କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ଥିବା ଡିସପେନସେରିରେ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ସେ ଆଜି ସକାଳ ୧୦ଟା ୪୫ ମିନିଟ ସମୟରେ ନବୀନ ନିବାସରୁ ବାହାରି ବିଧାନସଭା ପରିସରରେ ଥିବା ଡିସପେନସେରିରେ ପହଞ୍ଚିଥିଲେ। ସେଠାରେ ସେ ଦିନ ୧୧ଟା ବେଳେ ପ୍ରଥମେ କରୋନା ଟିକା ନେଇଥିଲେ। କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ସ୍ମରଣିକା ରଣସିଂହ ମୁଖ୍ୟମନ୍ତ୍ରୀଙ୍କୁ ଟିକା ଦେଇଥିଲେ। ଟିକା ନେବା ପରେ ତାଙ୍କୁ ଏକାଧିକ ବାର  ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ।  ଏହାପରେ ରାଜ୍ୟ ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ବିଧାୟକ ଜିତୁ ମିତ୍ର ଓ ବିଧାୟକ ଭୁପିନ୍ଦର ସିଂ ପ୍ରମୁଖ ସ୍ମରଣୀକା ରଣସିଂହଙ୍କଠାରୁ ଟିକା ନେଇଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟିକା ଦେବା ପରେ ପ୍ରତିକ୍ରିୟା ରଖି ନର୍ସ ସ୍ମରଣିକା କହିଛନ୍ତି,ଆଜି ମୋ ପାଇଁ ବହୁତ୍ ଗର୍ବର ଦିନ।

ଟିକା ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ଲେଖିଛନ୍ତି, ‘ ମୁଁ ଖୁସି ଯେ ମୁଁ ଆଜି କୋଭିଡ-୧୯ ଟିକାର ପ୍ରଥମ ଡୋଜ୍‌ ନେଲି।’ ଲୋକଙ୍କ ପାଖରେ ଟିକା ପହଞ୍ଚାଇବା ପାଇଁ କାମ କରୁଥିବା ବୈଜ୍ଞାନିକ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିକଟରେ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହାଛଡ଼ା ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ କରୋନା ଟିକା ନେବାକୁ ବି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ନେବା ପରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା ହେତୁ ଟିକାକୁ ନେଇ ଲୋକଙ୍କ ମନରେ ଯେଉଁ ଆଶଙ୍କା ରହିଥିଲା, ତାହା ନିଶ୍ଚିତ ଭାବରେ ଦୂର ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର