ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ : ଇଚ୍ଛା ଡ୍ୟାମ୍‌ର ନିର୍ମାଣ ତୁରନ୍ତ ସାରିବାକୁ ପଦକ୍ଷେପ ନିଆଯାଉ

ଭୁବନେଶ୍ୱର : ଝାଡ଼ଖଣ୍ଡ ଓ ଓଡ଼ିଶା ଦ୍ବାରା ଯୁଗ୍ମ ଭାବେ ନିର୍ମାଣ କରାଯାଉଥିବା ଇଚ୍ଛା ଡ୍ୟାମ୍‌ର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିଠିରେ ସେ ଦର୍ଶାଇଛନ୍ତି ଯେ ୧୯୭୮ ମସିହାରେ ବିହାର(ବର୍ତ୍ତମାନର ଝାଡ଼ଖଣ୍ଡ), ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ଚୁକ୍ତି ଅନୁଯାୟୀ ସୁବର୍ଣ୍ଣରେଖା-ଖରଖାଇ ଅବବାହିକାର ଜଳସମ୍ପଦର ଠିକ୍ ବ୍ୟବହାର ନିମନ୍ତେ ସୁବର୍ଣ୍ଣରେଖା ବହୁମୁଖୀ ପ୍ରକଳ୍ପ ହାତକୁ ନିଆଯାଇଥିଲା। ଓଡ଼ିଶା ଓ ଝାଡ଼ଖଣ୍ଡ ଯୁଗ୍ମ ଭାବେ ଚାରିଟି ପ୍ରକଳ୍ପ ହାତକୁ ନେଇଛନ୍ତି। ତାହା ମଧ୍ୟରୁ ତିନିଟି ପ୍ରକଳ୍ପର କାମ ଶେଷ ହୋଇଛି। ବର୍ତ୍ତମାନ ଖରଖାଇ ନଦୀ ଉପରେ ଇଚ୍ଛା ଡ୍ୟାମ୍‌ର କାମ ଚାଲିଛି। ଏଥିରେ ଓଡ଼ିଶାର ଅଂଶ ୨୬.୪୬% ରହିଛି।

ଝାଡ଼ଖଣ୍ଡ ସରକାରଙ୍କ ଦ୍ବାରା ଇଚ୍ଛା ଡ୍ୟାମ୍ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ହିଁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ତାହାର ପୂର୍ଣ୍ଣ ଜଳସେଚନ କ୍ଷମତା ବ୍ୟବହାର କରିବାକୁ ସକ୍ଷମ ହେବ। ଝାଡ଼ଖଣ୍ଡ ସରକାର ନିକଟରେ ଇଚ୍ଛା ଡ୍ୟାମ୍‌ର ନିର୍ମାଣ କାମ ହାତକୁ ନେଇଛନ୍ତି। ଓଡ଼ିଶା ସରକାର ଇଚ୍ଛା ଡ୍ୟାମ୍‌ର ନିର୍ମାଣରେ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ଓ ଓଡ଼ିଶା ଭାଗରେ ପଡ଼ୁଥିବା ଅର୍ଥ ମଧ୍ୟ ଠିକ୍ ସମୟରେ ଦେଉଛନ୍ତି। ୨୦୧୬ରେ ହୋଇଥିବା ଆକଳନ ଅନୁଯାୟୀ ଏହି ପ୍ରକଳ୍ପ ପାଇଁ ଓଡ଼ିଶା ସରକାର ତାଙ୍କ ଅଂଶ ବାବଦକୁ ୧୨୦୮ କୋଟି ଟଙ୍କା ଦେବେ। ବର୍ତ୍ତମାନ ସୁଦ୍ଧା ଝାଡ଼ଖଣ୍ଡ ସରକାରଙ୍କୁ ୧୦୨୬.୯୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଇଚ୍ଛା ଡ୍ୟାମ୍‌ ପାଇଁ ଓଡ଼ିଶାରେ ୩୬ଟି ଗ୍ରାମ ପ୍ରଭାବିତ ହେଉଛନ୍ତି। ସେହି ଅନୁଯାୟୀ ଓଡ଼ିଶାରେ ଜମି ଅଧିଗ୍ରହଣ ଓ ଥଇଥାନ କାର୍ଯ୍ୟ ଆରମ୍ଭ ହୋଇଛି। ଆବଶ୍ୟକ ଥିବା ୫୨୮୩ ଏକର ଜମି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫୧୯୬ ଏକର ଜମି(୯୮%) ଅଧିଗ୍ରହଣ ସରିଛି। ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେଉଥିବା ୧୩୬୯ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୧୨୬୮ ଜଣଙ୍କୁ ଅର୍ଥାତ ୯୩% ଲୋକଙ୍କୁ ଥଇଥାନ ସହାୟତା ପ୍ରଦାନ କରାସରିଲାଣି।

ଆହୁରି ମଧ୍ୟ ସୁବର୍ଣ୍ଣରେଖା ନଦୀରେ ଚାନ୍ଦିଲ୍‌ ଡ୍ୟାମ୍‌ ବହୁ ଦିନରୁ ନିର୍ମାଣ ସରିଲାଣି। କିନ୍ତୁ କିଛି ବିସ୍ଥାପନ ଓ ଥଇଥାନ ପ୍ରସଙ୍ଗ ସମାଧାନ ହୋଇ ନ ଥିବାରୁ ଜଳଭଣ୍ଡାରର କ୍ଷମତା ୧୯୨ ଏମ୍‌ ଥିଲେ ମଧ୍ୟ ମୌସୁମୀ ସମୟରେ ୧୮୧.୫୦ ଏମ୍‌ ପର୍ଯ୍ୟନ୍ତ ଜଳ ସଂରକ୍ଷିତ ରଖାଯାଉଛି। ଯେହେତୁ ମୌସୁମୀ ସମୟରେ ଡ୍ୟାମ୍‌ର ପୂର୍ଣ୍ଣ କ୍ଷମତାକୁ ବ୍ୟବହାର କରାଯାଉ ନାହିଁ, ତେଣୁ ଓଡ଼ିଶା ବନ୍ୟା ସମସ୍ୟା ସାମ୍ନା କରୁଛି ବୋଲି ଶ୍ରୀ ପଟ୍ଟନାୟକ ଅବଗତ କରାଇଛନ୍ତି। ଉଭୟ ଝାଡ଼ଖଣ୍ଡ ଓ ବିହାରର ଚାଷୀମାନଙ୍କୁ ଫାଇଦା ପାଇଁ ତୁରନ୍ତ ଇଚ୍ଛା ଡ୍ୟାମ୍‌ର ନିର୍ମାଣ ଶେଷ କରିବାକୁ ଆବଶ୍ୟକ ସହଯୋଗ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ସେହିପରି ମୌସୁମୀ ସମୟରେ ଚାନ୍ଦିଲ୍‌ ଡ୍ୟାମ୍‌ରେ ପୂର୍ଣ୍ଣ କ୍ଷମତାରେ ଜଳ ସଂରକ୍ଷିତ ରଖିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ଖରିଫ୍‌ ଋତୁରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପକୁ ଜଳ ଯୋଗାଇଦେବାରେ ଓଡ଼ିଶାକୁ ସହଯୋଗ କରିଥିବାରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର