ଆନନ୍ଦପୁର : ୨୦୦୯ରେ ଆନନ୍ଦପୁର ବ୍ୟାରେଜ୍ ଶିଳାନ୍ୟାସ କରିବାକୁ ଆସିଥିଲି। ଆଜି ସେହି ବ୍ୟାରେଜ୍ ଉଦ୍ଘାଟନ କରି ମୋତେ ବହୁତ ଖୁସି ଲାଗୁଛି। ଏମିତି ସୂଚାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କହିଛନ୍ତି, ମୋ ସରକାର କଥାରେ ନୁହେଁ, କାମରେ ବିଶ୍ବାସ କରେ।
ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ବ୍ୟାରେଜ୍ ଦ୍ବାରା କେନ୍ଦୁଝର ଜିଲ୍ଲା ସମେତ ପଡ଼ୋଶୀ ବାଲେଶ୍ବର ଜିଲ୍ଲାର ୬୦ହଜାର ହେକ୍ଟର ଜମିରେ ଜଳସେଚନ ହୋଇପାରିବ। କୃଷି, ବିକାଶ ତଥା କଲ୍ୟାଣକାରୀ ଯୋଜନା ସବୁକ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ଲୋକମାନଙ୍କ ଆଶୀର୍ବାଦ ଦ୍ବାରା ମୋ ସରକାର ଅଧିକ ଶକ୍ତିଶାଳୀ ହେବା ସହ ଆଗକୁ ବଢ଼ିଛି। ଓଡ଼ିଶାର ବିକାଶ ଜାରି ରଖିବା ପାଇଁ ଆପଣମାନଙ୍କ ସହଯୋଗ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦପୁର ଷ୍ଟାଡିୟମରେ ଆୟୋଜିତ ଜନସଭାରେ ମତବ୍ୟକ୍ତ କରିଥିଲେ।
ବୈତରଣୀ ନଦୀ ଉପରେ ୪୯୦ ମିଟର ଦୈର୍ଘ୍ୟବିଶିଷ୍ଟ ଏହି ବ୍ୟାରେଜ ନିର୍ମାଣରେ ୪୭୫ କୋଟି ଟଙ୍କା ବ୍ୟୟ ହୋଇଛି। ଏହାର ଜଳଧାରଣ କ୍ଷମତା ରହିଛି ୩୫୦ ଲକ୍ଷ ଘନମିଟର। କେନାଲ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଏହି ପ୍ରକଳ୍ପ ଦ୍ବାରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡିହି ଓ ଘସିପୁରା ବ୍ଲକ୍ ଏବଂ ପଡ଼ୋଶୀ ବାଲେଶ୍ବର ଜିଲ୍ଲାର ଖଇରା, ଓୗପଦା, ନୀଳଗିରି, ବାହାନଗା, ବାଲେଶ୍ବର, ରେମୁଣା ଓ ସୋର ବ୍ଲକ୍ର ମୋଟ ୬୦ହଜାର ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ।
ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କ ସଂଯୋଜନାରେ ପରିଚାଳିତ ଏହି ସଭାରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଦର ବିଧାୟକ ମୋହନ ମାଝୀ, ପାଟଣା ବିଧାୟକ ଜଗନ୍ନାଥ ନାଏକ, ଚମ୍ପୁଆ ବିଧାୟିକା ମୀନାକ୍ଷି ମହାନ୍ତ, କୋରେଇ ବିଧାୟକ ଅଶୋକ ବଳ, କେନ୍ଦୁଝର ଜିଲ୍ଲାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ଯୋଗ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ଦିନ ୧୧ଟା ୫୦ ମିନିଟରେ ବିଏନ୍ ହାଇସ୍କୁଲ ପଡ଼ିଆରେ ଓହ୍ଲାଇଥିଲେ। ଏହାପରେ କାର୍ ଯୋଗେ ଯାଇ ବ୍ୟାରେଜ୍ ଉଦ୍ଘାଟନ କରିଥିଲେ। ସେଠାରୁ ବିଏନ୍ ହାଇସ୍କୁଲକୁ ଯାଇ ପ୍ଲାଟିନମ ଜୁବୁଲି ଉଦ୍ଘାଟନ ଉତ୍ସବରେ ଯୋଗଦେଇଥିଲେ। ସେଠାରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ଷ୍ଟାଡିୟମରେ ପହଞ୍ଚିଥିଲେ। ପ୍ରାରମ୍ଭରେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ତେଲକୋଇ, ପାଟଣା, ହରିଚନ୍ଦନପୁର ଓ ଘଟଗାଁ ବ୍ଲକରେ ୧୩୧୭.୬୬ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ, ସାହାରପଡ଼ା, ଘସିପୁରା, ଆନନ୍ଦପୁର ଓ ହାଟଡିହି ବ୍ଲକରେ ୮୨୦କୋଟି ଟଙ୍କା ବ୍ୟୟରେ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ। କେତେକ ଭୂମିହୀନକୁ ପଟ୍ଟା ବଣ୍ଟନ କରିଥିଲେ।
ଏଥିରେ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ବାଳ, ଯୁବବିଜେଡି ସଭାପତି ସୌମ୍ୟଶଙ୍କର ଚକ୍ର, ଦଳୀୟ ନେତା ଶାନ୍ତନୁ ସେଠୀ, ସୁଶୀଲ ହୋତା, ଦେବାଶିଷ ପାତ୍ର, ବଳରାମ ସାହୁ, ମନ୍ମଥ ରାଉତ, ବାମଦେବ ପଣ୍ତା, ସୁଜିତ ସେଠୀ, ଶଶାଙ୍କ ଶେଖର ପୁହାଣ, ପ୍ରଶାନ୍ତ ରାଉତ, ସତ୍ୟବ୍ରତ ରାମ, ପ୍ରଦୀପ ମଲିକ, ଜିତେନ୍ଦ୍ର ସାମଲ, ସୁବ୍ରତ ସାମଲ, ବିଶ୍ବଭୂଷଣ ମଲିକ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡିଆଇଜି କବିତା ଜଲାନ୍, କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଏସ୍ପି ମିତ୍ରଭାନୁ ମହାପାତ୍ର ପ୍ରଭୃତି ସଭାସ୍ଥଳ ଓ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/andandpur-bridge.jpg)