ପୁରୀ : ସାମୁଦ୍ରିକ ଝଡ଼ବାତ୍ୟା ‘ଫନି’ ଶ୍ରୀମନ୍ଦିରରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ମନ୍ଦିର ପରିସରରେ ମୂର୍ତ୍ତି ଭାଙ୍ଗିବା ସହ ଗଛ ବି ଭାଙ୍ଗିଦେଇଛି। ଏସବୁ ସ୍ଥିତିକୁ ଆଜି ନିଜେ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଆବଶ୍ୟକ ମରାମତି କାର୍ଯ୍ୟ ଶେଷ କରିବା ପାଇଁ ପୂର୍ତ୍ତ ବିଭାଗ ଓ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଖାଲି ସେତିକି ନୁହେଁ, ଶ୍ରୀମନ୍ଦିର କାର୍ଯ୍ୟ ସହ କୌଣସିପ୍ରକାର ବୁଝାମଣା କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।
ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଅତର୍କିତ ଭାବେ ଶ୍ରୀମନ୍ଦିର ଗସ୍ତରେ ଆସିଥିଲେ। ସିଂହଦ୍ବାରରେ ଭାଙ୍ଗିଥିବା ଜୟ ମୂର୍ତ୍ତି ଦେଖିବା ପରେ ବାଇଶି ପାହାଚ ଦେଇ ଭିତରକୁ ପ୍ରବେଶ କରିଥିଲେ। ପାହାଚ ଚଢ଼ିବା ବେଳେ କେତେ କ୍ଷତି ହୋଇଛି ବୋଲି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କୁ ପଚାରିଥିଲେ। ପରେ ଶ୍ରୀ ମହାପାତ୍ର ଓ ଏଏସ୍ଆଇ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥିତି ସମ୍ପର୍କରେ ବୁଝାଇଥିଲେ। କୀର୍ତ୍ତନ ଚକଡ଼ା ଦେଇ ଜୟବିଜୟ ଦ୍ବାର ମଧ୍ୟରେ ଭିତରକାଠ ନିକଟକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ। ସେଠାରେ ଶ୍ରୀବିଗ୍ରହଙ୍କୁ ମୁଣ୍ଡିଆ ମାରିବା ପରେ ପାଟ୍ଟଯୋଶୀ ମହାପାତ୍ର ତାଙ୍କୁ ଦୀପ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଦୀପ ଦେଖାଇବା ପରେ ତାକୁ ଗର୍ଭଗୃହକୁ ନିଆଯାଇଥିଲା। ଜଣେ ଅଖଣ୍ଡ ସେବକ ଦୀପରୁ କଳା ଆଣି ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ମାରିଥିଲେ। ସେହିଠାରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀ ଭଣ୍ଡାର ଘର, ଚାଙ୍ଗଡ଼ା ଘରକୁ ଦେଖିଥିଲେ। ପରେ ବେହରଣ ଦ୍ବାର ଦେଇ ବାହାରିଥିଲେ।
ବେହରଣ ଦ୍ବାର ନିକଟରେ ଜଣେ ସେବକ ଦକ୍ଷିଣିଘର ସମସ୍ୟା କଥା କହିଥିଲେ। ସେ କହିଲେ, ଦକ୍ଷିଣିଘର ଦିଅଁଙ୍କ ଉପରେ ପାଣି ପଡ଼ୁଛି। ୫ କୋଟି ଟଙ୍କା ଖାଇଗଲେ, ଦିଅଁଙ୍କ କଥା ବୁଝନ୍ତୁ ବୋଲି କହିବାରୁ ଅନ୍ୟମାନେ ଏପରି ନକହିବାକୁ ସଂପୃକ୍ତ ସେବାୟତଙ୍କୁ ବାରଣ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ମୁକ୍ତି ମଣ୍ଡପକୁ ଯାଇ ମୁଣ୍ଡିଆ ମାରିବା ସହ ସେଠାରୁ କଳ୍ପବଟକୁ ଅନୁଧ୍ୟାନ କରିଥିଲେ। ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଲୁହାଭାରା ଖସି ପଡ଼ିଥିବା ସ୍ଥାନ ଦେଖାଇ ଲୁହାଭାରା କିପରି ଖସିଥିଲା ଓ କେଉଁଠି ପଡ଼ିଥିଲା ସେସବୁର ବିବରଣୀ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସାକ୍ଷୀଗୋପାଳ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର ଅନୁଧ୍ୟାନ କରିବା ସହ ଭଅଣ୍ଡ ଘର ପଥର ଖସିଥିବା ସ୍ଥାନକୁ ବି ଦେଖିଥିଲେ। ମନ୍ଦିର ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ ବାଇଶି ପାହାଚ ଦେଇ ବାହାରକୁ ଆସିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ବାତ୍ୟା ଯୋଗୁ ଶ୍ରୀମନ୍ଦିରରେ ଅନେକ କ୍ଷୟକ୍ଷତି ହୋଇଛି। ଏସବୁର ତୁରନ୍ତ ମରାମତି କରାଯିବ। ପୂର୍ତ୍ତ ବିଭାଗ ଯେଉଁଗୁଡ଼ିକର ମରାମତି କରିବ, ତାହା ଶୀଘ୍ର ଆରମ୍ଭ କରାଯିବ। ଏଏସ୍ଆଇ ମଧ୍ୟ ମରାମତି କାର୍ଯ୍ୟ ଚଳାଇଛି ଓ ଏହାକୁ ତ୍ବରାନ୍ବିତ କରିବ। ସ୍ନାନଯାତ୍ରା ପୂର୍ବରୁ ସମସ୍ତ ମରାମତି କାମ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ଉଭୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇ ଭୁବନେଶ୍ବର ଫେରି ଆସିଥିଲେ।
ପାଦ ତାତିଗଲା, ତଥାପି ବୁଲିଲେ
ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିଦର୍ଶନରେ ଆସିବା ସମୟରେ ପ୍ରବଳ ଖରା ଓ ଗରମ ଯୋଗୁ ମନ୍ଦିର ଚଟାଣ ତାତି ରହିଥିଲା। ସିଂହଦ୍ବାରରୁ ଚପଲ ଖୋଲି ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ସିଂହଦ୍ବାର ଗୁମୁଟ ଅତିକ୍ରମ କରିବା ପରେ ବାଇଶି ପାହାଚରେ ତାଙ୍କ ପାଦ ତାତି ଯାଇଥିଲା। କଷ୍ଟ ସତ୍ତ୍ବେ ସେ କୌଣସିପ୍ରକାର କୁରୁମ ବେଢ଼ା ଗୁମୁଟରେ ପହଞ୍ଚି ଯାଇଥିଲେ। ସେଠାରୁ ଚଟାଣରେ ଲାଗିଥିବା ତାପ କୁପରିବାହୀ ଧଳା ଆସ୍ତରଣ (ରାସାୟନିକ ଚୂନ) ଉପରେ ଚାଲି ଚାଲି ଘଣ୍ଟି ଦ୍ବାର ପର୍ଯ୍ୟନ୍ତ ଯାଇଥିଲେ। ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେହି ତତଲା ଚଟାଣରେ ବୁଲି କ୍ଷୟକ୍ଷତି ଦେଖିଥିଲେ ମୁଖ୍ୟମନ୍ତ୍ରୀ। ପ୍ରବଳ ଖରା ଏବଂ ପାଦ ତାତିଯିବା ସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କ ସ୍ମିତହାସ୍ୟ ଉପସ୍ଥିତ ସେବାୟତ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀଙ୍କୁ ଆହ୍ଲାଦିତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/naveen-patnaik-2.jpg)