ବର୍ଷା ଓ ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ଦେଖା ଦେଇଥିବା ବର୍ଷା ଓ ବନ୍ୟା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମୀକ୍ଷା କରିଛନ୍ତି। ମହାନଦୀ ଅବବାହିକା ଅଞ୍ଚଳରେ ବର୍ଷା ଯୋଗୁଁ ମଧ୍ୟମ ଧରଣର ବନ୍ୟା ଆସିବାର ଆଶଙ୍କା ଥିବାରୁ ସମସ୍ତ ସଂପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ ଲୋକଙ୍କୁ ତୁରନ୍ତ ରିଲିଫ୍‌ ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନକୁ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍‌ ଯୋଗାଣ ପାଇଁ ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ ସହାୟତା ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

ଯେଉଁ ସବୁ ସ୍ଥାନରେ ପରିସ୍ଥିତି ସ୍ୱାଭାବିକ ହୋଇସାରିଛି, ସେଠାରେ ଜିଲ୍ଲା କର୍ତ୍ତୃପକ୍ଷ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏହା ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବୈଠକରେ ଦିଆଯାଇଥିବା ସୂଚନା ଅନୁଯାୟୀ ମାଲକାନଗିରିରେ ବିଚ୍ଛିନ୍ନ ହୋଇଥିବା ଯୋଗାଯୋଗ ବ୍ୟବସ୍ଥାକୁ ପୁନଃସ୍ଥାପିତ କରାଯାଇଛି। କଳାହାଣ୍ଡି ଜିଲ୍ଲା ଏବଂ କଟକ-ଭୁବନେଶ୍ୱର-ପୁରୀରେ ପରିସ୍ଥିତି ବର୍ତ୍ତମାନ ସ୍ୱାଭାବିକ ରହିଛି। ସମ୍ବଲପୁରରେ ପରିସ୍ଥିତିରେ ଉନ୍ନତି ଆସିଛି ଓ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଆଦି ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈତରଣୀରେ ମଧ୍ୟ ବନ୍ୟାର ଆଶଙ୍କା ରହିଛି। କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଥିଲା। ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌, ସ୍ୱତନ୍ତ୍ର ରିଲିଫ୍‌ କମିସନର୍‌, ବିଭିନ୍ନ ବିଭାଗର ସଚିବ ଓ ପାଣିପାଗ ନିର୍ଦ୍ଦେଶକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର