ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ଅନେକ ଥର ମାଓବାଦୀଙ୍କ ସାମ୍ନା କରିଥିବା ପ୍ରଶାନ୍ତଙ୍କୁ ଟୁଇଟରେ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଭିମାନ ଅଞ୍ଚଳରେ ନିଜର ନିଷ୍ଠାପର ସେବା ପାଇଁ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ବେହେରାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଆଉ ତାଙ୍କ କାର୍ଯ୍ୟକୁ ଅନୁସରଣ କରିବା ପାଇଁ ଅନ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଗତ ୪ ତାରିଖରେ ଫାଇଭ-ଟିର ମୋ ସରକାର କାର୍ଯ୍ୟକ୍ରମରେ ଆଉ ୫ଟି ବିଭାଗକୁ ସାମିଲ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁରେ ଥିଲା ପ୍ରଶାନ୍ତ ବେହେରାଙ୍କ ନାମ। ସ୍ୱାଭିମାନ ଅଞ୍ଚଳରେ ବିକାଶ ପାଇଁ ପ୍ରଶାନ୍ତ ବେହେରାଙ୍କ ନିଷ୍ଠାପର ସେବାକୁ ଦେଖି ମୁଖ୍ୟମନ୍ତ୍ରୀ ଟୁଇଟ କରି ପ୍ରଶଂସା ବି କରିଥିଲେ ।

ପ୍ରଶାନ୍ତ ବେହେରା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ । ଲୋକଙ୍କ ପାଖରେ ବିକାଶ ପହଂଚାଇବା ପାଇଁ କେବେ ପଛଘୁଞ୍ଚା ଦେଇନାହାନ୍ତି ଏହି ଅଧିକାରୀ । କେବେ ପାହାଡିଆ ପାଦଚଲା ରାସ୍ତାରେ ଘୋଡା ପିଠିରେ ତ କେବେ ଦେଶୀ ଡଙ୍ଗାରେ ନିଜେ ଆହୁଲା କରି ଲାଲଗଡରେ ଆଦିବାସୀଙ୍କ ପାଖରେ ପହଞ୍ଚିଥାନ୍ତି ପ୍ରଶାନ୍ତ ।

ତେବେ ବିକାଶର ଭଗୀରଥ ସାଜି ପ୍ରଶାନ୍ତ ସ୍ୱାଭିମାନ ଅଞ୍ଚଳକୁ ଯିବାବେଳେ ଅନେକ ଥର ମାଓବାଦୀଙ୍କୁ ସାମ୍ନା ବି କରିଛନ୍ତି। କିନ୍ତୁ ସରକାରୀ ଯୋଜନାକୁ ଆଗକୁ ନେବା କ୍ଷେତ୍ରରେ ଲାଲ ଆଖି ଦେଖି କେବେ ଡରି ଯାଇ ନାହାନ୍ତି କି ପଛକୁ ଫେରି ନାହାନ୍ତି ସେ । ନିଜ ଜୀବନକୁ ବାଜି ଲଗାଇ ସ୍ୱାଭିମାନ ଅଂଚଳରେ ସର୍ଭେ କରିଛନ୍ତି । ଗୁରୁପ୍ରୀୟା ଠାରୁ ଯନ୍ତାପାଇ, ଯନ୍ତାପାଇ ଠାରୁ ବିଡାରପାଖନା ଦେଇ ହନ୍ତାଳଗୁଡା ଓ ହନ୍ତାଳଗୁଡା ପାହାଡ କାଟି ଯୋଡାମ୍ବ ଯାଏଁ ଲାଲଗଡର ଛାତି ଚିରି ନୂଆ ରାସ୍ତା ନିର୍ମାଣ କରିବାରେ ପ୍ରଚ୍ଛଦପଟ୍ଟର ନାୟକ ସାଜିଛନ୍ତି ଯନ୍ତ୍ରୀ ପ୍ରଶାନ୍ତ ବେହେରା ।

ମାଲକାନଗିରିର ପୁଅ ପ୍ରଶାନ୍ତ ବେହେରା ୨୦୧୪ ମସିହାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗଦେଇ ସ୍ୱାଭିମାନ ଅଂଚଳର ବିକାଶ ପାଇଁ ଅଣ୍ଟା ଭିଡିଥିଲେ ପ୍ରଶାନ୍ତ । ପୂର୍ବରୁ୨୦୦୬ରୁ ୨୦୧୦ ଯାଏଁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗରେ କାମ କରିଥିଲେ । ସେହିଭଳି ୨୦୧୦ ଠାରୁ ୨୦୧୪ ଯାଏ ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟ କରୁଥିବା ବେଳେ ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟଓ ପାନୀୟ ଜଳ ଯୋଗାଇବା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ନେଇ ପ୍ରଶଂସା ସାଉଁଟିଥିଲେ ପ୍ରଶାନ୍ତ ।

ସମ୍ବନ୍ଧିତ ଖବର