ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ

ଲାଞ୍ଜିଗଡରୁ ଜୟପୁର ଆସିଲା ହେଲିକପ୍ଟର

ଜୟପୁର : ରାୟଗଡ଼ା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଜୟପୁର ଏୟାରଷ୍ଟ୍ରିପରେ ଜରୁରୀ ଅବତରଣ କରିବାକୁ ପଡ଼ିଛି। ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆସିଥିବା ବିମାନ ଲାଞ୍ଜିଗଡ଼ରେ ଅବତରଣ କରିବାର ଥିଲା। କିନ୍ତୁ ପାଗ ଖରାପ ଯୋଗୁଁ ଶେଷ ମୁହୂର୍ତରେ ବିମାନର ଦିଗ ବଦଳାଇବାକୁ ପଡ଼ିଥିଲା। ଏଥିପାଇଁ ପ୍ରାୟ ଘଣ୍ଟାଏ ବିଳମ୍ବରେ ମୁଖ୍ୟମନ୍ତ୍ରୀ ରାୟଗଡ଼ା ଅଭିମୁଖେ ଯାତ୍ରା କରିଥିଲେ।

ରାୟଗଡ଼ା ଜିଲ୍ଲାରେ ୧୨୫୦କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ସାଙ୍ଗକୁ ଶିଳାନ୍ୟାସ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ନିର୍ଧାରିତ ସମୟରେ ସ୍ବତନ୍ତ୍ର ବିମାନ ‌ଯୋଗେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ପହଞ୍ଚିବାର ଥିଲା। ସେଠାରୁ ପୁଣି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ରାୟଗଡ଼ା ଯାଇ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। କିନ୍ତୁ ଲାଞ୍ଜଗଡ଼ ପହଞ୍ଚିବା ପୂର୍ବରୁ ପ୍ରତିକୂଳ ପାଗ ମୁଖ୍ୟମନ୍ତ୍ରୀଙ୍କ ବିମାନର ଦିଗ ବଦଳାଇବାକୁ ବାଧ୍ୟ କରିଥିଲା। ନିକଟସ୍ଥ ଏୟା‌ର ଷ୍ଟ୍ରିପ୍ ଭାବେ ଜୟପୁର ଠାରେ ବିମାନ ଜରୁରୀ ଅବତରଣ କରିଥିଲା। ସେହିପରି ଲାଞ୍ଜିଗଡ଼ରୁ ହେଲିକପ୍ଟର ଜୟପୁର ପହଞ୍ଚିବା ପରେ ଏଠାରୁ ରାୟଗଡ଼ା ଯାଇଥିଲେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାୟ ଘଣ୍ଟାଏ କାଳ ଜୟପୁର ଏୟାରଷ୍ଟ୍ରିପ୍ ଅତିଥି ପ୍ରତୀକ୍ଷାଳୟରେ ଅପେକ୍ଷା କରିବାକୁ ପଡ଼ିଥିଲା। ଏହି ସମୟ ମଧ୍ୟରେ ମଧ୍ୟାହ୍ନ ଭୋଜନ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଅଳ୍ପ ସମୟ ପାଇଁ ବିଶ୍ରାମ ନେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ବିମାନ ଜରୁରୀ ଅବତରଣ ନେଇ ସୂଚନା ପାଇ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଉପଜିଲ୍ଲାପାଳ ଲୋକନାଥ ଦଳବେହେରା, ଏସପି ଡ.କନୱର ବିଶାଲ ସିଂହ ଓ ଏସଡିପିଓ ସାଗରିକା ନାଥଙ୍କ ସହ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ପ୍ରମୁଖ ଜୟପୁର ଏୟାରଷ୍ଟ୍ରିପରେ ସ୍ବାଗତ ଜଣାଇଥିଲେ। ରାୟଗଡ଼ା ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ପୁଣି ଜୟପୁର ଫେରିଥିଲେ। ଅପରାହ୍ନ ପ୍ରାୟ ୪ଟା ୪୦ରେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି। ଅପରପକ୍ଷରେ ଜରୁରୀ ଅବତରଣ ପାଇଁ ଜୟପୁର ଠାରେ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ସମ୍ବନ୍ଧିତ ଖବର