ଜନଜାତିଙ୍କ କଳା ସଂସ୍କୃତିର ସଂରକ୍ଷଣ ଓ ବିକାଶ ପାଇଁ ନୂତନ ଅଧ୍ୟାୟ

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ

୯ ଜିଲ୍ଲା ପାଇଁ ବର୍ଷକୁ ୧୭୫.୫୦ କୋଟି
ପ୍ରତି ବ୍ଲକ୍‌ ପିଛା ଦିଆଯିବ ଦେଢ଼ କୋଟି ଟଙ୍କା
ଜିଲ୍ଲା ମୁଖ୍ୟାଳୟରେ ହେବ ଆଦିବାସୀ ସଂଗ୍ରହାଳୟ

ଭୁବନେଶ୍ୱର : ଜନଜାତି ଅଧ୍ୟୁଷିତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଭଳି ୯ଟି ଜିଲ୍ଲା ପାଇଁ ଗଠିତ ହୋଇଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦ। ଉତ୍କଳ ମଣ୍ଡପରେ ଆଜି ଆୟୋଜିତ ଏକ ଚିତ୍ତାକର୍ଷକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ୯ଟି ଜିଲ୍ଲା ପାଇଁ ଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଲାଗି ଅଧ୍ୟକ୍ଷ ନିଯୁକ୍ତ ହୋଇସାରିଛନ୍ତି। ଏଥିରେ ଜିଲ୍ଲାର ସବୁ ଜନଜାତି ବର୍ଗଙ୍କ ପ୍ରତିନିଧିତ୍ୱ ରହିଛି। ୯ଟି ଜିଲ୍ଲାର ପ୍ରତି ବ୍ଲକକୁ ବାର୍ଷିକ ୧.୫୦ କୋଟି ଟଙ୍କା ଦିଆଯିବ। ଏଥିପାଇଁ ବର୍ଷକୁ ୧୭୫.୫୦ କୋଟି ଟଙ୍କା ବିନିଯୋଗ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଲେ, ଓଡ଼ିଶାର ୬୨ଟି ଜନଜାତି ଓ ଆଦିମ ଜନଜାତି ବର୍ଗର ଲୋକଙ୍କ ପରି ସାଂସ୍କୃତିକ ଓ ମୌଳିକ ବିବିଧତା ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ। ସେଗୁଡ଼ିକର ସୁରକ୍ଷା ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ପରିଷଦ ଗଠନ ହେବା ଦ୍ୱାରା ଜନଜାତିଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ, ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ଜନଜାତି ବର୍ଗଙ୍କ ପୂଜାସ୍ଥଳୀର ବିକାଶ, କଳାକୃତିର ସୁରକ୍ଷା, କ୍ରୀଡ଼ା ପ୍ରତିଭାର ବିକାଶ ଲାଗି ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇପାରିବ। ଜନଜାତିଙ୍କ ଭିତ୍ତିଭୂମି, ଶିକ୍ଷା, କ୍ରୀଡ଼ା ଆଦିର ବିକାଶ ସହ ସେମାନଙ୍କ ଅଧିକାରର ସୁରକ୍ଷା କରାଯାଉଛି। ସେମାନଙ୍କ କଳା ଓ ସଂସ୍କୃତି ବିଶ୍ୱ ଦରବାରରେ ପ୍ରତିଷ୍ଠା ଅର୍ଜର୍ନ କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ୱାଗତ ଭାଷଣ ଦେଇ ଏହାଦ୍ୱାରା ଜନଜାତିଙ୍କ ସଂରକ୍ଷଣ, ସୁରକ୍ଷା, ସାମାଜିକ ଓ ଅର୍ଥନୈତିକ ବିକାଶ ତ୍ୱରାନ୍ଵିତ ହୋଇପାରିବ ବୋଲି କହିଥିଲେ। ଉନ୍ନୟନ କମିସନର ଆର. ବାଳକ୍ରିଷ୍ଣନ୍‌ ପରିଷଦ ସମ୍ପର୍କରେ ସୂଚନା ଦେଇ କହିଲେ, ଓଡ଼ିଶା ହେଉଛି ଏକ ବିସ୍ମୟ ଭୂମି। ଓଡ଼ିଶାରେ ୨୧ଟି ଭାଷା, ୭୫ ଜନଜାତି ଉପଭାଷା, ୭ଟି ଜନଜାତି ଲିପି ରହିଛି। ଓଡ଼ିଶାର ମୋଟ ଜନସଂଖ୍ୟାର ୨୨ ପ୍ରତିଶତ ଜନଜାତି। ୨୨ଟି ଆଇଟିଡିଏ, ୧୭ଟି ମାଇକ୍ରୋ ପ୍ରୋଜେକ୍ଟ, ୧୨ଟି ଜନଜାତି କ୍ଲଷ୍ଟର କରାଯାଇ ଜନଜାତିଙ୍କ ଆର୍ଥିକ ବିକାଶ ଦିଗରେ ପଦକ୍ଷେପ ନିଆଯାଉଛି। ପରିଷଦରେ ୯ଟି ଜିଲ୍ଲାର ୧୧୭ଟି ବ୍ଲକ, ୨୦୨୨ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ୧୮,୬୮୭ ଗ୍ରାମର ୧୪ ଲକ୍ଷ ଜନଜାତି ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଏହାଦ୍ୱାରା ସଂସ୍କୃତି, ଭାଷା, କଳାର ପ୍ରସାର କରାଯିବ। ପ୍ରତି ଜିଲ୍ଲାରେ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା ହେବ। ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବା ଲାଗି କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ କହିଥିଲେ।

ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଯୋଗଦେଇ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଜନଜାତିଙ୍କ ଅର୍ଥନୈତିକ, ସାଂସ୍କୃତିକ, କ୍ରୀଡ଼ା, କ୍ରୀଡ଼ାବିତ୍‌, ସେମାନଙ୍କ ସାଂସ୍କୃତିକ ପୀଠର ବିକାଶ କରାଯାଇପାରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଉଷା ଦେବୀଙ୍କ ସମେତ ୯ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷମାନେ ଉପସ୍ଥିତ ରହିଥିଲେ।

ପରିଷଦ ଅଧ୍ୟକ୍ଷଙ୍କୁ ମିଳିବ ରାଜ୍ୟ ମନ୍ତ୍ରୀ ପାହ୍ୟା

୯ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷଙ୍କୁ ରାଜ୍ୟ ମନ୍ତ୍ରୀ ପାହ୍ୟାର ମର୍ଯ୍ୟାଦା ଦିଆଯିବ। ଉପାଧ୍ୟକ୍ଷଙ୍କୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଓ ସଦସ୍ୟଙ୍କୁ ଜିଲ୍ଲା ପରିଷଦ ସଦସ୍ୟ ଅନୁରୂପ ମର୍ଯ୍ୟାଦା ମିଳିବ। ପରିଷଦର ସଦସ୍ୟଙ୍କ କାର୍ଯ୍ୟ ଅବଧି ଦୁଇ ବର୍ଷ ରହିବ। ପ୍ରତି ଜିଲ୍ଲାର ସଦର ମହକୁମାରେ ପରିଷଦର ମୁଖ୍ୟାଳୟ ରହିବ। କାର୍ଯ୍ୟାଳୟ ଲାଗି ସଦର ମହକୁମାରେ ଥିବା ଆଇଟିଡିଏ କାର୍ଯ୍ୟାଳୟର ବଳକା ପରିସର କିମ୍ବା ଜିଲ୍ଲା ମୁଖ୍ୟାଳୟରେ ଥିବା ସରକାରୀ ଗୃହ ଅଥବା ଆବଶ୍ୟକ ପଡ଼ିଲେ ଭଡ଼ା ସୂତ୍ରରେ କାର୍ଯ୍ୟାଳୟ ନିଆଯିବ।

ସମ୍ବନ୍ଧିତ ଖବର