ବାତ୍ୟା ‘ଅମ୍ଫାନ’କୁ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ; ଆତଙ୍କିତ ହୁଅନି, ସହଯୋଗ କ‌ର

ଭୁବନେଶ୍ବର : ଓଡ଼ିଶାବାସୀ ମହାବାତ୍ୟାଠାରୁ ଆରମ୍ଭ କରି ଫନି, ତିତଲି, ବୁଲ୍‌ବୁଲ୍‌, ଫାଇଲିନ୍, ହୁଡ୍‌ହୁଡ୍‌ ଆଦି ଅନେକ ବାତ୍ୟାର ସଫଳତାର ସହ ମୁକାବିଲା କରି ଆସିଛନ୍ତି। ତେଣୁ ‘ଅମ୍ଫାନ’କୁ ନେଇ ଆତଙ୍କିତ ହୁଅନି। ମୁକାବିଲା କରିବା ପାଇଁ ସରକାରଙ୍କୁ ସହଯୋଗ କର। ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅମ୍ଫାନ’କୁ ନେଇ ଓଡ଼ିଶାର ଜନତାଙ୍କୁ ଏମିତି ପରାମର୍ଶ ସହ ଆଶ୍ବାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ଏହାକୁ ଦୃଷ୍ଟିରେ ରଖି ମୁକାବିଲା ଯୋଜନା ପ୍ରସ୍ତୁତ କର।

‘ଅମ୍ଫାନ’ର ମୁକାବିଲା ନିମନ୍ତେ ରାଜ୍ୟ ସରକାର ପ୍ରସ୍ତୁତି ଜୋର୍‌ଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖିବା ସହ ବିପଦସଙ୍କୁଳ ଅଞ୍ଚଳର ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ‌େଯାଜନା ପ୍ରସ୍ତୁତି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥ‌ିଲେ। ବାତ୍ୟା ପରେ ପରେ ରାସ୍ତା, ବିଜୁଳି ଓ ପାନୀୟ ଜଳ ଯୋଗାଣ ସ୍ବାଭାବିକ କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ପଡ଼ିବ। ଏଥି ପାଇଁ ପୂର୍ତ୍ତ, ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ନଗର ଉନ୍ନୟନ ବିଭାଗ ସମନ୍ବୟ ରଖି କାମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ମାଛଧରା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ। ରାଜ୍ୟ ପ୍ରଶାସନ ବର୍ତ୍ତମାନ କରୋନା ନିୟନ୍ତ୍ରଣରେ ସଫଳତାର ସହ କାମ କରିଚାଲିଥିବାରୁ ମୁଖ୍ୟମନ୍ତ୍ରୀ ତୃଣମୂଳ ସ୍ତରରୁ ଆରମ୍ଭ କରି ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଟିମ୍ ଓଡ଼ିଶାର ସମସ୍ତ ସଦସ୍ୟଙ୍କୁ ସେମାନଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ପାଇଁ ଧନ୍ୟବାଦ ଜଣାଇଥିଲେ।

ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଥି‌ଲେ। ଏହି ବାତ୍ୟା ଯୋଗୁ ଅଧିକ ପ୍ରଭାବିତ ହେବାକୁ ଥିବା ୪ଟି ଜିଲ୍ଲାରେ ଏକ ଲକ୍ଷ ହେକ୍ଟର ରବି ଫସଲ ଓ ପନିପରିବା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ତେଣୁ ଚାଷୀମାନଙ୍କୁ ଏ ସମ୍ପର୍କରେ ବ୍ୟାପକ ଭାବେ ସଚେତନ କରାଯିବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଡାକ୍ତରଖାନା ସହିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକରେ ବିଦ୍ୟୁତ ସରବରାହ ନିରନ୍ତର ଜାରି ରଖାଯିବା, ସହରାଞ୍ଚଳଗୁଡ଼ିକରେ ଜଳ ଆବଦ୍ଧ ପରି ସମସ୍ୟାର ଦୂରୀକରଣ ଆଦି ବିଷୟରେ ଆଲୋଚନା କରାଯାଇଥିଲା।

ସ୍ବତନ୍ତ୍ର ରିଲିଫ୍ କମିସନର୍‌ ପ୍ରଦୀପ ଜେନା କହିଥିଲେ ଯେ ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ୧୧ ଲକ୍ଷ ଲୋକ ରହିପାରିବା ପରି ୫୬୭ ବାତ୍ୟା ଆଶ୍ରୟସ୍ଥଳ ଏବଂ ୭୦୦୦ ପକ୍କା ଘର ପ୍ରସ୍ତୁତ ରଖାଯାଇଛି। ଏହା ସହିତ ୩ଟି ଏନ୍‌ଡିଆର୍‌ଏଫ୍‌ ଓ ୧୨ଟି ଓଡ୍ରାଫ୍‌ ଟିମ୍ ଏବଂ ୩୫୫ ୟୁନିଟ୍‌ ଅଗ୍ନିଶମ ସେବା ବାହିନୀ ମୁତୟନ କରାଯାଇଛି।

ଏହି ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିସନର୍‌, ପୁଲିସ ମହାନିର୍ଦ୍ଦେଶକ, ସ୍ବତନ୍ତ୍ର ରିଲିଫ୍ କମିସନର୍‌ଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର