ନବୀନ ଦେଲେ ୯ ମନ୍ତ୍ର

ମାସ୍କ ଓ ସାମାଜିକ ଦୂରତା ପାଇଁ ଶୂନ୍ୟ ସହନଶୀଳ ନୀତି
ସରକାରୀ କାର୍ଯ୍ୟାଳୟ ସଂକ୍ରମଣ ହେଲେ ବାବୁ ଦାୟୀ
କୋଭିଡ୍‌ ଯୋଦ୍ଧାଙ୍କ ଯତ୍ନ ଉପରେ ମଧ୍ୟ ଗୁରୁତ୍ବ
ହଟ୍‌ସ୍ପଟ୍‌ ପାଇଁ ଜିଲ୍ଲାପାଳ ସ୍ୱତନ୍ତ୍ର ପଦକ୍ଷେପ ନେବେ

ଭୁବନେଶ୍ବର : ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢି ଚାଲିଥିବା ବେଳେ ଜୁଲାଇ ମାସରେ କିଭଳି ହେବ କୋଭିଡ଼୍ ମୁକାବିଲା, ସେ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜିଲ୍ଲାପାଳ ଓ ଏସପିଙ୍କ ଲାଗି ୯ ସୂତ୍ରୀ ନିର୍ଦେଶନାମା ଜାରି କରିଛନ୍ତି। ଏଥିରେ ସ୍ପଷ୍ଟ ଭାବେ ମୁଖ୍ୟମନ୍ତ୍ରୀ ଜଣାଇ ଦେଇଛନ୍ତି ଯେ କୋଭିଡ ସଂକ୍ରମଣ ରୋକିବାରେ ମାସ୍କର ବିଶେଷ ଗୁରୁତ୍ବ ରହିଛି। ଇତିମଧ୍ୟରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ ସତର୍କତା ସଂପର୍କରେ ସୂଚନା ଦିଆଯିବାର ତିନି ମାସ ବିତିଗଲାଣି। ଏହାର ଉଲ୍ଲଂଘନ ହେଲେ ଏଣିକି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ। ଉଭୟ କ୍ଷେତ୍ରରେ କିଛି ବି ଉଲ୍ଲଂଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆଜି ନବୀନ ପୁଲିସ ଓ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।

ରାଜ୍ୟରେ ବିଜେଡି, କଂଗ୍ରେସ ଓ ବିଜେପି ନେତାଙ୍କ ସମେତ ସାଧାରଣ ଲୋକେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ପାଳନ ଉଲ୍ଲଂଘନ କରୁଥିବା ପରିପ୍ରେକ୍ଷୀରେ ସରକାର ସମାଲୋଚିତ େହାଇଛନ୍ତି। କିଛି କ୍ଷେତ୍ରରେ ଫାଇନ ଆଦାୟ େହାଇଥିବା ବେଳେ ଆଉ କିଛି କ୍ଷେତ୍ରରେ ସରକାରୀ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବର ସହ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ପରେ ସରକାର ଯେ ଜୁଲାଇରେ କୋହଳ ନୀତି ଅବଲମ୍ବନ କରିବା ସମ୍ଭାବନା କମ୍, ଏଭଳି ସଙ୍କେତ ବି ମିଳିଲାଣି।

Image Sourcr: Zee News

ଆଜି ସନ୍ଧ୍ୟାରେ ଶ୍ରୀ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜୁଲାଇ ମାସର କୋଭିଡ୍ ରଣନୀତି ସଂପର୍କରେ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ଏସ୍‌ପି ମାନଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ସରକାରୀ ଅଫିସ ଗୁଡିକ ଯେପରି ସଂକ୍ରମଣମୁକ୍ତ ରହିବ, ତା ଉପରେ ଜୁଲାଇମାସରେ ଗୁରୁତ୍ବ ଦେବାକୁ ପଡ଼ିବ। କୋଭିଡ ନିୟମର କଡାକଡି ଅନୁପାଳନ କରି ସରକାରୀ କାର୍ଯ୍ୟାଳୟ ଗୁଡିକୁ ଶୂନ୍ୟ ସଂକ୍ରମଣ ଅଞ୍ଚଳ କରି ରଖିବା, କର୍ମଚାରୀ ମାନେ କଣ କରିବେ, କଣ ନ କରିବେ ସେ ସଂପର୍କରେ ବ୍ୟାପକ ସଚେତନ କରାଯିବା ଦରକାର। ଯଦି ଏଥିରେ ସାମାନ୍ୟ ବ୍ୟତିକ୍ରମ ହୁଏ, ତେବେ ସବୁ କାର୍ଯ୍ୟାଳୟର ମୁଖ୍ୟ ଏଥିପାଇଁ ଦାୟୀ ରହିବେ ବୋଲି ନବୀନ ସତର୍କ କରାଇ ଦେଇଥିଲେ।

ଗାଁ କଲ୍ୟାଣ ସମିତି ସ୍ତରରେ କୋଭିଡ୍ କେୟାର କମିଟି ଗଠନ କରିବା ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ସେମାନଙ୍କୁ ପାଣ୍ଠି ଓ କ୍ଷମତା ପ୍ରଦାନ କରାଯିବ। ସେମାନଙ୍କ ପ୍ରଶିକ୍ଷଣ ସହିତ ସେମାନଙ୍କର କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଏକ ବିଧିବଦ୍ଧ ବ୍ୟବସ୍ଥା ସୃଷ୍ଟି ହେବ। ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ ସ୍ଥାପନ ଏବଂ କେତେକ ପଞ୍ଚାୟତକୁ ନେଇ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଗଠନ, ସେମାନଙ୍କୁ ପାଣ୍ଠି ଯୋଗାଣ ଓ ସେବା ପ୍ରଦାନ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ। ଏଠାରେ ଉଲ୍ଲେଖଥାଉକି, ୱାର୍ଡ ସ୍ତରରେ କୋଭିଡ କୋର୍‌ କମିଟିର ୪.୭ ଲକ୍ଷ ସଦସ୍ୟଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ନିଜେ ସଂକ୍ରମିତ କୋଭିଡ ଯୋଦ୍ଧା ମାନଙ୍କ ସହିତ ଫୋନ୍‌ରେ କଥା ହୋଇ ସେମାନଙ୍କ ଭଲମନ୍ଦ ବୁଝୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କର ମତାମତ ଖୁବ୍ ଭଲ ଅଛି। ବରିଷ୍ଠ ଅଧିକାରୀମାନେ ମଧ୍ୟ ସେହିଭଳି ସଂକ୍ରମିତ କୋଭିଡ୍ ଯୋଦ୍ଧାଙ୍କ ସହିତ ଆଲୋଚନା କରିବା ଉଚିତ୍। ଏହାଦ୍ବାରା ଯୋଦ୍ଧାମାନଙ୍କ ମନୋବଳ ବୃଦ୍ଧି ପାଇବ। ତେବେ ଜିଲ୍ଲାପାଳ, ଏସ୍‌ପି ଓ ବରିଷ୍ଠ ଅଧିକାରୀମାନେ କୋଭିଡ୍ ଯୋଦ୍ଧାଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ଦରକାର। ଲୋକଙ୍କ ସୁରକ୍ଷା ପାଇଁ ସେମାନେ ଅନେକ ତ୍ୟାଗ କରୁଛନ୍ତି। ତେଣୁ ସେମାନଙ୍କୁ ନିଜର ସୁରକ୍ଷା ସଂପର୍କରେ ସଚେତନ କରାଯିବା ଦରକାର ଓ ଏହା ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ନବୀନ ସୂଚାଇ ଦେଇଥିଲେ।

ସେହିଭଳି ଘରୋଇ ହସ୍‌ପିଟାଲ ଗୁଡିକୁ ସଚେତନ କରିବା ଉପରେ ଗୁରୁତ୍ବ ଆରୋପ କରି ସେଗୁଡିକ ଠିକ୍‌ ଭାବରେ କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ କରୁଛନ୍ତି ନା ନାହିଁ, ସେ ସଂପର୍କରେ ବାରମ୍ବାର ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ନବୀନ କହିଥିଲେ ଯେ ହଟ୍‌ସ୍ପଟ୍‌ ଅଞ୍ଚଳ ଗୁଡିକରେ ଜିଲ୍ଲାପାଳମାନେ ଆବଶ୍ୟକତା ଅନୁଯାୟୀ ସ୍ବତନ୍ତ୍ର ରଣନୀତି କରିବା ଦରକାର। ଏହାସହିତ କୋଭିଡ୍ ଯୁଦ୍ଧରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ଲାଗି ସେ ପରାମର୍ଶ ଦେଇଥିଲେ।

ବର୍ତ୍ତମାନ ସୁଦ୍ଧା କୋଭିଡ ଯୁଦ୍ଧରେ ଆମେ ବହୁତ ଭଲ ପ୍ରଦର୍ଶନ କରୁଛୁ ବୋଲି ସୂଚାଇ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଏହା ଜାରି ରହିବ ବୋଲି ଆଶା ପ୍ରକଟ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଓ ଏସ୍‌.ପି ମାନେ ସେମାନଙ୍କର ଗତ ତିନି ମାସର ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ଜୁଲାଇ ମାସରେ କୋଭିଡ ମୁକାବିଲା ପାଇଁ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ। ସେମାନଙ୍କ ମତାମତ ଭିତ୍ତିରେ ରାଜ୍ୟ ସରକାର କୋଭିଡ୍ ପରିଚାଳନା ପାଇଁ ବିସ୍ତୃତ ରଣନୀତି ନିର୍ଦ୍ଧାରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିସନର, ମୁଖ୍ୟମନ୍ତ୍ରୀ ସଚିବ (୫-ଟି), ବରିଷ୍ଠ ଅଧିକାରୀ ଓ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର