ରାଜଧାନୀରେ ସରକାରୀ ଜମିକୁ ସୁରକ୍ଷା ଦେବ ‘ବ୍ଲୁଇସ୍‌’

ଟେକ୍ନୋଲୋଜି ମାଧ୍ୟମରେ ସ୍ମାର୍ଟ କାମ ପାଇଁ ସରକାରୀ ପ୍ରୟାସ
୮ଟି ଟେକ୍ନୋଲୋଜି ଭିତ୍ତିକ ସଲ୍ୟୁସନ୍‌ର ଆରମ୍ଭ
ଅକ୍ଟୋବର ୨ ସୁଦ୍ଧା ସବୁ ସେବା ଅନ୍‌ଲାଇନ୍‌ରେ ଦିଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜଧାନୀରେ ଥିବା ମୂଲ୍ୟବାନ ସରକାରୀ ଜମିକୁ ସୁରକ୍ଷା ଦେବା ପାଇଁ ଟେକ୍ନୋଲୋଜିର ସହାୟତା ନେଇଛନ୍ତି ସରକାର। ଏଣିକି ସରକାରୀ ଜମିରେ ସାମାନ୍ୟ ଜବରଦଖଲ ହେଲେ, ସଙ୍ଗେ ସଙ୍ଗେ ସାଧାରଣ ପ୍ରଶାସନ ବିଭାଗ ନିକଟରେ ସୂଚନା ପହଞ୍ଚିଯିବ। ଟେକ୍ନୋଲୋଜିକୁ ପ୍ରୟୋଗ କରି ଏମିତି ଅଭିନବ ବ୍ୟବସ୍ଥା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହାର ନାମ ରହିଛି ଭୁବ‌ନେଶ୍ବର ଲ୍ୟାଣ୍ଡ୍‌ ୟୁଜ୍ ଇଣ୍ଟେଲିଜେନ୍‌ସ୍‌ ସିଷ୍ଟମ୍‌ (ବ୍ଲୁଇସ୍‌)।

ସରକାରୀ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ ଲୋକାଭିମୁଖୀ କରିବା ପାଇଁ ଉଭୟ କର୍ମଚାରୀ ଓ ସାଧାରଣ ନାଗରିକଙ୍କ ପାଇଁ ବିଭିନ୍ନ ‌ଟେକ୍ନୋଲୋଜି ଭିତ୍ତିକ ବ୍ୟବସ୍ଥା ଲାଗୁ କରାଯାଇଛି। ରାଜ୍ୟ ବାହାରେ ଭବନ ସଂରକ୍ଷଣ ଠାରୁ ଆରମ୍ଭ କରି ଲୋକସେବା ଭବନକୁ ପ୍ରବେଶ ପର୍ଯ୍ୟନ୍ତ, ପୁଣି କୋର୍ଟରେ ମାମଲାର ତଦାରଖ କରିବା କାର୍ଯ୍ୟ, ଏସବୁ ପାଇଁ ସ୍ବତନ୍ତ୍ର ଆପ୍ ପ୍ରସ୍ତୁତ କରାଯାଇଛି।

ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଏହି ୮ଟି ଟେକ୍ନୋଲୋଜି ଭିତ୍ତିକ ସଲ୍ୟୁସନ୍‌ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଶାସନର ଗୁଣାତ୍ମକ ଉନ୍ନତି ଓ ଜନସେବାକୁ ସହଜ କରିବା କ୍ଷେତ୍ରରେ ୫-ଟି ମଡେଲ୍‌ ଓ ମୋ ସରକାର ବେଶ୍‌ ଫଳପ୍ରଦ ହୋଇଛି। ଭୁବନେଶ୍ବରରେ ସରକାରୀ ଜମିକୁ ସୁରକ୍ଷିତ ରଖିବା ପାଇଁ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରିବାକୁ ଯାଉଛି। ଅନ୍‌ଲାଇନ୍ ମାଧ୍ୟମରେ ନାଗରିକମାନଙ୍କୁ ବିଭିନ୍ନ ସେବା ଠିକ୍ ସମୟରେ ‌େଯାଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏହା ଫଳରେ ନାଗରିକମାନେ ଅଯଥାରେ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବେ ନାହିଁ।

ସମସ୍ତ ଜନ ସେବାକୁ ଅନ୍‌ଲାଇନ୍ ମାଧ୍ୟମରେ ପ୍ରଦାନ କରିବାକୁ ବିଭାଗଗୁଡ଼ିକୁ ୨୦୨୦ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ତେବେ କୋଭିଡ୍‌ ପାଇଁ ଏହି ସମୟସୀମାକୁ ଅକ୍ଟୋବର ୨ ପର୍ଯ୍ୟନ୍ତ ବଢ଼ାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ୫-ଟି ବ୍ୟବସ୍ଥାରେ ପ୍ରଶାସନିକ କାର୍ଯ୍ୟ ଚାଲିବା କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ମଡେଲ୍‌ ରାଜ୍ୟ। ୧୦୫ ପ୍ରକାର ସେବା ଏବେ ଅନ୍‌ଲାଇନ୍ ମାଧ୍ୟମରେ ପ୍ରଦାନ କରାଯାଉଛି। ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ନୂଆ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିସନର୍‌, ୫-ଟି ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ରାଜଧାନୀରେ ସରକାରୀ ଜମିକୁ ସୁରକ୍ଷା ଦେବା ପାଇଁ ଏକ ନୂ୍ଆ ବ୍ୟବସ୍ଥା ‘ବ୍ଲୁଇସ୍‌’( ଭୁବ‌ନେଶ୍ବର ଲ୍ୟାଣ୍ଡ୍‌ ୟୁଜ୍ ଇଣ୍ଟେଲିଜେନ୍‌ସ୍‌ ସିଷ୍ଟମ୍‌) ଆରମ୍ଭ କରାଯାଇଛି। ସାଟେଲାଇଟ୍‌ ମାଧ୍ୟମରେ ସରକାରୀ ଜମି ସବୁବେଳେ ନଜରରେ ରହିବ। ଏହି ଜମିର ଭୌଗଳିକ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହେଲେ ତାହା ସଙ୍ଗେ ସଙ୍ଗେ ସାଧାରଣ ପ୍ରଶାସନ ବିଭାଗକୁ ସୂଚନା ଯିବ। ଏଥିପାଇଁ ଏକ ମୋବାଇଲ୍‌ ଆପ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି। ସାଧାରଣ ନାଗରିକ ଏହି ଆପ୍‌କୁ ବ୍ୟବହାର କରି ସରକାରୀ ଜମିରେ କୌଣସି ବେଆଇନ୍‌ ନିର୍ମାଣ ହେଉଥିଲେ, ସେ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇପାରିବେ।

ଇ-ପ୍ରବେଶ ନାମରେ ପ୍ରସ୍ତୁତ ହୋଇଥିବା ଏହି ଆପ୍ ମାଧ୍ୟମରେ ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନକୁ ପ୍ରବେଶ ପାଇଁ ପାସ୍‌ ମିଳିପାରିବ। ଏଥିରେ ଥିବା କୋଡ୍‌ ବ୍ୟବସ୍ଥାକୁ ଦେଇ ପ୍ରବେଶ ଫାଟକ ସମ୍ମୁଖରେ ପୁଲିସ୍‌କୁ ଯାଞ୍ଚ୍ କରିବା ସୁବିଧା ହେବ। ସେହିପରି ଇ-ଭବନ ନାମରେ ଆରମ୍ଭ ହୋଇଥିବା ଅନ୍‌ଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ ଜନ ପ୍ରତିନିଧି, ସରକାରୀ ଅଧିକାରୀ ଓ ନାଗରିକମାନେ ଅନ୍ୟ ରାଜ୍ୟରେ ଥିବା ରାଜ୍ୟ ସରକାରଙ୍କ ଭବନଗୁଡ଼ିକରେ ରୁମ୍‌ ସଂରକ୍ଷଣ କରିପାରିବେ। ଅନ୍‌ଲାଇନ୍‌ ସଂରକ୍ଷଣ, ସଂରକ୍ଷଣ ସ୍ଥିତିର ଟ୍ରାକିଂ ଓ ବିଲ୍‌ ପଇଠ ଆଦି ସେବା ଏହି ବ୍ୟବସ୍ଥାରେ ମିଳିବ। ରାଜ୍ୟ ଅତିଥି ଭବନକୁ ପରିଚାଳନା କରିବା ପାଇଁ ଇ-ଅତିଥି ନାମରେ ଏକ ଅନ୍‌ଲାଇନ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି।

ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଏଚ୍‌ଆର୍‌ଏମ୍‌ଏସ୍‌ ୨.୦ ନାମରେ ଏକ ଆପ୍‌ ପ୍ରସ୍ତୁତ କରାଯାଇଛି, ଯାହା ମାଧ୍ୟମରେ ସେମାନେ ନିଜର ଚାକିରି ସଂକ୍ରାନ୍ତୀୟ ସମସ୍ତ ପ୍ରକାର କାମ କରିପାରିବେ। ଅନ୍‌ଲାଇନ୍‌ ଛୁଟି ଆବେଦନ, ଅନ୍‌ଲାଇନ୍ ଲୋନ୍ ଓ ଆଡ୍‌ଭାନ୍‌ସ୍‌ ଆବେଦନ, ଇ-ସର୍ଭିସ୍‌ ବୁକ୍ ଆଦି ଏହା ମାଧ୍ୟମରେ ହେବ। ସେହିପରି ଏଚ୍‌ଆର୍‌ଏମ୍‌ଏସ୍‌ ମୋବାଇଲ୍‌ ଆପ୍‌ ମାଧ୍ୟମରେ କର୍ମଚାରୀ ଛୁଟି ଦରଖାସ୍ତ ଦେବା ସହ ପେ ସ୍ଲିପ୍‌ ପାଇପାରିବେ।

ଲିଟିଗେସନ୍‌ ମ୍ୟାନେଜ୍‌ମେଣ୍ଟ୍‌ ସି‌ଷ୍ଟମ୍‌(ଏଲ୍‌ଏମ୍‌ଏସ୍‌ ୨.୦) ନାମରେ ପ୍ରସ୍ତୁତ କରାଯାଇଥିବା ଅନ୍‌ଲାଇନ୍‌ ଆପ୍ଲିକେସନ୍‌ରେ ସରକାରଙ୍କ ସମସ୍ତ ଆଇନଗତ ମାମଲାର ତଦାରଖ କରାଯିବ। ମାମଲାର ବିଭିନ୍ନ ସ୍ତରରେ ସରକାରୀ ଅଧିକାରୀ ଓ ଆଇନଜୀବୀଙ୍କ ମଧ୍ୟରେ ଏହି ବ୍ୟବସ୍ଥାରେ ଯୋଗସୂତ୍ର ରକ୍ଷା ହେବ। ଓଆର୍‌ଟିପିଏସ୍‌ ଅନ୍‌ଲାଇନ୍‌ ମଡ୍ୟୁଲ୍‌ ମାଧ୍ୟମରେ ବିଭିନ୍ନ ଜନସେବା ଠିକ୍ ଭାବେ ପ୍ରଦାନ କରାଯାଇଛି କି ନାହିଁ, ତାହାର ତଦାରଖ କରାଯିବ। ସେଣ୍ଟ୍ରାଲ୍‌ ମନିଟରିଂ ସିଷ୍ଟମ୍‌ ଅଧୀନରେ ପ୍ରସ୍ତୁତ ହୋଇଥିବା ଡାସ୍‌ବୋର୍ଡରେ ୧୦୫ ଅନ୍‌ଲାଇନ୍ ସେବାର ତଥ୍ୟ ରହିବ। ସରକାରୀ ସେବା ବିଳମ୍ବ ନେଇ ଲୋକଙ୍କ ଅଭିଯୋଗର ସମାଧାନ ପାଇଁ ଏହା କାମ କରିବ।

ସମ୍ବନ୍ଧିତ ଖବର