ମୁଖ୍ୟମନ୍ତ୍ରୀ କହିଲେ ମନର କଥା, ଘୋଷଣା କଲେ ‘ମୋ ସ୍କୁଲ ଅଭିଯାନ’ ଓ ‘ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି ଯୋଜନା’

ରାଜ୍ୟସ୍ତରୀୟ ଶିଶୁ ଦିବସ ପାଳିତ

ଭୁବନେଶ୍ୱର: ଦୀର୍ଘ ୧୭ ବର୍ଷ ହେବ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁ ଦିବସ ଅବସରରେ ପିଲାମାନଙ୍କ ଆଗରେ ତାଙ୍କ ମନର କଥା କହିଛନ୍ତି। କ୍ୟାପିଟାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଉଧ୍‌ବୋଧନ ଦେଇ କହିଥିଲେ ଯେ ଭାଷା ହେଉଛି ଆମ ଗୌରବ। ଓଡ଼ିଆ ଭାଷା ପ୍ରତି ଆଦର ବୃଦ୍ଧି ଆମର ଲକ୍ଷ୍ୟ। ତେଣୁ ଯେଉଁ ପିଲା ୧୦ ଶ୍ରେଣୀ ପରୀକ୍ଷାରେ (ବ୍ଲକ୍‌ ସ୍ତରରେ) ଓଡ଼ିଆରେ ସବୁଠାରୁ ଅଧିକ ନମ୍ବର ରଖିଥିବେ,ତାଙ୍କୁ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ସେହିପରି ସେହି ବିଦ୍ୟାଳୟର ଶିକ୍ଷକ ଓ ସମ୍ପକ୍ତ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ଚଳିତ ବର୍ଷ ଠାରୁ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ୧ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଘୋଷଣା କରିବା ସହିତ ପିଲାମାନେ ସେମାନଙ୍କ ସ୍କୁଲରୁ ଯାହା ପାଇଛନ୍ତିି, ତାର ପ୍ରତିଦାନରେ ସ୍କୁଲକୁ କିଛି ଫେରାଇ ଦେବା ପାଇଁ ଆହ୍ଵାନ ଦେଇଛନ୍ତି। ସେହିପରି ୧୦ ଶ୍ରେଣୀ ପରୀକ୍ଷାର ୪ ହଜାର ଛାତ୍ରଛାତ୍ରୀଙ୍କୁ ଆଗାମୀ ବର୍ଷ ଠାରୁ ମୁଖ୍ୟମନ୍ତ୍ରୀ ମେଧା ବୃତ୍ତିି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଉତ୍କଳ ଗୌରବ ମଧୁସୁଦନ ଦାସ ଓଡ଼ିଆ ସ୍ୱାଭିମାନର ବାର୍ତ୍ତା ବାଣ୍ଟିଥିଲେ। ପିଲାଏ ତୁମେ ବିଜୁ ବାବୁଙ୍କ ସାହସ ସମ୍ପର୍କରେ ମଧ୍ୟ ଜାଣିଛ। ତୁମ ମାନଙ୍କ ମଧ୍ୟରେ ଭରପୂର ପ୍ରତିଭା ଅଛି। ଆବଶ୍ୟକ ହେଉଛି ତାର ବିକାଶ କରିବାର। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇ କହିଥିଲେ ଯେ ପିଲାଏ ତୁମମାନଙ୍କର ତିନୋଟି ଦାୟିତ୍ୱ ରହିଛି। ପ୍ରଥମ ଦାୟିତ୍ୱ ଭଲ ପାଠ ପଢ଼ିବା, ନିଜ ସ୍ୱପ୍ନକୁ ସାକାର କରିବା। ଦ୍ୱିତୀୟ ଦାୟିତ୍ୱ ହେଉଛିି ନିଜ ପିତାମାତାଙ୍କ ପ୍ରତି ଥିବା ଦାୟିତ୍ୱ ପ୍ରତି ଧ୍ୟାନ ଦେବା। ତୃତୀୟ ଦାୟିତ୍ୱ ହେଉଛି, ଯେଉଁ ସମାଜରେ ଆମେ ଜନ୍ମ ନେଇଛନ୍ତି ସେହି ସମାଜ, ସେହି ମାଟି ମାଆ ପାଇଁ କିଛି କାର୍ଯ୍ୟ କରିବା। ତେଣୁ ମୋ ରାଜ୍ୟର ପିଲାଏ ଭଲ ପଢ଼ନ୍ତୁ, ଦେଶରେ ମୋ ମାଟିର ଗୌରବ ବଢ଼ାନ୍ତୁ ଏହା ମୁଁ ଚାହେଁ। ପିଲାଏ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ସମ୍ପର୍କରେ ଜ୍ଞାନ ହାସଲ କରନ୍ତୁ, ସେମାନଙ୍କ ପ୍ରତିଭାର ବିକାଶ କରନ୍ତୁ।

ଏହି  କ୍ରମରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ କ୍ଷେତ୍ରରେ ବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ପିଲାଏ ବଡ଼ ବଡ଼ ସ୍ୱପ୍ନ ଦେଖ, ଆତ୍ମବିଶ୍ୱାସର ସହିତ ସେହି ସ୍ୱପ୍ନ ପୂରଣ ପାଇଁ ଆଗକୁ ବଢ଼ିଚାଲ ଓ ଓଡ଼ିଶା ସ୍ୱାଭିମାନର ରକ୍ଷା ପାଇଁ ସଙ୍କଳ୍ପ ନିଅ ବୋଲି ମଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥଲେ ଯେ ଓଡ଼ିଆ ଭାଷ ପ୍ରତି ଆଦର ବୃଦ୍ଧି ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ୧୦ମ ଶ୍ରେଣୀରେ ଓଡ଼ିଆରେ ଭଲ ନମ୍ବର ରଖୁଥିବା ଛାତ୍ରଛାତ୍ରୀଙ୍କୁ ୫ହଜାର ଟଙ୍କା ଲେଖାଏ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ସେହିପରି ବ୍ଲକ୍‌ ଓ ସହରାଞ୍ଚଳର ମୋଟ୍‌ ୪ ହଜାର ଛାତ୍ରଛାତୀଙ୍କୁ ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ମଧ୍ୟ ୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। କେବଳ ସେତିକି ନୁହେଁ, ରାଜ୍ୟସରକାର ସେହି ଛାତ୍ରଛାତ୍ରୀମାନଙ୍କ ସ୍କୁଲକୁ ମଧ୍ୟ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିବେ।

ଆମେ ଯେଉଁ ସ୍କୁଲରୁ ପାଠ ପଢ଼ିଛନ୍ତି, ସେହି ସ୍କୁଲ ପ୍ରତି ଆମର ମଧ୍ୟ କିଛି କର୍ତ୍ତବ୍ୟ ଅଛି। ତେଣୁ ସ୍ୱେଚ୍ଛାସେବୀ ଭାବେ ଆମେ ଆମ ସ୍କୁଲ ପାଇଁ ଦାନ କରିବା। ଯେଉଁ ସ୍କୁଲର ପୂରାତନ ଛାତ୍ରଛାତ୍ରୀ ଯେତିକି ଟଙ୍କା ବିଦ୍ୟାଳୟ ପାଇଁ ସଂଗ୍ରହ କରିବେ, ସମପରିମାଣର ଅର୍ଥ ରାଜ୍ୟ ସରକାର ସେହି ସ୍କୁଲର ବିକଶ ପାଇଁ ପ୍ରଦାନ କରିବେ। ଏହି ଅଭିଯାନକୁ ‘ମୋ ସ୍କୁଲ ଅଭିଯାନ’ ରୂପେ କାର୍ଯ୍ୟ କରାଯିବ। ଏଥିପାଇଁ ରାଜ୍ୟ ସରକାର ଏକ ଶହ କୋଟି ଟଙ୍କାର କର୍ପସ ଫଣ୍ଡ୍‌ ପ୍ରସ୍ତୁତ କରିଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଶେଷର ମୁଖ୍ୟମନ୍ତ୍ରୀ କହିଥିଲେ ପିଲାଏ ତୁମ ମାନଙ୍କ ଉପରେ ମୋର ଭରସା ଅଛି। ସଙ୍କଳ୍ପ ସହିତ ଆଗକୁ ବଢ଼ିଚାଲ, ମା ମାଟିର ଗୌରବ ବୃଦ୍ଧିି କର। ଏହି ଅବସରରେ ବିଦ୍ୟାଳୟ, ଭାଷା ଓ ଓଡ଼ିଶାର ବିକଶା ପାଇଁ ଛାତ୍ରଛାତ୍ରୀମାନେ ସଙ୍କଳ୍ପ ନେଇଥିଲେ।

ସମ୍ବନ୍ଧିତ ଖବର