ଯେମିତି ରଥ ହେଲା, ସେମିତି ବାକି ଯାତ୍ରା କର, ବରିଷ୍ଠ ଅଧିକାରୀଙ୍କୁ ନିର୍ଦେଶ ଦେଲେ ନବୀନ

କୋଭିଡ୍ ନେଗେଟିଭ୍ ଥିବା ସେବାୟତ ନୀତି କରିବେ
ବିଶ୍ବ ଓଡ଼ିଶା ଉପରେ ନଜର ରଖିଛି ବୋଲି ମନେ ପକାଇଦେଲେ

ଭୁବନେଶ୍ବର :ସୁପ୍ରିମକୋର୍ଟଙ୍କ ନିର୍ଦେଶାବଳୀ ପାଳନ କରି ଯେଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ହେଲା, ଠିକ୍ ସେମିତି ବାହୁଡ଼ା, ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ନୀତି ହେବା ଦରକାର। ଆଜି ସନ୍ଧ୍ୟାରେ ଭିଡ଼ିଓ କନଫରେନ୍ସିଂ ଯୋଗେ ମହାପ୍ରଭୁଙ୍କ ରଥଯାତ୍ରାର ବାକି ଦିନଗୁଡିକ ସଂପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏଭଳି ଗୁରୁତ୍ବାରୋପ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ପୁଣିଥରେ ଶ୍ରୀଗୁଣ୍ଡିଚା ଯାତ୍ରାର ସଠିକ୍ ପରିଚାଳନା ପାଇଁ ସେବାୟତ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ,ପୁଲିସ, ସ୍ବାସ୍ଥ୍ୟ ବିଭାଗକୁ ଧନ୍ୟବାଦ ଜଣାଇଥିଲେ। ଏଥସିହତ ଅନ୍ୟନୀତିରେ ମଧ୍ୟ ସହଯୋଗ କାମନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ବାହୁଡା, ସୁନାବେଶ ନୀତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍ ସମୟରେ ହେବା ସହିତ କୋଭିଡ଼୍ ନେଗେଟିଭ୍ ଥିବା ସେବାୟତମାନଙ୍କୁ ନେଇ କେବଳ ନୀତି ସଂପାଦନ କରାଯିବା ଦରକାର। ପୁରୀ ସହରରେ କୋଭିଡ୍ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲାଗି ସେ ନିର୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ, କୋଭିଡ଼୍ ସର୍ଭେ ଓ ପରୀକ୍ଷା କାର୍ଯ୍ୟ ଆହୁରି ବ୍ୟାପକ କରିବା ଲାଗି ଅଧିକାରୀମାନଙ୍କୁ ଜଣାଇଥିଲେ।

ବାହୁଡା, ସୁନାବେଶ, ଅଧରପଣା, ନିଳାଦ୍ରୀ ବିଜେ କାର୍ଯ୍ୟକ୍ରମକୁ ଜନସାଧାରଣ ଯେପରି ଘରେ ବସି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ତତ୍ତ୍ବାବଧାନରେ ବିଭିନ୍ନ ଚ୍ୟାନେଲରେ ସିଧା ପ୍ରସାରଣ ପାଇଁ ପରାମର୍ଶ ନବୀନ ପରାମର୍ଶ ଦେଇଥିଲେ। ସେ ଦୋହରାଇଥିଲେ, ମହାପ୍ରଭୁଙ୍କ ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଆମ ଉପରେ ସାରା ବିଶ୍ବର ନଜର ରହିଛି। ତେଣୁ କୋଭିଡ୍-ନିର୍ଦେଶାବଳୀ ଓ ଲକ୍‌ଡାଉନ୍ ନିୟମାବଳୀକୁ ଠିକ୍ ଭାବେ ପାଳନ କରିବା ପାଇଁ ଉଦ୍ୟମ ଜାରି ରହିବା ଦରକାର।

ଆଇନ ମନ୍ତ୍ରୀ ପ୍ରତାପ େଜନା, ମୁଖ୍ୟଶାସନ ସଚିବ,ପୁଲିସ ମହାନିର୍ଦେଶକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥଯାତ୍ରାର ବିଭିନ୍ନ ସଫଳ ଦିଗ ସଂପର୍କରେ ଆଲୋଚନା କରିବା ସହ ବାହୁଡା ଏବଂ ସୁନାବେଶର ପ୍ରସ୍ତୁତି ସଂପର୍କରେ ଅବଗତ କରିଥିଲେ। ଏହି ଆଲୋଚନାରେ ପୁରୀ ରଥଯାତ୍ରା ଦାୟିତ୍ବରେ ଥିବା ମନ୍ତ୍ରୀ, ଯୋଜନା ବୋର୍ଡ ଉପାଧ୍ୟକ୍ଷ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର