ତ୍ୟାଗ, ସଂଯମ ଓ ଶୃଙ୍ଖଳା ତିନିଟି ଅସ୍ତ୍ର
ଶୃଙ୍ଖଳା କଣ; ବିଶ୍ବକୁ ପୁରୀ ବାଟ ଦେଖାଇଲା
ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ଭୁବନେଶ୍ବର : କୋଭିଡ୍ ଗାଇଡଲାଇନ୍ ମାନି କିପରି କାମ କରିବାକୁ ହେବ ସେଥିପାଇଁ ପୁରୀ ପ୍ରେରଣା ଦେଇଛି। ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଛନ୍ତି। ତେଣୁ କୋଭିଡ୍ ଯୁଦ୍ଧ ଜିତିବାକୁ ହେଲେ ଆମକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମାର୍ଗ ଆପଣେଇବାକୁ ହେବ। ଏ ତିନିଟି ଅସ୍ତ୍ର ହିଁ କୋଭିଡ୍ ଯୁଦ୍ଧରେ ବିଜୟ ଆଣିଦେବ।
ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ଏକ ଭିଡ଼ିଓବାର୍ତା ଜାରି କରି ନବୀନ କହିଛନ୍ତି, କୋଭିଡ ଗାଇଡଲାଇନକୁ କଡାକଡି ଭାବରେ ପାଳନ କରାଯିବା ଦରକାର। ଅତି ଦରକାର ନହେଲେ ବାହାରକୁ ଯିବା ଉଚିତ୍ ନୁହେଁ। ବାହାରେ, ଅଫିସରେ, କର୍ମକ୍ଷେତ୍ରରେ ସବୁବେଳେ ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ରକ୍ଷା କରିବାର ଆବଶ୍ୟକତା ରହିଛି। ସେହିପରି ବାରମ୍ବାର ସାବୁନରେ ଭଲଭାବରେ ହାତ ଧୋଇବା ସହ ଗହଳି କରନ୍ତୁ ନାହିଁ କିମ୍ବା ଗହଳିକୁ ଯାଆନ୍ତୁ ନାହିଁ ବୋଲି ନବୀନ କହିଛନ୍ତି।
ବୟସ୍କ ଲୋକ ଓ ଶିଶୁମାନଙ୍କର ବିଶେଷ ଯତ୍ନ ନେବା ଲାଗି ପରାମର୍ଶ ଦେବା ସହିତ ନବୀନ ଯୁବ ସମାଜକୁ ବିଶେଷ ଅନୁରୋଧ କରି କହିଛନ୍ତି, ସେମାନେ ହିଁ କୋଭିଡ୍ ନିୟମକୁ ଠିକ ଭାବରେ ପାଳନ କରିବା ଦରକାର। ଅନ୍ୟଥା ସେମାନେ ଆପଣ ସଂକ୍ରମିତ ହେଲେ ବାପା, ମାଆ, ପରିବାର, ପିଲାମାନଙ୍କ ପ୍ରତି ସଂକ୍ରମଣ ଆଶଙ୍କା ବଢିବ। ତେଣୁ କେବେବି ହେଳା କରନ୍ତୁ ନାହିଁ, ବରଂ ସତର୍କ ରୁହନ୍ତୁ।
ଚଳିତ ବର୍ଷର ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ରଚିଛି ବୋଲି ଉଲ୍ଲେ୍ଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରାର ସମସ୍ତ ନୀତି ସୁରୁଖୁରୁରେ ଶେଷ ହୋଇଛି। ଏଥିପାଇଁ ସେବାୟତ, ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ, ପୁଲିସ, ସ୍ବାସ୍ଥ୍ୟ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହିତ ରାଜ୍ୟ ସରକାରଙ୍କର ସବୁ ବିଭାଗ, ପୁରୀର ଜନସାଧାରଣ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀ ଧନ୍ୟବାଦର ପାତ୍ର। ‘‘ ରଥଯାତ୍ରା ପୂର୍ବ ଦିନ ମୁଁ କହିଥିଲି ଯେ ସାରା ବିଶ୍ବ ଆମ ଉପରେ ନଜର ରଖିଛି। ଆମେ କୋଭିଡ ସମୟରେ କିପରି ମହାପ୍ରଭୁଙ୍କ ଯାତ୍ରା, ନିୟମ ମାନି କରୁଛୁ ତା ଉପରେ ସାରା ବିଶ୍ବ ନଜର ରଖିଥିଲା। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ସଫଳ ହୋଇଛୁ। ଶୃଙ୍ଖଳାର ସହ କାମ କରି ସାରା ବିଶ୍ବ ପାଇଁ ଉଦାହରଣ ସୃଷ୍ଟି କରିଛୁ। ମହାପ୍ରଭୁ ୪ ଦିନ ବଡ ଦାଣ୍ଡରେ ରହିଲେ। କିନ୍ତୁ ପୁରୀର ଜନସାଧାରଣ କୋଭିଡ ଗାଇଡଲାଇନ ମାନି, କେହି ଜଣେ ବି ରାସ୍ତାକୁ ଆସିନଥିଲେ। ସମସ୍ତେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ଯାତ୍ରା ଦେଖିଲେ। ପୁରୀବାସୀଙ୍କ ଏହି ଶୃଙ୍ଖଳା ଓ ସଂଯମର ତୁଳନା ନାହିଁ। ସେମାନଙ୍କ ତ୍ୟାଗର ତୁଳନା ନାହିଁ। ତ୍ୟାଗ ହିଁ ସର୍ବଶ୍ରେଷ୍ଠ ଭକ୍ତି। ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଅଧିକ ନିବିଡ କରିଥାଏ। ପୁରୀ ଆଜି ସାରା ଦୁନିଆକୁ ବାଟ ଦେଖାଇଛି।’’
କୋଭିଡ଼୍ ସଂପର୍କରେ ନବୀନ କହିଛନ୍ତି, ଆପଣମାନେ ଜାଣନ୍ତି ବର୍ତ୍ତମାନ ସାରା ଦେଶ ଅନଲକ ହେବା ଆରମ୍ଭ କରିଛି। ଆଉ ବିଶେଷ କିଛି କଟକଣା ନାହିଁ। ସାରା ବିଶ୍ବରେ କୋଭିଡ ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଲାଣି। ଭାରତରେ ସଂକ୍ରମଣ ପ୍ରତି ୪ ଦିନରେ ଲକ୍ଷେ ବଢୁଛି। ଓଡ଼ିଶାରେ ମଧ୍ୟ ସଂକ୍ରମଣ ବଢୁଛି। କୋଭିଡ୍ ପାଇଁ ଟିକା ବା ଔଷଧ ନ ବାହାରିବା ପର୍ଯ୍ୟନ୍ତ ଜୀବନ କେବେ ବି ପୂର୍ବପରି ସ୍ବାଭାବିକ ହେବ ନାହିଁ। ତେଣୁ ସମସ୍ତଙ୍କ ମଙ୍ଗଳ ପାଇଁ ଆମକୁ ତ୍ୟାଗ କରିବାକୁ ହେବ ବୋଲି ନବୀନ ସତର୍କ କରାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/CM-Naveen-Patnaik-1.jpg)