କୋଭିଡ୍ ଟିକା ପ୍ରସ୍ତୁତି ନେଇ ସେରମ୍ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ; ଓଡ଼ିଶାରେ ଟିକାକରଣ ନେଇ ଲୋଡିଲେ ସହଯୋଗ

ଭୁବନେଶ୍ୱର: କରୋନା ଟିକା ପ୍ରସ୍ତୁତିର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲାଙ୍କ ସହ ଭିଡିଓ କଲ ଜରିଆରେ କଥା ହୋଇଛନ୍ତି । ଅକ୍ସଫୋର୍ଡ ବିଶ୍ୱବିଶ୍ୱାଳୟ ସହ ମିଳିତ ଉଦ୍ୟମରେ ସେରମ ଇନଷ୍ଟିଚ୍ୟୁଟ କୋଭିଡ ଟିକା ପାଇଁ ଉଦ୍ୟମ ଜାରି ରଖିଥିବାରୁ ମୁଖ୍ୟମନ୍ତ୍ରୀ ଏ ନେଇ ଖୁସି ପ୍ରକାଶ କରିଛନ୍ତି । ଆବଶ୍ୟକ ଅନୁମତି ମିଳିବା ପରେ ଓଡିଶାରେ ଟିକାକରଣ କାମରେ ପୁନାୱାଲା ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ଜଣାପଡିଛି ।

ଏ ନେଇ ରାଜ୍ୟ ସରକାର ସେରମ ଇନଷ୍ଟିଚ୍ୟୁଟ ସହ ଯୋଗାଯୋଗରେ ରହିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଭିଡିଓ କଲ ସମୟରେ କରୋନା ମୁକାବିଲା ପାଇଁ ଓଡିଶା ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା । ସେ କହିଥିଲେ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଟିକାର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ସକାରାତ୍ମକ ଫଳାଫଳ ଦେଉଛି । ଭାରତରେ ଅଗଷ୍ଟରେ ଏହାର ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବ । ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଟିକା ପ୍ରସ୍ତୁତ ହେବା ସମ୍ଭାବନା ରହିଛି ।

ତେବେ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଦେଶର ଅନ୍ୟ ରାଜ୍ୟ ତୁଳନାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା କମ ଥିବା କଥା କହିବା ସହ ଭବିଷ୍ୟତରେ ଆବଶ୍ୟକ ଅନୁମତି ମିଳିବା ପରେ ଓଡିଶାରେ ଟିକାକରଣ କାମରେ ପୁନାୱାଲାଙ୍କୁ ସହଯୋଗ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ | ପୁନାୱାଲା ମଧ୍ୟ ସହଯୋଗ କରିବା ପାଇଁ ହଁ ଭରିବା ସହ ଓଡିଶା ଆସି ବ୍ୟକ୍ତିଗତ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି କହିଥିବା ଜଣାପଡିଛି |

ସମ୍ବନ୍ଧିତ ଖବର