ମିଳିତ ଜାତିସଂଘକୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ବିପର୍ଯ୍ୟୟ ପ୍ରଶମନ ପାଇଁ ଆନ୍ତର୍ଜାତିକ କେନ୍ଦ୍ର ଖୋଲୁ

ସଚିବାଳୟରେ ମିଳିତ ଜାତିସଂଘ ଓ ଆନ୍ତର୍ଜାତିକ ସଂସ୍ଥାଙ୍କ ପଦାଧିକାରୀ

ଭୁବନେଶ୍ବର : ବିଗତ ବର୍ଷମାନଙ୍କରେ ବାତ୍ୟା ଭଳି ବିଭିନ୍ନ ବିପର୍ଯ୍ୟୟକୁ ମୁକାବିଲା କରିବାରେ ବିଶ୍ବରେ ପାରଦର୍ଶିତା ଅର୍ଜନ କରିପାରିଛି ଓଡ଼ିଶା। ରାଜ୍ୟର ଏଭଳି ସମୃଦ୍ଧ ଅଭିଜ୍ଞତା ଅନେକ ଦେଶକୁ ବିପର୍ଯ୍ୟୟ ପରିଚାଳନା ଦିଗରେ ଆବଶ୍ୟକ ସହଯୋଗ ଯୋଗାଇ ପାରିବ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ବିପର୍ଯ୍ୟୟ ପ୍ରଶମନ ଓ ପୁନରୁଦ୍ଧାର ପାଇଁ ଆନ୍ତର୍ଜାତିକ କେନ୍ଦ୍ର ଖୋଲିବାକୁ ମିଳିତ ଜାତିସଂଘକୁ ପ୍ରସ୍ତାବ ଦେଇଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର ବିଭାଗ ନେତୃତ୍ବରେ ରାଜ୍ୟ ସଚିବାଳୟରେ ମିଳିତ ଜାତିସଂଘ, ବିଶ୍ବବ୍ୟାଙ୍କ, ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ, ଇଣ୍ଟରନ୍ୟାସନାଲ୍‌ ବ୍ୟାଙ୍କ ଫର୍‌ ରୁରାଲ୍‌ ଡେଭଲପ୍‌ମେଣ୍ଟ ଆଦି ଆନ୍ତର୍ଜାତିକ ସଂସ୍ଥାଙ୍କ ପଦାଧିକାରୀମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ସେ କହିଲେ ଯେ ଜନସାଧାରଣଙ୍କୁ ବିଶ୍ବସ୍ତରୀୟ କଲ୍ୟାଣକର ସେବା ଯୋଗାଇବା ଦିଗରେ ମିଳିତ ଜାତିସଂଘର ବ୍ୟବସ୍ଥା ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରେ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରରେ ବିପର୍ଯ୍ୟୟ ପ୍ରଶମନ ଓ ପୁନରୁଦ୍ଧାର ପାଇଁ ଆନ୍ତର୍ଜାତିକ କେନ୍ଦ୍ର ଖୋଲିବା ପ୍ରସ୍ତାବକୁ ବିଚାର କରିବାକୁ ସେ ମିଳିତ ଜାତିସଂଘ ବିଶ୍ବବିଦ୍ୟାଳୟକୁ ଅନୁରୋଧ କରିଥିଲେ।

ବିପର୍ଯ୍ୟୟ ପରିଚାଳନା ଦିଗରେ ଓଡ଼ିଶା ବିଗତ ଦିନମାନଙ୍କରେ ଯେଉଁ ଅଭିଜ୍ଞତା ଓ ବିଶେଷ ଜ୍ଞାନ ହାସଲ କରିପାରିଛି ସେସବୁ ଏବଂ ବିଶ୍ବସ୍ତରର ‌େଶଷ୍ଠ ପାରଦର୍ଶିତାକୁ ବିକଶିତ କରି ଆନ୍ତର୍ଜାତିକ କେନ୍ଦ୍ର ଖୋଲିବାକୁ ସେ ପରାମର୍ଶ ଦେଇଥିଲେ। ଏଭଳି କେନ୍ଦ୍ର ସମଗ୍ର ବିଶ୍ବବାସୀଙ୍କ କାର୍ଯ୍ୟରେ ଲାଗିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟରେ ଏଭଳି ବିଶ୍ବସ୍ତରୀୟ କେନ୍ଦ୍ର ସ୍ଥାପନ ପାଇଁ ସମସ୍ତ ସହଯୋଗ ଯୋଗାଇଦେବାକୁ ସେ ମିଳିତ ଜାତିସଂଘ ପ୍ରତିନିଧିମାନଙ୍କୁ କହିଥିଲେ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ବିପର୍ଯ୍ୟୟ ପ୍ରତିରୋଧକ ବିଦ୍ୟୁତ୍‌ ଭିତ୍ତିଭୂମି, ବିପର୍ଯ୍ୟୟ ପ୍ରତିରୋଧୀ ଯୋଗାଯୋଗ ନେଟ୍‌ୱାର୍କ ବ୍ୟବସ୍ଥାର ବିକାଶ ଓ ଜୀବିକାର ପୁନରୁଦ୍ଧାର ଉପରେ ଗୁରୁତ୍ବାରୋପ କରିଥିଲେ। ପ୍ରଚଳିତ କାର୍ଯ୍ୟକ୍ରମକୁ ସଂଶୋଧନ କରି ସେଥିମଧ୍ୟରୁ ଓଡ଼ିଶାରେ କିଛି କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ମିଳିତ ଜାତିସଂଘ ପ୍ରତିନିଧିମାନଙ୍କ ସହଯୋଗ ଲୋଡ଼ିଥିଲେ ମୁଖ୍ୟମନ୍ତ୍ରୀ। ବାତ୍ୟା ଫନି ପୂର୍ବବର୍ତୀ ପଦକ୍ଷେପ ବିଶେଷ କରି ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନେଇ ରାଜ୍ୟ ସରକାରଙ୍କ ସମୟୋପଯୋଗୀ ଉଦ୍ୟମକୁ ମିଳିତ ଜାତିସଂଘ ପଦାଧିକାରୀମାନେ ପ୍ରଶଂସା କରିଥିଲେ। ଏହା ଫଳରେ ଅନେକ ଲୋକଙ୍କ ପ୍ରାଣରକ୍ଷା ହୋଇପାରିଛି ବୋଲି ସେମାନେ କହିଥିଲେ। ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ମଧ୍ୟ ସେମାନେ ପ୍ରଶଂସା କରି ଏ କ୍ଷେତ୍ରରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଶ୍ବବ୍ୟାଙ୍କର ପ୍ରୋଗ୍ରାମ୍‌ ଲିଡର ଜର୍ଜ କୋର୍ସ କହିଲେ ଯେ ବାତ୍ୟା କ୍ଷୟକ୍ଷତି ସଂପର୍କରେ ଆଲୋଚନା ହୋଇଛି। ଆସନ୍ତା ସପ୍ତାହରେ ବିଶ୍ବବ୍ୟାଙ୍କ ତରଫରୁ କି ପ୍ରକଳ୍ପ କରିହେବ ସେ ନେଇ ପଦକ୍ଷେପ ନିଆଯିବ। ସେହିପରି ବ୍ୟାଙ୍କର ସହାୟତା ‌ସଂପର୍କରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯିବ ବୋଲି କହିଥିଲେ ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କର କଣ୍ଟ୍ରି ଡାଇରେକ୍ଟର କେନି ଚି ୟୋକୋୟାମା। ଉଲ୍ଲେଖଯୋଗ୍ୟ ଯେ ଅତି ପ୍ରଳୟଙ୍କରୀ ଝଡ଼ବାତ୍ୟା ଫନି ପରବର୍ତୀ ସ୍ଥିତି ସଂପର୍କରେ ଅବଗତ ହେବା ପାଇଁ ଆଜି ସଚିବାଳୟରେ ମଳିତ ଜାତିସଂଘ, ବିଶ୍ବବ୍ୟାଙ୍କ, ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ, ଇଣ୍ଟରନ୍ୟାସନାଲ୍‌ ବ୍ୟାଙ୍କ ଫର୍‌ ରୁରାଲ୍‌ ଡେଭଲପ୍‌ମେଣ୍ଟ ଆଦି ଆନ୍ତର୍ଜାତିକ ସଂସ୍ଥାଙ୍କ ପଦାଧିକାରୀମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର