ଆରମ୍ଭ ହେଲା ‘କାଳିଆ’

ପ୍ରଥମ ପର୍ଯ୍ୟାୟରେ ୨୧.୪୦ ଲକ୍ଷ ଚାଷୀ ହିତାଧିକାରୀ ତାଲିକା, ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଯିବ ଅର୍ଥ ରାଶି

ଭୁବନେଶ୍ବର : ନୂଆବର୍ଷ ୨୦୧୯ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ’ ଯୋଜନାରେ ଚାଷୀମାନଙ୍କୁ ସବୁଠାରୁ ବଡ଼ ଭେଟି ଦେଇଛନ୍ତି। ଗତ ୨୧ ତାରିଖରେ ସେ ଏହି ଯୋଜନା ଘୋଷଣା କରିଥିଲେ। ଏହାର ଠିକ୍‌ ୧୦ ଦିନରେ ଆଜି ସେ ଯୋଜନାକୁ ଉଦ୍‌ଘାଟନ କରିଛନ୍ତି। ଏହା ସହିତ ‘କାଳିଆ’ର ଲୋଗୋ ଓ ଏହି ଯୋଜନା ସଂପର୍କିତ ପୋର୍ଟାଲ୍‌କୁ ବି ଉନ୍ମୋଚିତ କରିଛନ୍ତି। ଗତ ଶନିବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ଯୋଜନା ପାଇଁ ଅର୍ଥ ମଞ୍ଜୁରି ହୋଇଥିଲା। ଏହି ଯୋଜନାରେ ପ୍ରାୟ ୨୧.୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ହିତାଧିକାରୀ ତାଲିକା ମଧ୍ୟ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ସେମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯିବ। ତେବେ ଏହି ଯୋଜନାରେ ଯୋଗ୍ୟ ଚାଷୀ ଚିହ୍ନଟ ବେଳେ ଯେପରି ପ୍ରକୃତ ଓ ଯୋଗ୍ୟ ଚାଷୀ ବାଦ୍‌ ନ ପଡ଼ନ୍ତି, ସେଥିପ୍ରତି ନଜର ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଗିଦ୍‌ କରିଦେଇଛନ୍ତି।

ଆଜି ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘କାଳିଆ’ ଯୋଜନାକୁ ଉଦ୍‌ଘାଟନ କରିଥିଲେ। ଏହାକୁ ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ସବୁଠାରୁ ବଡ଼ ଯୋଜନା ଅଭିହିତ କରି ଏଥିପାଇଁ ସେ ଖୁସି ବୋଲି କହିଥିଲେ। ଏହି ଯୋଜନାରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହେବେ। ଏଥିରେ ଉଭୟ ଋଣୀ ଓ ଅଣଋଣୀ ସବୁ ଚାଷୀ ସାହାଯ୍ୟ ପାଇବେ। ଏହାଛଡ଼ା ଚାଷୀଙ୍କୁ ବିନା ସୁଧରେ ୫୦ ହଜାର ଟଙ୍କା

ପର୍ଯ୍ୟନ୍ତ ଋଣ ଦିଆଯିବ। ବୀମା ସୁବିଧା ବି ଉପଲବ୍ଧ ହେବ। ଚାଷୀମାନେ ୫ଟି ଫସଲ ଋତୁ ପାଇଁ ୫ ହଜାର ହିସାବରେ ୨୫ ହଜାର ଟଙ୍କାର ସହାୟତା ପାଇବେ। ଏହି ସୁବିଧାରୁ ଜଣେ ବି ଯୋଗ୍ୟ ଚାଷୀ ଯେପରି ବଞ୍ଚିତ ନ ହେବ ସେ ନେଇ ମୁଖ୍ୟମନ୍ତ୍ରୀ କୃଷି, ସମବାୟ ଓ ପଞ୍ଚାୟତିରାଜ ବିଭାଗକୁ ନିର୍ଦେଶ ଦେଇଥିଲେ। ଯୋଜନାକୁ ମିସନ ଭାବେ କାର୍ଯ୍ୟକାରୀ କରିବାକୁ ବି ସେ କହିଥିଲେ।

‘‘ଚାଷୀଙ୍କ ସହିତ ମୁଁ ସବୁବେଳେ ରହିଛି, ସେମାନଙ୍କ ପାଇଁ କାମ କରୁଛି ଓ କରିଚାଲିବି,’’ ଏଭଳି କହିବା ସହିତ ନୂଆବର୍ଷ ପାଇଁ ସମସ୍ତଙ୍କର ସେ ଶୁଭକାମନା କରିଥିଲେ। ଏହି ଅବସରରେ ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ, ଚାଷୀଙ୍କ ବ୍ୟତୀତ ଭୂମିହୀନମାନଙ୍କୁ ୧୨୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ। ସମଗ୍ର ଭାରତବର୍ଷରେ ଏଭଳି ଯୋଜନା ଅନ୍ୟ କେଉଁଠି ହୋଇନଥିବା ସେ କହିଥିଲେ।

ସୂଚନାନୁସାରେ ୨୦୧୮-୧୯ରୁ ୨୦୨୧-୨୨ ପର୍ଯ୍ୟନ୍ତ ୫ଟି ଫସଲ ପାଇଁ ଏହି ଯୋଜନା ଲାଗୁ ହେବ। ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୩୨.୪୬ ଲକ୍ଷ ଚାଷୀଙ୍କ ମଧ୍ୟରୁ ୩୦.୧୭୬ ଲକ୍ଷ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ସେହିପରି ୨୪.୨୦ ଲକ୍ଷ ହେଉଛନ୍ତି କୃଷି ଶ୍ରମିକ। ଏହି ଯୋଜନା‌ରେ ପ୍ରଥମ ପର୍ଯ୍ୟାୟରେ ୨୧.୪୦ ଲକ୍ଷ ଚାଷୀଙ୍କ ତାଲିକା ସବୁ ଜିଲ୍ଲାକୁ ପଠାଯାଇଛି। ଆସନ୍ତା ୧୫ ତାରିଖରେ ଗ୍ରାମ ପଞ୍ଚାୟତ ସ୍ତରରେ ସେହି ତାଲିକା ଚୂଡ଼ାନ୍ତ କରାଯିବ। ଚାଷୀଙ୍କ ତଥ୍ୟ ତାଲିକାରେ କିଛି ଆପତ୍ତି ଥିଲେ ତାହା ଜାନୁଆରି ୨ରୁ ୧୦ ତାରିଖ ମଧ୍ୟରେ ଯାଞ୍ଚ ହୋଇ ଆବଶ୍ୟକ ପରିବର୍ତନ କରାଯିବ। ସେହି ତାଲିକା ଚୂଡ଼ାନ୍ତ ହେବା ପରେ ଜାନୁଆରି ୨୫ ତାରିଖ ସୁଦ୍ଧା ସମସ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ରାଶି ପଠାଯିବ। ଦ୍ବିତୀୟ ପର୍ଯ୍ୟାୟ ତାଲିକାର ସଂଶୋଧନ ଜାନୁଆରି ୨୦ରୁ ୩୦ ତାରିଖ ସୁଦ୍ଧା ସଂପୂର୍ଣ୍ଣ ହେବ। ଫେବ୍ରୁଆରି ୧୫ ତାରିଖ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟରେ ଚୂଡ଼ାନ୍ତ ତାଲିକା ଅନୁଯାୟୀ ଚାଷୀମାନଙ୍କୁ ଅର୍ଥ ରାଶି ମିଳିବ। ଯଦି ଏହା ବାହାରେ କେହି ଯୋଗ୍ୟ ଚାଷୀ ରହିଥାନ୍ତି, ସେମାନଙ୍କୁ ୩ୟ ପର୍ଯ୍ୟାୟରେ ସାମିଲ କରାଯିବ। କାଳିଆ ଯୋଜନା ଅଧୀନ‌େର ଥିବା ସମସ୍ତ ହିତାଧିକାରୀଙ୍କ ନାମ ‘ପିଠା’‌ରେ ବିଜ୍ଞପ୍ତି ଭାବେ ୨ଟି ପର୍ଯ୍ୟାୟରେ ପ୍ରକାଶ ପାଇବ। ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଉଦ୍‌ଘାଟନ କରିବା ପୂର୍ବରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାଳିଆ ଯୋଜନାର ନିୟମାବଳୀ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି।

ଜିଲ୍ଲାପାଳମାନଙ୍କ ସହିତ ହୋଇଥିବା ଭିଡିଓ କନ୍‌ଫରେନ୍ସିଂକୁ ପରିଚାଳନା କରିଥିଲେ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ। ଏହି ଉତ୍ସବରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ, ଉନ୍ନୟନ କମିସନର ଅସିତ ତ୍ରିପାଠୀ ଓ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର