ଓଡ଼ିଆ ଭାଷା ଓ ଅସ୍ମିତାକୁ ନେଇ ମୁଖ୍ୟମନ୍ତ୍ରୀ ନେଇଛନ୍ତି ୪ ଐତିହାସିକ ନିଷ୍ପତ୍ତି

୯ଟି ରାଜ୍ୟରେ ଅଛି ରାଜ୍ୟ ସଙ୍ଗୀତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୦ ବର୍ଷର ଶାସନ ସ‌ମୟରେ ଓଡ଼ିଆ ଭାଷା ଓ ଅସ୍ମିତାକୁ ନେଇ ଚାରିଟି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ‘ଓଡ଼ିଶା’କୁ ଇଂରାଜୀରେ ‘ORISSA’ ଏବଂ ଓଡ଼ିଆକୁ ଇଂରାଜୀରେ ‘ORIYA’ ବୋଲି ଲେଖାଯାଉଥିଲା। ରାଜ୍ୟ ସରକାରଙ୍କ ପ୍ରସ୍ତାବ ଓ କ୍ରମାଗତ ଉଦ୍ୟମ ପ‌େର ଇଂରାଜୀରେ ବନାନ ସଂଶୋଧନ କରାଯାଇ ‘ODISHA’ ଓ ‘ODIA’ କରାଗଲା। କେନ୍ଦ୍ର ସରକାର ଏ ନେଇ ବିଜ୍ଞପ୍ତି ଜାରି କଲେ। ସେହିପରି ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ସରକାରଙ୍କ ଆଉ ଏକ ସଫଳ ପଦକ୍ଷେପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ନିଷ୍ପତ୍ତି ଗ୍ରହଣ କରି ଭାଷାର ବହୁଳ ପ୍ରଚାର, ପ୍ରସାର ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ଆଜି ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେଇ ସରକାର ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି।

୯ଟି ରାଜ୍ୟରେ ଅଛି ରାଜ୍ୟ ସଙ୍ଗୀତ
ଦେଶରେ ବିଭିନ୍ନ ରାଜ୍ୟର ରାଜ୍ୟ ସଙ୍ଗୀତ ରହିଛି। ୨୦୧୫ରେ ଓଡ଼ିଶାର ସଂସ୍କୃତି ବିଭାଗ ପକ୍ଷରୁ ଗଠିତ କମିଟି ଯେଉଁ ରିପୋର୍ଟ ପ୍ରସ୍ତୁତ କରିଥିଲା, ସେଥିରେ ୯ଟି ରାଜ୍ୟର ରାଜ୍ୟ ସଙ୍ଗୀତ ଅଛି ବୋଲି ଦର୍ଶାଯାଇଥିଲା। ସେହି ରାଜ୍ୟଗୁଡ଼ିକ ହେଲେ ଆସାମ, ଆନ୍ଧ୍ରପ୍ରଦେଶ, ବିହାର, ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ ତେଲେଙ୍ଗାନା। ଏହିସବୁ ରାଜ୍ୟଗୁଡ଼ିକ ଯେଉଁ ପ୍ରକ୍ରିୟାରେ ଯାଇ ରାଜ୍ୟ ସଙ୍ଗୀତ ମାନ୍ୟତା ଦେଇଛନ୍ତି, ସେହି ପ୍ରକ୍ରିୟାରେ ଓଡ଼ିଶାରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ କମିଟି ସୁପାରିସ୍ କରିଥିଲା।

ସମ୍ବନ୍ଧିତ ଖବର