କେନ୍ଦ୍ରାପଡ଼ାରେ ନିର୍ମାଣ ହେବ ୩୦ ବାତ୍ୟା ଆଶ୍ରୟସ୍ଥଳ

କେନ୍ଦ୍ରାପଡ଼ାରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସ୍କୁଲ୍‌, ଅଙ୍ଗନୱାଡ଼ି କେନ୍ଦ୍ର ମରାମତି ପାଇଁ ୨ ଲକ୍ଷ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ସମ୍ଭାବ୍ୟ ବାତ୍ୟା ସମ୍ବେଦନଶୀଳ ୩୦ଟି ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯିବ। ପ୍ରତ୍ୟେକ ଆଶ୍ରୟସ୍ଥଳ ବାବଦରେ ଖର୍ଚ୍ଚ ହେବ ୨ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି।

ଗତକାଲି ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଯାଇ ‌ସେଠାରେ ଫନି ପରବର୍ତ୍ତୀ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରି ଜିଲ୍ଲା ପାଇଁ ବିଭିନ୍ନ ଘୋଷଣା କରିଥିଲେ। ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଥିତିର ସମୀକ୍ଷା କରିବା ସହ ବିଭିନ୍ନ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ଉପକୂଳ ଅଞ୍ଚଳ ବାତ୍ୟାପ୍ରବଣ ଓ ପ୍ରାୟ ପ୍ରତି ବର୍ଷ ବାତ୍ୟା ଦ୍ବାରା ବ୍ୟାପକ ଧନଜୀବନ ହାନୀ ଘଟୁଛି। ବାତ୍ୟା ଆଶ୍ରୟସ୍ଥଳ ଏ ଦିଗରେ ଲୋକଙ୍କୁ ସହାୟ ହେବ ବୋଲି ସେ ଆଶାପ୍ରକଟ କରିଥିଲେ।

ବାତ୍ୟାରେ କ୍ଷତିଗ୍ରସ୍ତ ସ୍କୁଲ୍‌ ଘର, ଅଙ୍ଗନୱାଡ଼ି କେନ୍ଦ୍ର ଓ ପଞ୍ଚାୟତ ଦ୍ବାରା ପରିଚାଳିତ ବିଭିନ୍ନ ଘରଗୁଡ଼ିକର ମରାମତି ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ। ଏହା ବାଦ୍ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଚାଷୀ ଓ ମତ୍ସ୍ୟଜୀବୀମାନଙ୍କ ପାଇଁ ଘୋଷିତ ଜୀବିକା ପ୍ୟାକେଜ୍‌ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ‌େଦଇଥିଲେ। ଜଣେ ବି ଯୋଗ୍ୟ ବ୍ୟକ୍ତି ଯେପରି କ୍ଷତିପୂରଣ ପାଇବାରୁ ବଞ୍ଚିତ ନ ହୁଏ, ସେଥି ପାଇଁ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ। ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ବନ୍ଧବାଡ଼କୁ ମଧ୍ୟ ସୁଦୃଢ଼ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ କୁହାଯାଇଥିଲା। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ବିଦ୍ୟୁତ ଓ ଜଳଯୋଗାଣ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି ବୋଲି ବିଭାଗୀୟ ଅଧିକାରୀମାନେ ବୈଠକରେ ସୂଚନା ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତିକେୟନ ପାଣ୍ତିଆନ୍, ଫନି ମୁକାବିଲା ପାଇଁ ନିଯୁକ୍ତ ନୋଡାଲ ଅଫିସର ତଥା ଜଳ ସମ୍ପଦ ବିଭାଗ ଶାସନ ସଚିବ ପ୍ରଦୀପ କୁମାର ଜେନା, ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ, ଆରକ୍ଷୀ ଅଧୀକ୍ଷକ ନିତି ଶେଖର, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିେର୍ଦ୍ଦଶକ ଦିଲ୍ଲୀପ କୁମାର ପରିଡ଼ା, ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ର ଓ ଜରୁରୀ ଅଧିକାରୀ ସମ୍ବିତ କୁମାର ଶତପଥୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ବିଡ଼ିଓ, ତହସିଲଦାରମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର