ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇକୁ ସିଧାସଳଖ ବିମାନସେବା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖିଛନ୍ତି। ଏୟାର ଇଣ୍ଡିଆ କିମ୍ବା ଅନ୍ୟ ଏୟାରଲାଇନ୍ସକୁ ଏହି ରୁଟ୍ରେ ବିମାନ ସେବା ଆରମ୍ଭ କରିବା ନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠିରେ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି, ରାଜ୍ୟରେ ଶିଳ୍ପ ପାଇଁ ପୁଞ୍ଜି ନିବେଶ ଓ ପର୍ଯ୍ୟଟକଙ୍କ ଆଗମନ ବଢ଼ିଥିବାରୁ ରାଜ୍ୟ ଭିତରୁ ଦୁବାଇ ଓ ମଧ୍ୟପ୍ରାଚ୍ୟ ଦେଶକୁ ଯାତାୟତ ବୃଦ୍ଧି ପାଇଛି। ଅନ୍ୟପଟେ ସେସବୁ ଦେଶରୁ ବହୁ ଲୋକ ଓଡ଼ିଶା ଆସୁଛନ୍ତି। ଏହାକୁ ଲକ୍ଷ୍ୟ ରଖି ଅନେକ ଅନ୍ତର୍ଜାତୀୟ ବିମାନ କମ୍ପାନି ଭୁବନେଶ୍ବରରୁ ଦୁବାଇକୁ ବିମାନ ସେବା ଆରମ୍ଭ କରିବାକୁ ଆଗ୍ରହ ଦେଖାଇଛନ୍ତି। ହେଲେ ବିମାନ ଅବତରଣ ଜନିତ ଅନୁମତି ନଥିବାରୁ ଭୁବନେଶ୍ବରରୁ ବିମାନ ସେବା ଆରମ୍ଭ କରିପାରୁନାହାନ୍ତି।
ଖାଲି ସେତିକି ନୁହେଁ, ଯଦିଓ ଭୁବନେଶ୍ବରରୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଏୟାର ଇଣ୍ଡିଆ ନୂଆଦିଲ୍ଲୀ ଭାୟା ହୋଇ ଅନ୍ତର୍ଜାତୀୟ ବିମାନ ସେବା ଯୋଗାଉଛି ଏହାଦ୍ବାରା କିନ୍ତୁ ପ୍ରକୃତ ସମସ୍ୟାର ସମାଧାନ ହେଉନି। ଯାତ୍ରୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଭୁବନେଶ୍ବର- ଦୁବାଇ ମଧ୍ୟରେ ବହୁ ଯାତ୍ରୀ ଯାତାୟତ କରୁଥିବାରୁ ଏହି ରୁଟ୍ରେ ସିଧା ବିମାନ ଉଡ଼ାଣ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ଅପରପକ୍ଷେ ଗତ ଦୁଇ ବର୍ଷ ମଧ୍ୟରେ ଭୁବନେଶ୍ବରରୁ ବିଭିନ୍ନ ସ୍ଥାନକୁ ସିଧା ବିମାନ ଉଡ଼ାଣ ନେଇ ମୁଖ୍ୟମନ୍ତ୍ରୀ ତିନି ଥର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖି ଅନୁରୋଧ କରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଗ୍ରହଣ କରିବା ତ ଦୂରର କଥା କିଛି ପ୍ରତ୍ୟୁତ୍ତର ଦେଇନି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମେ, ୨୦୧୭ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ବାରଣାସୀରୁ କଲୋମ୍ବୋ ଭାୟା ଭୁବନେଶ୍ବର ବିମାନ ଚଳାଇବାକୁ ଅନୁରୋଧ କରିଥିଲେ। ବୌଦ୍ଧ ପର୍ଯ୍ୟଟନସ୍ଥଳୀ ଦୃଷ୍ଟିରୁ ଓଡ଼ିଶା ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଏହି ରୁଟ୍ରେ ବିମାନ ସେବା ଆରମ୍ଭ କରିବାକୁ କହିଥିଲେ। ଏୟାର ଇଣ୍ଡିଆର ବାରଣାସୀ-କଲୋମ୍ବୋ ବିମାନକୁ ଭାୟା ଭୁବନେଶ୍ବର ହୋଇ ଯାତାୟତ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। କିନ୍ତୁ ଦୁଇ ବର୍ଷ ପରେ ବି ଏନେଇ କିଛି ପଦକ୍ଷେପ ନିଆଗଲାନି।
ସେହିପରି ଫେବ୍ରୁଆରି, ୨୦୧୮ରେ ଭୁବନେଶ୍ବରରୁ ପୁଣେକୁ ସିଧା ବିମାନ ସେବା ଆରମ୍ଭ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ। ଆଇଟି ଓ ଶିକ୍ଷା କ୍ଷେତ୍ରରେ ଏହି ଦୁଇ ସହର ମଧ୍ୟରେ ସମନ୍ବୟ ରହୁଥିବାରୁ ବହୁ ଯୁବକଯୁବତୀ ନିୟମିତ ଯାତାୟତ କରୁଛନ୍ତି। ତେଣୁ ବିମାନ ସେବା ଆରମ୍ଭ ହେବା ଦରକାର ମୁଖ୍ୟମନ୍ତ୍ରୀ କହିଥିଲେ। ହେଲେ ଏନେଇ ଆଜି ପର୍ଯ୍ୟନ୍ତ କିଛି ବି ପଦକ୍ଷେପ ନିଆଗଲାନି।
ସୁରତରେ ଲକ୍ଷାଧିକ ଓଡ଼ିଆ ରହୁଥିବାରୁ ସେମାନଙ୍କ ସୁବିଧା ପାଇଁ ଭୁବନେଶ୍ବରରୁ ସୁରତ ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅଗଷ୍ଟ, ୨୦୧୮ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ହେଲେ କିଛି ବି ପଦକ୍ଷେପ ନିଆଗଲାନି। ବରଂ ଭୁବନେଶ୍ବରରୁ ଅହମ୍ମଦାବାଦ ଯାଉଥିବା ଇଣ୍ଡିଗୋ ବିମାନର ଉଡ଼ାଣ ବନ୍ଦ ହୋଇଗଲା।
ଆଜି ଚିଠି ଲେଖିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଗତ ଦୁଇବର୍ଷ ମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଭୁବନେଶ୍ବରରୁ ବିଭିନ୍ନ ସ୍ଥାନକୁ ବିମାନ ଉଡ଼ାଣ ନେଇ ଚିଠି ଲେଖିଲେଣି କିନ୍ତୁ ଏହା ଉପରେ ଆଜି ପର୍ଯ୍ୟନ୍ତ କିଛି ବି ପଦକ୍ଷେପ ନିଆଯାଉନି। ଅପରପକ୍ଷେ ରାଜ୍ୟ ସରକାର ଚିଠିରେ ଏୟାର ଇଣ୍ଡିଆ ବିମାନ ସେବା ଆରମ୍ଭ କରିବାକୁ ଲେଖୁଥିବାରୁ ଏହି ଏୟାରଲାଇନ୍ସ ପକ୍ଷରୁ ଏନେଇ କିଛି ବି ପଦକ୍ଷେପ ନିଆଯାଉନି।
ଭୁବନେଶ୍ବରରୁ କ୍ବାଲାଲମ୍ପୁର ଏବଂ ବ୍ୟାଙ୍କକ୍କୁ ବିମାନ ସେବା ଆରମ୍ଭ କରିବାରେ ପ୍ରମୁଖ ଭୂମିକା ନିଭାଇଥିବା ହୋଟେଲ କ୍ରାଉନ୍ର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ ଏ ନେଇ କହନ୍ତି ଯେ, ରାଜ୍ୟ ସରକାର ଏୟାର ଇଣ୍ଡିଆ ସମେତ ବିଭିନ୍ନ ଘରୋଇ ବିମାନ କମ୍ପାନି ସହ ବି ଆଲୋଚନା କରିବା ଦରକାର। କାରଣ ଏୟାର ଇଣ୍ଡିଆ ମନଇଚ୍ଛା ବିମାନ ସେବା ବନ୍ଦ କରିଦେଉଥିବାରୁ ରାଜ୍ୟ ସରକାର କିଛି ବି ପଦକ୍ଷେପ ନେଇପାରୁନାହାନ୍ତି କି ଚାପ ପକାଇ ପାରୁନାହାନ୍ତି। ଦୁଇବର୍ଷ ତଳେ ଏୟାର ଏସିଆ ଭୁବନେଶ୍ବରରୁ ବ୍ୟାଙ୍କକ୍କୁ ବିମାନ ସେବା ଆରମ୍ଭ କରିବାକୁ ସମସ୍ତ ପ୍ରକାରର ଆଲୋଚନା ଶେଷ ହୋଇଥିବାବେଳେ ଏୟାର ଇଣ୍ଡିଆ ହଠାତ୍ ଏହି ରୁଟ୍ରେ ବିମାନ ସେବା ଆରମ୍ଭ କଲା। ଫଳରେ ଏୟାର ଏସିଆ ତା’ର ଯୋଜନା ବାତିଲ୍ କରିଦେଲା। କିନ୍ତୁ ଏୟାର ଇଣ୍ଡିଆ କିଛି ମାସ ବିମାନ ଚଳାଇବା ପରେ ହଠାତ୍ ଭୁବନେଶ୍ବର ବ୍ୟାଙ୍କକ୍ ରୁଟ୍ରେ ବିମାନ ସେବା ବନ୍ଦ କରିଦେଲା। ଏନେଇ ଓଡ଼ିଶାର ଯାତ୍ରୀମାନେ ବହୁ ହଇରାଣ ହୋଇଥିଲେ ହେଁ ରାଜ୍ୟ ସରକାର କିଛି ବି ପଦକ୍ଷେପ ନେଇପାରିଲେନି। ଏହି ରୁଟ୍ରେ ଏବେ ଏୟାର ଏସିଆ ବିମାନ ଚାଲୁଛି। ସେହିପରି ଇଣ୍ଡିଗୋ କର୍ତ୍ତୃପକ୍ଷ ଭୁବନେଶ୍ବରରୁ ଦୁବାଇ ବିମାନ ଚଳାଇବାକୁ ଆଗ୍ରହୀ ଅଛନ୍ତିି। ଦୁବାଇର କେତୋଟି ବିମାନ ସଂସ୍ଥା ବି ଆଗ୍ରହୀ ଅଛନ୍ତି। ତେଣୁ ସେମାନଙ୍କ ସହ ରାଜ୍ୟ ସରକାର ସିଧାସଳଖ ଆଲୋଚନା କଲେ ଅଧିକ ସୁଫଳ ମିଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Naveens-Letter-to-Centre-Regarding-Direct-Flight-Communication-for-Bhubaneswar-Dubai_Thumbnail-750x430-1.jpg)