ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ତାଙ୍କର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବରୋଧରେ ଶୂନ୍ୟ ସହିଷ୍ଣୁତା ନିତିକୁ ଆହୁରି କଡ଼ାକଡ଼ି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ନୀତି ଅନୁଯାୟୀ ରାଜ୍ୟ ସରକାର ଆଜି ୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଥିବା ସହିତ ୪ ଜଣ ପୂର୍ବତନ ଅଧିକାରୀଙ୍କ ପେନ୍ସନ୍ ସୁବିଧା ସଂପୂର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି। ଏହି ସବୁ ଅଧିକାରୀମାନେ ଭିଜିଲାନ୍ସ କୋର୍ଟ ଦ୍ୱାର ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ବାଣିଜ୍ୟ ଓ ପରିବହନ ବିଭାଗର ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିନସ୍ଥ କୁଆଁରମୁଣ୍ଡା ତହସିଲର ଜୁନିଅର କ୍ଲର୍କ ସଂଜିତ କୁମାର ରାୟ। ସେ ପୂର୍ବରୁ ରାଉରକେଲା ଆରଟିଓ ଅଫିସ୍ରେ ଜୁନିଅର କ୍ଲର୍କ ଥିଲେ। ବାରିପଦା ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନ। ସେ ଜଳ ସଂପଦ ବିଭାଗର କର୍ମଚାରୀ ଓ ବର୍ତ୍ତମାନ କୋରାପୁଟ ଜିଲ୍ଲାର ଜୟପୁର ଆଇଟିଡିଏରେ କାର୍ଯ୍ୟରତ ଥିଲେ। ମତ୍ସ୍ୟ ଓ ପଶୁସଂପଦ ବିଭାଗର ପଶୁ ଡାକ୍ତର ଭାଗିରଥୀ ବିଶ୍ୱାଳ। ସେ ସମ୍ବଲପୁର ଜିଲ୍ଲାର ନାକଟିଦେଉଳରେ କାର୍ଯ୍ୟରତ ଥିଲେ। ପଂଚାୟତରାଜ ଓ ପାନୀୟ ଜଳ ବିଭାଗର ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ କାର୍ଯ୍ୟରତ ଜୁନିଅର ଇଞ୍ଜିନିୟର ବସନ୍ତ କୁମାର ପାତ୍ର। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିନସ୍ଥ କୁତ୍ରା ବ୍ଲକରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତ୍ରିଲୋଚନ ସେଠ ଏବଂ ବଣାଇଗଡ଼ ବ୍ଲକର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଷ୍ଟମ ଚନ୍ଦ୍ର ପଟେଲ।
ସେହିପରି ପେନ୍ସନ୍ ସୁବିଧା ବନ୍ଦ ହୋଇଥିବା ୪ ଜଣ ଅଧିକାରୀ ହେଲେ- ଜଳ ସଂପଦର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୌତମ ଚନ୍ଦ୍ର ପୃଷ୍ଟି, ଓସିସି ପୂର୍ବତନ ମହାପ୍ରବନ୍ଧକ ବିକ୍ରମ କେଶରୀ ପଟ୍ଟନାୟକ, କଟକ ଡ୍ରେନେଜ ଚିଫ ଇଞ୍ଜିନିୟର ପୂର୍ବତନ ଏଷ୍ଟାବ୍ଲସମେଣ୍ଟ ଅଫିସର ରବୀନ୍ଦ୍ର କୁମାର ଜେନା ଓ ବାରିପଦା ଆଇଟିଡିଏର ପୂର୍ବତନ ଜୁନିଅର ଇଞ୍ଜିନିୟର ରବି ନାରାୟଣ ମହାନ୍ତି।
ସୂଚନାଯୋଗ୍ୟ ଯେ, ଚଳିତ ମାସ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଚାକିରୀରୁ ବରଖାସ୍ତ କରିବା ସହିତ ୨ ଜଣ ପୂର୍ବତନ ଅଧିକାରୀଙ୍କ ପେନ୍ସନ ସୁବିଧା ସଂପୂର୍ଣ୍ଣ ରୂପେ ବନ୍ଦ କରିଥିଲେ। ବର୍ତ୍ତମାନ ସୁଦ୍ଧା ଚଳିତ ଅଗଷ୍ଟ ମାସରେ ୨୧ ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବରଖାସ୍ତ କରିବା ସହିତ ୬ ଜଣ ଅଧିକାରୀଙ୍କ ପେନ୍ସନ୍ ସୁବିଧା ବନ୍ଦ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/naveenpatnaik5.jpg)