ସାନଖେମୁଣ୍ଡିରୁ ଆସିକା ନବୀନଙ୍କ ମାରାଥନ୍‌ ରୋଡ ସୋ’ : ମହିଳାଙ୍କୁ ବିଜେଡି ଅଗ୍ରାଧିକାର ଦେଇଛି

ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଲୋକଙ୍କ ଆଶୀର୍ବାଦ ନେଲେ

ପାଟପୁର/ଶେରଗଡ଼/ହିଞ୍ଜିଳିକାଟୁ : ସାଢେ ୪କୋଟି ଓଡ଼ିଶାବାସୀ ମୋର ପରିବାର। ମହିଳାଙ୍କୁ ବିଜେଡି ଅଗ୍ରାଧିକାର ‌ଦେଇ ଆସିଛି। ମା’ ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ୍‌ ଇଞ୍ଜିନ୍‌। କାଳିଆ ଯୋଜନାରୁ କୌଣସି ଯୋଗ୍ୟ ଚାଷୀ ବଞ୍ଚିତ ହେବେ ନାହିଁ ବୋଲି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ୧୮ତାରିଖରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ‌େଭାଟରେ ଆସିକା ଲୋକସଭା ଓ ତତ୍‌ସଂଲଗ୍ନ ସାତ ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ମଧ୍ୟ ରହିଛି। ତେଣୁ ହିଞ୍ଜିଳିରେ ପ୍ରଚାର ବେଳେ ସେ ଜନସାଧାରଣଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

ଶୁକ୍ରବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ସାନଖେମୁଣ୍ଡି ସାରଙ୍ଗ ବିହାର ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ। ଆଉ ମହନଳାଠାରୁ ଆରମ୍ଭ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍‌ ରୋଡ ସୋ’। ଅତ୍ୟାଧୁନିକ ବସ୍‌ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ହୋଇ ଆସିକା ପର୍ଯ୍ୟନ୍ତ ରୋଡ଼ ‌ସୋ କରି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ସମେତ ନିଜ ପାଇଁ ଭୋଟ ମାଗିଥିଲେ। ପାଟପୁର ଗାନ୍ଧି ଛକରେ ଉଦ୍‌ବୋଧନ ଦେଇଥିଲେ। ରୋଡ୍‌ ସେ ମୁଖମନ୍ତ୍ରୀ ରାଧାଦେଇପୁର, ଏରେଣ୍ଡ୍ରା, ଖଲିଙ୍ଗି, ଆଡପଡ଼ା, କଙ୍କୋରଡ଼ା, ରାମଚନ୍ଦ୍ରପୁର, ଜଗନ୍ନାଥପୁର ଦେଇ ହିଞ୍ଜିଳି ଆସନର ଶେରଗଡ଼ରେ ପହଞ୍ଚିଥିଲେ। ରୋଡ଼ ସୋ’ ବେଳେ ପଥପ୍ରାନ୍ତ ସଭାରେ ମୁଖ୍ୟମନ୍ତ୍ରୀ କଙ୍କୋରଡ଼ା ଓ ବିଭିନ୍ନ ସ୍ଥାନରେ ଉଦ୍‌ବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ‌‌‌ସୋ’ରେ ସାନଖେମୁଣ୍ଡି ବିଧାନସଭା ଆସନର ବିଜେଡି ପ୍ରାର୍ଥିନୀ ନନ୍ଦିନୀ ଦେବୀ ଓ ଆସିକା ଲୋକସଭା ଆସନର ବିଜେଡି ପ୍ରାର୍ଥିନୀ ପ୍ରମିଳା ବିଷୋୟୀ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସିଂ, ସାନଖେମୁଣ୍ଡି ଯୁବରାଜ ବୀର କିଶୋର‌ ଦେବ ପ୍ରମୁଖ ଉପସ୍ଥିତ ଥିଲେ।

ଶେରଗଡ଼ରେ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ଏବଂ ବଜାର ଛକରେ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଭୋଟ ପାଇଁ ନିବେଦନ କରିଥିଲେ। ସେଠାରୁ କୁମାରପାଣି, କରଡ଼ାକଣା, ବରମୁଣ୍ଡଳୀ, ବାଦଗଡ଼, ପଦ୍ମପୁର, ତାକରଡ଼ା, ଧବଳପୁର, ଧନନ୍ତର, ଡେଙ୍ଗାପଦର, ଗୋବିନ୍ଦପୁର, ଗୋଠଗାଁ, ଠୁରୁବୁରାଇ, କୁରୁଳା, ଅଲାରିଗଡ଼, ପିତଳ ଛକ ରୋଡ଼ ସୋ’ କରିଥିଲେ। ଏହି ଅବସରରେ ଶେରଗଡ଼ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ୍‌ ରାଲି ତାଙ୍କୁ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରାର୍ଥୀ ପ୍ରମିଳା ବିଷୋୟୀ, ଜିଲ୍ଲା ସଭାପତି ଡ.ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ସୁରଥ ପ୍ରଧାନ, ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର ଓ ବହୁ ନେତା ଉପସ୍ଥିତ ଥିଲେ।

ଅପରାହ୍ନରେ ଶେରଗଡ଼ ପ୍ରଚାର ସାରି ଅଲାରିଗଡ଼ ଦେଇ ହିଞ୍ଜିଳି ନିର୍ବାଚନମଣ୍ଡଳୀର ସମରଝୋଳରେ ପହଞ୍ଚି ପ୍ରଚାର ଆରମ୍ଭ କରିଥିଲେ। ହିଞ୍ଜିଳି ବ୍ଲକର ମକରଝୋଳ, ବଡ଼ଖଣ୍ଡି, କଞ୍ଜୁରୁ, ବୁର୍ବନ୍ଧ, ଗଣ୍ଡଳା, ବେଲଗାଁ, ଧୋବାଡ଼ି ପାଟପୁର, ବାଳକୃଷ୍ଣପୁର, ନନ୍ଦିକ ଓ ସିକିରି ଦେଇ ହିଞ୍ଜିଳି ସହରରେ ପହଞ୍ଚିଥିଲେ। ବିଜୁ ପଟ୍ଟନାୟକ ଛକରେ ନିର୍ବାଚନ ପ୍ରଚାର ପରେ ଖଣ୍ଡରା ଓ ପୋଡିଙ୍ଗି ଛକ ପର୍ଯ୍ୟନ୍ତ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଏନ.ରଘୁନାଥ, ଡି.ବିଶ୍ବନାଥ, ରାମହରି ଶର୍ମା, ମହନ୍ତ ହରିହର ଦାଶ, ଦୁର୍ଗାପ୍ରସାଦ ମହାନ୍ତି, ଗାନ୍ଧିପଣ୍ଡା, ଯୁବନେତା ସୁଧାଂଶୁ ସାହୁ, ଡି.ଲିଙ୍ଗରାଜ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ନଗର ବିଜେଡି ସଭାପତି ଭୀମସେନ ବେହେରା, ନଗର ଯୁବ ବିଜେଡି ସଭାପତି ସଂଜୟ କୁମାର ପଣ୍ଡା, କାହ୍ନୁ ଚୌଧୁରୀ, ମାନସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସେଠାରୁ ଆସିକା ବିଧାନସଭା ଆସନର ବିଜେଡି ପ୍ରାର୍ଥିନୀ ମଞ୍ଜୁଳା ସ୍ବାଇଁଙ୍କ ପାଇଁ ମାରାଥନ ପ୍ରଚାର କରିଥିଲେ। ଆଲିପୁର, କୋଟିନଡା, ପଥରା, ଗବନଳା, ଏବଂ ସିଦ୍ଧନଇ ପଞ୍ଚାୟତର ବଣବାଲି, ମହାରାଜପୁର, ବାଦଗଡ଼ରେ ପ୍ରଚାର କରିଥିଲେ। ବ୍ଲକ ବିଜେଡି ସଭାପତି ଶିବ ନାହାକ, ଭଗବାନ ସାହୁ, ଅଶ୍ବିନୀ ସ୍ବାଇଁ, ନଚିକେତା ସ୍ବାଇଁ, ସତ୍ୟ ନାରାୟଣ ସ୍ବାଇଁ, ସୂର୍ଯ୍ୟକାନ୍ତ ପରିଡା, ଉପାଧ୍ୟକ୍ଷା ସୁଜାତା ସ୍ବାଇଁ, ଭଜରାମ ସ୍ବାଇଁ, ଅନୀଲ କୁମାର ନାୟକ, ବଂଶୀଧର ନାହାକ ଓ ଶିବ ନାହାକ ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର