ଯୋଗ୍ୟତା କାର୍ଡ଼ ଅଧିକାରପତ୍ର ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୨୦ ଲକ୍ଷ ପରିବାରକୁ ମିଳିବ ପକ୍କାଘର

କ୍ଷମତା ହସ୍ତାନ୍ତର ନେଇ ୪ ବିଭାଗ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ
ମାର୍ଚ୍ଚ ୫ରେ ଏଣିକି ଲୋକସେବା ଦିବସ ବି ପାଳନ ହେବ

ଭୁବନେଶ୍ବର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସାଧାରଣ ଲୋକର ଅଧିକାରକୁ ସବୁବେଳେ ଗୁରୁତ୍ବ ଦେଇଆସୁଥିଲେ। ରାଜ୍ୟର ସମସ୍ତ ନାଗରିକଙ୍କ ମୁଣ୍ଡ ଉପରେ ଛାତଟିଏ ଦେଖିବାକୁ ବିଜୁ ବାବୁ ସ୍ବପ୍ନ ଦେଖିଥିଲେ। ତାଙ୍କରି ସ୍ବପ୍ନ ରାଜ୍ୟ ସରକାର ପୂରଣ କରିବାକୁ ଅହରହ ଉଦ୍ୟମ ଜାରି ରଖିଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ତାଙ୍କ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଗଣତନ୍ତ୍ରରେ ଲୋକ ହିଁ ଶ୍ରେଷ୍ଠ। ସାଧାରଣ ଲୋକ ହିଁ ମାଲିକ। ଆଜି ଲୋକସେବା ଭବନରେ ପଞ୍ଚାୟତିରାଜ ଦିବସ ସମାରୋହ ପାଳନ ଅବସରରେ ଏହି କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳର ୨୦ ଲକ୍ଷ ପରିବାରକୁ ପକ୍କାଘର ଯୋଗ୍ୟତା କାର୍ଡ଼ ଅଧିକାର ପତ୍ର ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହାସହିତ ଅନ୍‌ଲାଇନ୍‌ କେସ୍‌ ରେକର୍ଡ଼ ପରିଚାଳନା ଏବଂ ଆମ ଘର ମୋବାଇଲ ଆପ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି। ସେହିପରି ଏଣିକି ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ସହିତ ଲୋକସେବା ଦିବସ ଭାବେ ବି ପାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରାଥମିକତା ଆଧାରରେ ରାଜ୍ୟକୁ କଚ୍ଚାଘର ମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏ ପର୍ଯ୍ୟନ୍ତ ୨୫ ଲକ୍ଷ ହିତାଧିକାରୀମାନଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି। ଆଗାମୀ ୪ ବର୍ଷ ଭିତରେ ଆଉ ୨୦ ଲକ୍ଷ ପକ୍କାଘର ଯୋଗାଇ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ବିଜୁ ବାବୁଙ୍କ ୧୦୪ ତମ ଜୟନ୍ତୀ ଉପଲକ୍ଷେ ସେସବୁ ହିତାଧିକାରୀମାନଙ୍କ ପାଇଁ ପକ୍କା ଘର ଯୋଗ୍ୟତା କାର୍ଡ଼୍‌ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଉପସ୍ଥିତ ଥିବା ୯ ଜଣ ହିତାଧିକାରୀଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ଼୍‌ ଅଧିକାର ପତ୍ର ବଣ୍ଟନ କରିଥିଲେ। ସେ କହିଥିଲେ, ତାଙ୍କ ସରକାର କାମରେ ବିଶ୍ବାସ କରନ୍ତି। ଠିକ୍‌ ସମୟରେ ଘର ତିଆରି କରି ଗରିବଙ୍କୁ ଯୋଗାଇଦେବାରେ ସମସ୍ତେ ସହଯୋଗ କରିବା ଦରକାର ବୋଲି ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟଶାସନ ସଚିବ ଓ ଅନ୍ୟ ପଦାଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସ୍ବାଗତ ଅଭିଭାଷଣ ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପଞ୍ଚାୟତକୁ କ୍ଷମତା ହସ୍ତାନ୍ତର ନେଇ ସରକାରଙ୍କ ବିଭିନ୍ନ କାର୍ଯ୍ୟପନ୍ଥା ସମ୍ପର୍କରେ କହିଥିଲେ। ଅନ୍‌ଲାଇନ୍‌ କେସ୍‌ ରେକର୍ଡ଼ ମାଧ୍ୟମରେ ହିତାଧିକାରୀମାନେ ବ୍ୟକ୍ତିଗତ ଭାବରେ ଗ୍ରାମୀଣ ବାସଗୃହ ଯୋଗାଣ ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ। ଏହାସହ ଆମ ଘର ମୋବାଇଲ ଆପ୍‌ ମାଧ୍ୟମରେ ଗୃହ ନିର୍ମାଣ ନିମନ୍ତେ ଥିବା ବିଭିନ୍ନ କିସ୍ତିଗୁଡ଼ିକର ପ୍ରକ୍ରିୟା ଏବଂ ଫଟୋ ଅପ୍‌ଲୋଡ଼୍‌ କରାଯାଇପାରିବ। ଉତ୍ସବରେ ଯୋଗଦେଇଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ସରକାରଙ୍କ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଗୁରୁତ୍ବ ଦେଇଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ନିମନ୍ତେ ରାଜ୍ୟ ସରକାର ୪ଟି ବିଭାଗ ଯଥା ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ମହିଳା ଓ ଶିଶୁ ବିକାଶ ଅଧୀନରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ, ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଣୀ ଚିକିତ୍ସାଳୟ, ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଏଣିକି ତ୍ରି-ସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଦ୍ବାରା କରାଯିବ। ଏଥିପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଏହି ସମାରୋହରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଗ୍ରାମୀଣ ବାସଗୃହ ଯୋଜନାରେ ରାଜ୍ୟରେ ଉପକୃତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କ ୨୧ଟି ଅନନ୍ୟ ସଫଳ କାହାଣୀକୁ ନେଇ ସଂକଳନ ହୋଇଥିବା ଗୋଟିଏ କଫି ଟେବୁଲ୍‌ ବହି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର