୋତ୍ସବକୁ ଉଦଘାଟନ କରିବା ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜେଡି ସରକାର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବ ଦେଇଆସିଛି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୬ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ। ଗତକାଲି ତାଙ୍କ ବିଜେଡି ସରକାର ‌ଚାଷୀ ଓ ଚାଷର ବିକାଶ ପାଇଁ ‘କାଳିଆ’ ଯୋଜନା ଘୋଷଣା କରିଛନ୍ତି। କାଳିଆ ଯୋଜନା ଜରିଆରେ ନାମମାତ୍ର ଚାଷୀ, ଭାଗ ଚାଷୀ ଓ ଭୂମିହୀନ ଚାଷୀ ଉପକୃତ ହୋଇପାରିବେ।

ଉତ୍ସବର ମୁଖ୍ୟ ଆୟୋଜକ ସ୍ଥାନୀୟ ବିଧାୟକ ପ୍ରୀତିରଂଜନ ଘଡ଼ାଇ କହିଥିଲେ ଯେ ଏଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ୧୯୯୨ ମସିହାରେ ବିଜୁବାବୁ ସ୍ବପ୍ନ ଦେଖିଥିଲେ। ଏହି ୨୬ବର୍ଷ ମଧ୍ୟରେ ସ୍ଥାନୀୟ ଯୁବକମାନେ ତାକୁ ସଫଳ କରିଛନ୍ତି। ଉତ୍ସବରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶାସକ ଦଳ ମୁଖ୍ୟ ସଚେତନ ଅମରପ୍ରସାଦ ଶତପଥୀ, ବରୀ ବିଧାୟକ ଦେବାଶିଷ ନାୟକ, ବିଂଝାରପୁର ବିଧାୟିକା ପ୍ରମିଳା ମଲିକ, ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, କୋରେଇ ବିଧାୟକ ଆକାଶ ଦାସନାୟକ, ସାଂସଦ ରୀତା ତ‌ରେଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କଳିଙ୍ଗନଗର ମହୋତ୍ସବକୁ ଉଦଘାଟନ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯଖପୁରା ଛକଠାରେ ବିଜୁ ପଟ୍ଟନାୟକ ପାର୍କ ଉଦଘାଟନ କରିଥିଲେ। ଉଲ୍ଲେଖଥାଉ କି ଏହି ସ୍ଥାନରେ ପ୍ରବାଦ ପୁରୁ‌ଷ ବିଜୁ ପଟ୍ଟନାୟକ ଓ ବିଦେଶୀ ଶିଳ୍ପପତି ସ୍ବରାଜ ପାଲ ଏକ କଦମ୍ବଗଛ ଲଗାଇ କଳିଙ୍ଗନଗର ଇସ୍ପାତ ରାଜଧାନୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବି‌ରୋଧ କରି ଦାନଗଦି ବ୍ଲକ ଯୁବ କଂଗ୍ରେସ ପକ୍ଷରୁ ମିଲିଟାରୀ ଛକଠାରେ କଳାପତାକା ପ୍ରଦର୍ଶନ ବେଳେ ପୁଲିସ ୧୦୪ ଜଣଙ୍କୁ ଗିରଫ କରିଥିଲା। ପରେ ବ୍ୟକ୍ତିଗତ ମୁଚାଳିକାରେ ଛାଡ଼ି ଦେଇଥିବା ଜଣାଯାଇଛି। ସେହିପରି ସୁକିନ୍ଦାରେ ୧୭ଜଣ ବିଜେପି କର୍ମୀ ଓ ସଂଗଠକଙ୍କୁ ପୁଲିସ ଗିରଫ କରି ଛାଡ଼ି ଦେଇଥିବା ଜଣାଯାଇଛି।

ଆଜି ଏହି କାର୍ଯ୍ୟକ୍ରମ ବେଳେ ଯଖପୁରାଠାରେ ବିଧାୟକ ପ୍ରୀତିରଂଜନ ଘଡ଼ାଇ ଓ ପୂର୍ବତନ ଜିଲ୍ଲାପରିଷଦ ତଥା ବିଧାୟକଙ୍କ ବିରୋଧୀ ମହେନ୍ଦ୍ର ଧଳଙ୍କ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ମାରପିଟ ହୋଇଛି। ଏଥିରେ ଏକାଧିକ ଯୁବକ ଆହତ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର