କିସ୍‌ର ବଲାଙ୍ଗୀର ଶାଖା ଉଦ୍‌ଘାଟିତ : ଶିକ୍ଷାର ବିକାଶ ପାଇଁ ଏକତାର ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

ଲୋୟର ସୁକତେଲ ଓ ହାଇକୋର୍ଟ ବେଞ୍ଚ୍‌ କଥା ଉଠାଇଲେ ସାଂସଦ

ବଲାଙ୍ଗୀର : ବଲାଙ୍ଗୀର ଭଳି ପଛୁଆ ଅଂଚଳରେ ଶିକ୍ଷାର ବିକାଶ ନିହାତି ଦରକାର। କିସ୍‌ ବଲାଙ୍ଗୀର ଶାଖା ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବ। ଶିକ୍ଷା ଆଗକୁ ବଢ଼ିବାକୁ ଶକ୍ତି ଦେଇଥାଏ ବୋଲି ଆଜି ବଲାଙ୍ଗୀରଠାରେ କିସ୍ ଭୁବନେଶ୍ୱରର ବଲାଙ୍ଗୀର ଶାଖା ମୋତିଲାଲ୍ ଓସ୍ୱାଲ୍‌-କିସ୍ ଜନଜାତି ବିଦ୍ୟାଳୟର ଉଦ୍‌ଘାଟନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି। ରାଜ୍ୟରେ ୬୫୦୦ ହଷ୍ଟେଲରେ ଏବେ ୬ ଲକ୍ଷରୁ ଅଧିକ ପିଲା ପାଠ ପଢୁଛନ୍ତି। ଗୁଣାତ୍ମକ ଶିକ୍ଷାକୁ ଧ୍ୟାନ ଦିଆଯାଉଛି। ରାଜ୍ୟର ସବୁ ବ୍ଲକ୍‌ରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ୧୦୧ଟି ସ୍କୁଲକୁ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ କରାଯିବାର ପ୍ରକ୍ରିୟା ଚାଲିଛି। ଏବେ ସମୟ ଆସିଛି ଶିକ୍ଷାର ବିକାଶ ପାଇଁ ଏକତାର ସହ ଆଗକୁ ବଢ଼ିବାକୁ ହେବ। ଏଥିପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ୧୧ଟା ୪୫ମିରେ ହେଲିକପ୍ଟର ଯୋଗେ ବଲାଙ୍ଗୀର ପହଞ୍ଚିଥିଲେ। ପ୍ରଥମେ ସେ କିସ୍‌ ବଲାଙ୍ଗୀର ଶାଖାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ପରେ ବିଦ୍ୟାଳୟ ପରିସରକୁ ବୁଲି ଦେଖିଥିଲେ। ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ସେ ଯୋଗ ଦେଇଥିଲେ। କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓ ଓସ୍ୱାଲ୍ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୋତିଲାଲ୍ ଓସ୍ୱାଲଙ୍କୁ ସେ ନିଜ ବକ୍ତବ୍ୟରେ ଧନ୍ୟବାଦ ଜଣାଇଥିଲେ। ସମ୍ମାନିତ ଅତିଥି ଭାବରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିସନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ମୋତିଲାଲ୍ ଓସ୍ୱାଲ୍‌, ମୋତିଲାଲ୍ ଓସ୍ୱାଲ୍ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ସୁନୀତା ଅଗ୍ରୱାଲ୍‌, ମୋତିଲାଲ୍ ଓସ୍ୱାଲ୍ ଫାଇନାନ୍‌ସିଆଲ୍ ସର୍ଭିସେସ୍ ଗ୍ରୁପ୍‌ର ଅଧ୍ୟକ୍ଷ ରାମଦେଓ ଅଗ୍ରୱାଲ୍‌, ବିମଳା ଓସ୍ୱାଲ୍ ପ୍ରମୁଖ ଯୋଗ ଦେଇଥିଲେ।

ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସ୍ୱାଗତ ଭାଷଣ ଦେଇଥିବାବେଳେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୋତିଲାଲ୍ ଓସ୍ୱାଲ୍‌-କିସ୍ ସଂପର୍କରେ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ମନ୍ତ୍ରୀ ଶ୍ରୀମତୀ ସାହୁ ବଲାଙ୍ଗୀର ଜିଲ୍ଲାରେ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ କିସ୍‌ ଅନୁଷ୍ଠାନ ଏକ ନୂତନ ଦିଗ ସୃଷ୍ଟି କରିବ ବୋଲି କହିଥିଲେ। ସାଂସଦ ଶ୍ରୀମତୀ ସିଂହଦେଓ କହିଥିଲେ, ଜନଜାତି ପିଲାଙ୍କ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବଲାଙ୍ଗୀର ଜିଲ୍ଲାରେ ଲୋୟର ସୁକତେଲ କାମକୁ ଆଗକୁ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ଏହାସହ ବଲାଙ୍ଗୀରଠାରେ ହାଇକୋର୍ଟବେଞ୍ଚର ପୁନଃସ୍ଥାପନ ଦାବି ରଖିଥିଲେ। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସହ ସୋନପୁର ଜିଲ୍ଲାର ରିଂରୋଡର ଜମିଅଧିଗ୍ରହଣ କାମ ତ୍ୱରାନ୍ୱିତ କରିବାକୁ ମଧ୍ୟ ସେ ଦାବି କରିଥିଲେ। ବିଧାୟକ ନରସିଂହ ମିଶ୍ର ଶିକ୍ଷା ମାଧ୍ୟମରେ ଜନଜାତି ସଂପ୍ରଦାୟର ବିକାଶ ପାଇଁ ଅଚ୍ୟୁତ ସାମନ୍ତ ଯେଉଁ ପ୍ରୟାସ ଚଳାଇଛନ୍ତି ତାହା ପ୍ରଶଂସନୀୟ ବୋଲି କହିଥିଲେ।

ମୋତିଲାଲ୍ ଓସ୍ୱାଲ୍ କହିଲେ, ଶିକ୍ଷା ମାଧ୍ୟମରେ ସମାଜରେ ଅନେକ ପରିବର୍ତନ ହୋଇଥାଏ। ଏହି କିସ୍ କ୍ୟାମ୍ପସ୍ ମୋତେ ବିମୋହିତ କରିଛି। ମୋତିଲାଲ୍ ଓସ୍ୱାଲ୍ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ସୁନୀତା ଅଗ୍ରୱାଲ୍ କହିଥିଲେ, ଶିକ୍ଷା କ୍ଷେତ୍ରରେ ମୋତିଲାଲ୍ ଓସ୍ୱାଲ୍ ଫାଉଣ୍ଡେସନ୍ କାର୍ଯ୍ୟ କରିଆସୁଛି। ମୋତିଲାଲ୍ ଓସ୍ୱାଲ୍ କିସ୍ ହେଉଛି ଆମର ଏକ ବଡ଼ ପ୍ରକଳ୍ପ। ଏଠାରୁ ହଜାର ହଜାର ଜନଜାତି ଶିକ୍ଷାଗ୍ରହଣ କରି ଉତ୍ତୀର୍ଣ୍ଣ ହେଲେ ଆମର ଶ୍ରମ ସାର୍ଥକ ହେବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଆଦିବାସୀ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଅତିଥିଙ୍କୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଆଦିବାସୀମାନେ ପାରମ୍ପରିକ ଲୋକନୃତ୍ୟ, ବାଦ୍ୟ ବଜାଇ ଅତିଥିଙ୍କୁ ସ୍ୱାଗତ କରିଥିଲେ।

ସୂଚନାଯୋଗ୍ୟ ଯେ, ମୋତିଲାଲ ଓସ୍ୱାଲ ଗ୍ରୁପ୍‌ର ଆର୍ଥିକ ସହାୟତା ଏବଂ କିସ୍‌ର ସହଭାଗିତାରେ କିସ୍‌ ଜମିରେ ନିର୍ମିତ ହୋଇଥିବା ଆବାସିକ ବିଦ୍ୟାଳୟ ନିଶୁଳ୍କ ଭାବରେ ପରିଚାଳିତ ହେବ। ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ୧୫୦୦ ଗରିବ ଜନଜାତିର ଛାତ୍ରଛାତ୍ରୀ ପାଠ ପଢ଼ିବେ। ପରେ କିସ୍‌ ବିଶ୍ୱବିଦ୍ୟାଳୟରେ ପଢ଼ିବେ ବୋଲି ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର