ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର : ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ପୁରୀ/ସତ୍ୟବାଦୀ : ମଙ୍ଗଳବାର ସତ୍ୟବାଦୀରେ ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ପଡ଼ିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଆ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ପକାଇବେ। ଏଥି ପାଇଁ ପବିତ୍ର ବକୁଳବନକୁ ସୁସଜ୍ଜିତ କରାଯିବା ସହ କାନ୍ଥବାଡ଼କୁ ଆକର୍ଷଣୀୟ ଚିତ୍ରକଳାରେ ସଜ୍ଜିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରୁଫ୍‌ଟପ୍ ସୁରକ୍ଷା ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କୁ ସଭାସ୍ଥଳରେ ପହଞ୍ଚାଇବା ବ୍ୟବସ୍ଥା ହୋଇଛି। ଭିତ୍ତିପ୍ରସ୍ତର ଓ ବୃକ୍ଷରୋପଣ ପାଇଁ ୩୦ଟି ଜିଲ୍ଲାରୁ ଆସିଥିବା ପବିତ୍ର ମାଟି, ନଦୀଜଳ ବକୁଳବନରେ ପହଞ୍ଚି ସାରିଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ମାଟିରେ ବୃକ୍ଷରୋପଣ କରିବା ପରେ ସଭାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ୯ ତାରିଖ ସକାଳ ସାଢ଼େ ୧୦ଟାରେ ନବୀନ ନିବାସ ଛାଡ଼ିବେ। ଆସନ୍ତାକାଲି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୧ତମ ଜନ୍ମ ଜୟନ୍ତୀ ଥିବାରୁ ମୁଖ୍ୟମନ୍ତ୍ରୀ ୧୦ଟା ୪୫ରେ ବିଧାନସଭାରେ ପହଞ୍ଚି ସ୍ବର୍ଗତ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ୧୦ଟା ୪୫ରେ ବିଧାନସଭା ଛାଡ଼ି ପୂର୍ବାହ୍ଣ ସାଢ଼େ ୧୧ଟାରେ ପଞ୍ଚସଖା ସମାଧି ପୀଠରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ୧୧ଟା ୩୫ରେ ପଞ୍ଚସଖାଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପରେ ୧୧ଟା ୪୫ରେ ବକୁଳବନ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବେ। ୩୦ଟି ଜିଲ୍ଲାରୁ ଆସିଥିବା ପବିତ୍ର ଜଳ ଓ ମାଟିରେ ବୃକ୍ଷରୋପଣ ପରେ ପୂର୍ବାହ୍ଣ ୧୧ଟା୫୨ରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଆୟୋଜିତ ଭିତ୍ତିପ୍ରସ୍ତର ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏ ସଂପର୍କରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ କହିଛନ୍ତି, ରାଜ୍ୟର ୩୦ ଜିଲ୍ଲାରୁ ପବିତ୍ର ମାଟି ଓ ପାଣି ବକୁଳବନରେ ପହଞ୍ଚି ସାରିଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ ପରେ ବକୁଳବନକୁ ୩୦ ଜିଲ୍ଲାରୁ ଆସିଥିବା ପବିତ୍ର ଜଳ ଓ ମାଟିରେ ବୃକ୍ଷରୋପଣ କରିବେ। ପରେ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଶ୍ରୀ ଦାସ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାଶ, ପୁରୀ ସାଂସଦ ପିନାକୀ ମିଶ୍ର, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା, ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ର କୁମାର ସେଠୀ, ଉନ୍ନୟନ କମିସନର ଏସ୍‌.ବାଳକୃଷ୍ଣ, ଉଚ୍ଚ ଶିକ୍ଷା ସଚିବ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର