ରାଜ୍ୟର ପ୍ରଥମ କ‌ାଡାଭେରିକ କିଡ୍‌ନି ପ୍ରତିରୋପଣ : ଡାକ୍ତରୀଦଳକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଗତ ୪ ତାରିଖରେ ଗଞ୍ଜାମର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ ମୃତ୍ୟୁ ପ‌ରେ ତାଙ୍କ କିଡ୍‌ନି ଦୁଇଟିକୁ ସଫଳତାର ସହ ଅନ୍ୟ ଦୁଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରି ଦୁଇଟି ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି କଟକ ଏସ୍‌ସିବି ମେଡିକାଲ କଲେଜ ଓ ଭୁବନେଶ୍ବରର ଆପୋଲୋ ହସ୍‌ପିଟାଲ୍‌ର ଡାକ୍ତରମାନେ। ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କାଡାଭେରିକ୍ କିଡ୍‌ନି ପ୍ରତିରୋପଣର ସଫଳତା ପାଇଁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହତ କାର୍ଯ୍ୟ କରିଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ପ୍ରଥମ କାଡାଭେରିକ୍‌ କିଡ୍‌ନି ପ୍ରତିରୋପଣକୁ ରାଜ୍ୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଡାକ୍ତରମାନଙ୍କ ଦକ୍ଷତାର ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଅଙ୍ଗ ପ୍ରତିରୋପଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଏକ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ବ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ମୃତ୍ୟୁ ପ‌ରେ ଅଙ୍ଗଦାନକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ‘ସୂରଯ ସମ୍ମାନ’ ଘୋଷଣା କରିଛନ୍ତି। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ କହି‌ଥିଲେ, ମୃତ ବ୍ୟକ୍ତିଙ୍କ ଅଙ୍ଗ ଦାନ ଏକ ମହତ ଦାନ। ଏହାଦ୍ବାରା ଅନ୍ୟମାନଙ୍କ ଜୀବନ ରକ୍ଷା ଯେପରି ହୋଇପାରିବ, ସେଥିପାଇଁ ଆବଶ୍ୟକ ପଡ଼ିଲେ ହେଲିକପ୍‌ଟର ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

ଏହି ଅବସରରେ ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ ପ୍ରାରମ୍ଭିକ ସୂଚନା ଦେଇଥିଲେ। କଟକ ଏସ୍‌ସିବି ମେଡିକାଲ କଲେଜର ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଚିତ୍ତରଞ୍ଜନ କର ଏବଂ ଆପୋଲୋ ହସ୍‌ପିଟାଲ୍‌ର ୟୁରୋଲୋଜି ବିଭାଗର ମୁଖ୍ୟ ସମୀରନ ଦାସ ଅଧିକାରୀ ମୃତ ବ୍ୟକ୍ତିଙ୍କ ଅଙ୍ଗ ସଂଗ୍ରହ ଓ ପ୍ରତିରୋପଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

କିଡ୍‌ନି ପ୍ରତିରୋପଣ ହୋଇଥିବା ରୋଗୀ ଦ୍ବୟ ସୁସ୍ଥ ଅଛନ୍ତି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। କଟକ ଏସ୍‌ସିବି ମେଡିକାଲ କଲେଜର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଓ ୟୁରୋଲୋଜି ବିଭାଗର ପ୍ରଫେସର ‌ଡାକ୍ତର ‌ଦତ୍ତେଶ୍ବର ହୋତା, ପ୍ରଫେସର ଜୟଶ୍ରୀ ମହାନ୍ତି, ପ୍ରଫେସର ସରୋଜକାନ୍ତ ସାହୁ, ସବ୍ୟସାଚୀ ପଣ୍ଡା, ସଞ୍ଜୟ ଚୌଧୁରୀ, କଲ୍ୟାଣୀବାଳା ନ‌ାୟକ, ରୁଦ୍ରାଶିଷ ସାମଲ, ଅନିନ୍ଦିତା ସାବତ, ସୁମନ ସିଂହ, ରମାକାନ୍ତ ପଣ୍ଡା, ସାବିତ୍ରୀ ଦାସ ଓ ଏଲ୍‌.ଏନ୍‌ ବେହେରା ଏବଂ ଆପୋଲୋ ହସ୍‌ପିଟାଲ୍‌ର ସୁଧୀର ଦିଗିକର, ସମୀରନ ଦାସ ଅଧିକାରୀ, ଶର୍ମିଳି ସିହ୍ନା, ବିବେକାନନ୍ଦ ପଣ୍ଡା, ଦେବବ୍ରତ ଦାଶ, ସୁବ୍ରତ ସାହୁ, ନୀତୀଶ ମହାନ୍ତି ଓ ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର