ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀ

ପୁରୀ :ଇଂରାଜୀ ନବବର୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ୨୦୧୮ ମସିହାର ପ୍ରଥମ ସକାଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧ଟା୩୫ ମିନିଟରେ ସିଂହଦ୍ଵାରରେ ପହଞ୍ଚିବା ପରେ ବାଇଶି ପାହାଚ ଓ ବେହେରଣ ଦ୍ଵାର ଦେଇ ଜଗମୋହନର ଭିତରକାଠ ନିକଟରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେଠାରେ ପାଖାପାଖି ଦୁଇମିନିଟ ସେ ଜଗମୋହନର ମରାମତି କାମ ଦେଖିଥିଲେ। ପୋର୍ଟାଲ ଫ୍ରେମ୍‌ ସହ ଏହା ଉପରେ ହେଉଥିବା ପଥର ଗ୍ଲାଡିଂ କାମ ଦେଖିଥିଲେ। ମଧ୍ୟାହ୍ନ ୧୨ଟା ବେଳେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ସିଂହଦ୍ଵାର ଦେଇ ଫେରିଥିଲେ। ନବବର୍ଷ ଓଡ଼ିଶାବାସୀଙ୍କ ପାଇଁ ଶୁଭଙ୍କର ହେଉ ବୋଲି କାମନା କରିବା ସହ ରାଜ୍ୟରେ ଶାନ୍ତି ଓ ସମୃଦ୍ଧି ବଜାୟ ରହିବା ପାଇଁ ମହାପ୍ରଭୁଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଥିବା କହିଛନ୍ତି। ଏଠାରୁ ବାହାରିବା ପରେ ସେ ସ୍ୱର୍ଗଦ୍ଵାର ଯାଇ ସେଠାରେ ଥିବା ବିଜୁ ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ସେଠାରୁ ୧୨ଟା ୧୫ ମିନିଟରେ ବାହାରି ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟଠାରେ ବହୁ ପ୍ରତୀକ୍ଷିତ ଜିଲ୍ଲା ସଂସ୍କୃତି ଭବନ ଉଦ୍‌ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଆସିଥିବା ବେଳେ ସିଂହଦ୍ଵାର ଠାରୁ ସେମାନଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି, ପୌରାଧ୍ୟକ୍ଷ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ସଭାପତି ଜ୍ୟୋତିର୍ମୟ ଦଳାଇ, ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ର, ସମ୍ପାଦକ ପ୍ରେମାନନ୍ଦ ଦାସମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ, ଉପଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରମୁଖ ପାଛୋଟି ନେଇଥିଲେ। ସ୍ୱର୍ଗଦ୍ଵାର ଓ ସଂସ୍କୃତି ଭବନ ପରିସରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ପାଛୋଟି ନେଇଥିଲେ। ଦୀର୍ଘ ୧୨ବର୍ଷ ହେବ ଏହି ଭବନର ନିର୍ମାଣ ଚାଲିଥିଲା।

ସମ୍ବନ୍ଧିତ ଖବର