ଆରୋଗ୍ୟ ସଂଖ୍ୟା ଅଢେଇ ଲକ୍ଷରେ ପହଞ୍ଚିଲା
ପୂଜା ସମୟରେ କୋଭିଡ ନିୟମର କଡାକଡି ପାଳନ ପାଇଁ ପରାମର୍ଶ
ପାଞ୍ଚ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଏକ ହଜାରରୁ ଅଧିକ
ଦଶହରା ପରେ କଟକ, ପୁରୀରେ ସେରୋ ସର୍ଭେ କରାଯିବ
ଅଗଷ୍ଟ ୧୮ ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦ ହଜାରରୁ ଖସିଲା
ଭୁବନେଶ୍ବର : ରାଜ୍ୟର ସମୁଦାୟ ଟେଷ୍ଟିଂ ସଂଖ୍ୟା ୪୦ ଲକ୍ଷରୁ ଅଧିକ ହୋଇଛି ଏବଂ ଆରୋଗ୍ୟଙ୍କ ସଂଖ୍ୟା ଅଢେଇ ଲକ୍ଷରେ ପହଞ୍ଚିଛି। ତଥାପି ଆତ୍ମସନ୍ତୋଷର ସ୍ଥାନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ଅଧିକାରୀଙ୍କୁ ସତର୍କ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଜଟିଳ ରୋଗ ଥିବା ରୋଗୀଙ୍କ ଚିକିତ୍ସା ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ୫ଟି ଜିଲ୍ଲା – ଖୋର୍ଦ୍ଧା, କଟକ, ସୁନ୍ଦରଗଡ, ମୟୁରଭଂଜ ଓ ଅନୁଗୁଳରେ ସକ୍ରିୟ ରୋଗୀ ସଂଖ୍ୟା ଏକ ହଜାରରୁ ଅଧିକ ଥିବାବେଳେ, ଅନ୍ୟ ଜିଲ୍ଲାମାନଙ୍କରେ ସକ୍ରିୟ ରୋଗୀ ସଂଖ୍ୟା ହ୍ରାସ ପାଇଛି। ସେହିପରି ଭୁବନେଶ୍ବରରେ ସେରୋ ସର୍ଭେ ଶେଷ ହୋଇଥିବା ବେଳେ ଦଶହରା ପରେ କଟକ ଓ ପୁରୀରେ ସର୍ଭେ ଆରମ୍ଭ କରାଯିବ ବୋଲି ଜଣାପଡିଛି।
ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରି କହିଥିଲେ ଯେ ରାଜ୍ୟର ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ ପ୍ରଶାସନ ଓ କୋଭିଡ ଯୋଦ୍ଧା ମାନଙ୍କ କଠିନ ପରିଶ୍ରମ ଯୋଗୁ ଏବଂ ସମସ୍ତ ସଂପୃକ୍ତ ବିଭାଗର ଉଦ୍ୟମ ଯୋଗୁ ରାଜ୍ୟରେ କ୍ରମାଗତ ଭାବେ ନୂଆ କୋଭିଡ ସଂକ୍ରମଣ କମୁଛି। ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ହେବା ସହିତ ସମସ୍ତ କୋଭିଡ ନିୟମାବଳୀକୁ କଡାକଡି ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିର୍ଦେଶ ଦେଇଥିଲେ। କୋଭିଡ୍ ସଂପର୍କରେ ଜନସଚେତନତା ପାଇଁ ବ୍ୟାପକ ସୂଚନା ଅଭିଯାନ ଜାରି ରଖିବା ସହିତ କୌଣସି କ୍ଷେତ୍ରରେ ସାମାନ୍ୟ ଅବହେଳା ନ କରିବାକୁ ସେ ସତର୍କ କରିଦେଇଥିଲେ।
ଗରିବ ଲୋକଙ୍କ ଜୀବିକାକୁ ଦୃଷ୍ଟିରେ ରଖି ଅର୍ଥନୈତିକ କାର୍ଯ୍ୟକ୍ରମ ଯେପରି ଅବିରତ ଭାବେ ଜାରି ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ ଯେ ଶିଳ୍ପ ସଂସ୍ଥା ଗୁଡିକ ନିର୍ବିଘ୍ନରେ ଯେପରି ସେମାନଙ୍କ ଉତ୍ପାଦନ ଜାରି ରଖିବେ, ପୁଞ୍ଜି ବିନିଯୋଗ କାର୍ଯ୍ୟକାରୀ ହେବ ସେଥିପାଇଁ ସମସ୍ତ ଉଦ୍ୟମ ଜାରି ରଖିବା ଦରକାର। ଏହି ଅବସରରେ ସେ କୋଭିଡ ଯୋଦ୍ଧାଙ୍କୁ ଓ ସେମାନଙ୍କ ପରିବାରକୁ ଦଶହରାର ଶୁଭେଚ୍ଛା ଜଣାଇଥିଲେ।
ବୈଠକରେ ଉନ୍ନୟନ କମିସନର ସୁରେଶ ମହାପାତ୍ର ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ରାଜ୍ୟରେ କରୋନା ସଂକ୍ରମଣରେ ହ୍ରାସ ଘଟୁଥିବା ସତ୍ତ୍ବେ ପ୍ରଶାସନ ସଂପୂର୍ଣ୍ଣ ସତର୍କ ରହିଛି ବୋଲି ସେ ସୂଚନା ଦେଇଥିଲେ। ଦଶହରା ଓ ଦୀପାବଳୀ ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ।
ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଥିଲେ, ରାଜ୍ୟରେ ସଂକ୍ରମଣ ହାର ୦.୭୧ ପ୍ରତିଶତକୁ ହ୍ରାସ ପାଇଛି ଓ ଆରୋଗ୍ୟ ହାର ୯୩ ପ୍ରତିଶତରେ ପହଞ୍ଚିଛି, ଏହା ଜାତୀୟ ହାର ଠାରୁ ଅଧିକ ଅଟେ। ଶ୍ରୀ ମହାପାତ୍ର ଆହୁରି କହିଥିଲେ ଯେହେତୁ ପଜିଟିଭ୍ ହାର କମିଛି, ଲୋକମାନେ ଟେଷ୍ଟିଂ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ଲକ୍ଷଣ ଥିବା ରୋଗୀମାନେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ବୈଠକରେ ଅନୁରୋଧ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୮ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦ ହଜାର ତଳେ ଅଛି। ବର୍ତ୍ତମାନ ଏହା ୧୮୦୫୦ରେ ପହଞ୍ଚିଛି ଓ ୧୫,୫୧୫ ରୋଗୀ ବର୍ତ୍ତମାନ ଗୃହ ସଂଗରୋଧରେ ଅଛନ୍ତି।
ପୂଜା ସମୟରେ କୋଭିଡ କଟକଣା ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଥିଲେ ଯେ ପାର୍ବଣ ଋତୁକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ଏସ୍ପିମାନଙ୍କ ସହିତ ଆଲୋଚନା କରାଯାଇ ରଣନୀତି ପ୍ରସ୍ତୁତ କରାଯାଇଛି। ଅଧିକ ପୋଲିସ ମୁତୟନ ପାଇଁ ବନ୍ଦୋବସ୍ତ କରାଯିବା ସହିତ ସମ୍ବେଦନଶୀଳ ଜିଲ୍ଲା ଗୁଡିକ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି.କେ. ପାଣ୍ଡିଆନ ବୈଠକ ସଂଚାଳନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/naveen-patnaik-1.jpg)