ଶ୍ରୀକ୍ଷେତ୍ର ବିକାଶର ମୂଳଦୁଆ ପଡ଼ିଲା : ୭ ପ୍ରକଳ୍ପର ଶିଳାନ୍ୟାସ, ଖର୍ଚ୍ଚ ହେବ ୫୨୩ କୋଟି

ଶ୍ରୀସେତୁ ପ୍ରକଳ୍ପ ପାଇଁ ୧୮୧ କୋଟି, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ପାଇଁ ୧୯୦ କୋଟି

ପୁରୀ : ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର କରି ଗଢ଼ି ତୋଳିବା ସ୍ବପ୍ନ ସାକାର ହେବାକୁ ଯାଉଛି। ଶ୍ରୀକ୍ଷେତ୍ରର ବିକାଶ କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫୨୩ କୋଟି ଟଙ୍କାର ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ସବୁ ପ୍ରକଳ୍ପ ମଧ୍ୟରୁ ଅବଢ଼ା ଯୋଜନାରେ ଶ୍ରୀସେତୁ, ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମୁଖ୍ୟ ଚିକିତ୍ସାଳୟ ନିକଟ ଜେଲ ରୋଡ୍ ବହୁତଳ କାର ପାର୍କିଂ, ବଡ଼ଦାଣ୍ଡ ମ୍ୟୁନିସିପାଲିଟି ପାର୍କିଂ ପୁନଃବିକାଶ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରେ ସ୍ବର୍ଗଦ୍ବାରର ଉନ୍ନତୀକରଣ ସହ ଅନ୍ୟାନ୍ୟ ପାଣ୍ଠିରେ ବେଳାଭୂମି ଭେଣ୍ଡିଂଜୋନ୍‌, ମଧ୍ୟାହ୍ନ ଭୋଜନ ଓ ଆହାରର ସେଣ୍ଟ୍ରାଲ କିଚେନ ପ୍ରତିଷ୍ଠା କରାଯିବ। ଏହି ସବୁ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ସିଂହଦ୍ବାରରେ ଅଖଣ୍ଡ ଦୀପ ଜାଳିବା ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ବଡ଼ଦାଣ୍ଡରେ ବସି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ସୌନ୍ଦର୍ଯ୍ୟୀକରଣର ନକ୍ସା ଦେଖିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ୪୫ରେ ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ ପରେ ପୂର୍ବାହ୍ଣ ପ୍ରାୟ ୧୧ଟା ୫୦ରେ ଗାଡ଼ି ଯୋଗେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ବ୍ୟାଟେରି ଚାଳିତ ଅଟୋରେ ସିଂହଦ୍ବାର ନିକଟକୁ ଯାଇଥିଲେ। ଅରୁଣ ସ୍ତମ୍ଭ ଠାରେ ଅଖଣ୍ଡ ଦୀପ ଜାଳି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପ୍ରାୟ ୨୦ ମିନିଟ୍‌ ଶ୍ରୀମନ୍ଦିରରେ ବିତାଇ ଫେରିବା ପରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ବଡ଼ଦାଣ୍ଡରେ ଏକ ଚୌକିରେ ବସି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ନକ୍ସା ଦେଖିଥିଲେ। ଫ୍ଲେକ୍ସରେ ପ୍ରସ୍ତୁତ ଏହି ନକ୍ସାକୁ ଦେଖିବା ପରେ ମ୍ୟୁନିସିପାଲଟି ମାର୍କେଟ ଠାରେ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନେତା, ମନ୍ତ୍ରୀ, ବିଧାୟକଙ୍କ ଉପସ୍ଥିତିରେ ରିମୋଟ୍‌ ଦବାଇ ୫୨୩ କୋଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ମଧ୍ୟାହ୍ନ ୧୨ଟା ୪୦ ସୁଦ୍ଧା ଶିଳାନ୍ୟାସ କାର୍ଯ୍ୟ ସାରି ପୁନର୍ବାର ହେଲିକପ୍ଟର ଯୋଗେ ଭୁବନେଶ୍ବର ଫେରି ଯାଇଥିଲେ।

ଏହି ଅବସରରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପିପିଲି ବିଧାୟକ ପ୍ରଦୀପ ମହାରାଥୀ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ୫ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିୟାନ୍, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା, ଡିଆଇଜି ଆଶିଷ ସିଂହ, ଜିଲ୍ଲାପାଳ ବଲୱନ୍ତ ସିଂହ, ଏସପି ଉମାଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

୨୦୧୯ ଅକ୍ଟୋବରରେ ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ପରେ ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ବିକାଶ କାର୍ଯ୍ୟର ଘୋଷଣା କରିଥିଲେ। ଏଥିପାଇଁ ଅବଢ଼ା ଯୋଜନାରେ ୩ ହଜାର ୨୦୮ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ତିନି ବର୍ଷ ଭିତରେ ଏହି ବିକାଶ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୭୧୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୪୦୨ କୋଟି ଓ ୨୦୨୧-୨୨ ଆର୍ଥିକ ବର୍ଷରେ ୧୦୮୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। ଶ୍ରୀକ୍ଷେତ୍ରର ବିକାଶକ୍ରମରେ ଆଜି ପୂର୍ବ ଘୋଷିତ ୭ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ସେଥିମଧ୍ୟରୁ, ୨.୩ କିଲୋମିଟରର ମେଗା ଶ୍ରୀସେତୁ ପ୍ରକଳ୍ପ ପାଇଁ ୧୮୧ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରକୁ ବିଶ୍ବସ୍ତରୀୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ୬ ମହଲା ବିଶିଷ୍ଟ ଏହି କେନ୍ଦ୍ର ପାଇଁ ୧୯୦ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିଭଳି, ଜେଲ୍‌ ରୋଡରେ ବହୁତଳ ପାର୍କିଂ ଗୃହ ନିର୍ମାଣ ପାଇଁ ୯୦.୨୨ କୋଟି, ବଡ଼ଦାଣ୍ଡକୁ ଲାଗି ରହିଥିବା ମ୍ୟୁନିସିପାଲିଟି ମାର୍କେଟକୁ ଅତ୍ୟାଧୁନିକ ମାର୍କେଟ୍ ଭାବେ ଗଢ଼ିତୋଳିବା ପାଇଁ ୪୪.୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସ୍ବର୍ଗଦ୍ବାରର ଉନ୍ନୟନ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ କରାଯାଉଛି। ଯେଉଁଠି ଅତ୍ୟାଧୁନିକ ସୁବିଧା ସହ ଶବଦାହ ପାଇଁ ଦୁଇଟି ଇଲେକ୍ଟ୍ରିକ୍ ହିଟର ଲଗାଇବାକୁ ଯୋଜନା କରାଯାଇଛି। ଏ ବାବଦକୁ ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି। ବେଳାଭୂମି ଭେଣ୍ଡିଂ ଜୋନ୍ ପାଇଁ ୧୨ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର