ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କୁ ମିଳିବ ୨୨୨ କୋଟି ଟଙ୍କାର ବୋନସ୍‌

ଭୁବନେଶ୍ୱର: ବର୍ଷ ୨୦୧୮ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ କେନ୍ଦୁପତ୍ର ବ୍ୟବସାୟରେ ସଂପୃକ୍ତ ଥିବା ତୋଳାଳି, ବନ୍ଧେଇ ଓ ସାମୟିକ କର୍ମଚାରୀମାନଙ୍କୁ ବୋନସ୍‌ ଓ ପ୍ରୋତ୍ସାହନ ରାଶି ବାବଦରେ ୨୨୨ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ରାଜ୍ୟ ସଚିବାଳୟ ଠାରେ ମଙ୍ଗଳବାର କେନ୍ଦୁପତ୍ର ଉନ୍ନୟନ ବୋର୍ଡର ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ୮,୫୨,୦୦୦ କେନ୍ଦୁପତ୍ର ତୋଳାଳି, ୨୦,୬୫୦ ବନ୍ଧେଇ ଶ୍ରମିକ ଓ ୧୭,୬୮୦ ସାମୟିକ କର୍ମଚାରୀ ନିୟୋଜିତ ଅଛନ୍ତି। କେନ୍ଦୁପତ୍ର ବ୍ୟବସାୟ ଦ୍ୱାରା ଏମାନଙ୍କ ପାଇଁ ବର୍ଷକୁ ୧ କୋଟି କାର୍ଯ୍ୟ ଦିବସ ସୃଷ୍ଟି ହୋଇପାରୁଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ସାମୂହିକ ବିକାଶରେ କେନ୍ଦୁପତ୍ର ବ୍ୟବସାୟର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏଥିରେ ବିଶେଷକରି ଆଦିବାସୀ ଓ ଆର୍ଥିକ ଉନ୍ନତି ପାଇଁ ଏହା ବିଶେଷ ସହାୟକ ହୋଇପାରୁଛି। ରାଜ୍ୟ ସରକାର କେନ୍ଦୁପତ୍ରରୁ ପାଉଥିବା ଲାଭାଂଶ ସେମାନଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟରେ ବିନିଯୋଗ କରିବା ସହିତ କେନ୍ଦୁପତ୍ର ତୋଳାଳିମାନଙ୍କୁ ଅଂଶୀଦାର ଭାବେ ଗ୍ରହଣ କରୁଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦୁପତ୍ର ତୋଳାଳି, ଶ୍ରମିକ ଓ କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ତୋଳାଳୀମାନଙ୍କ କେରି ସଂଗ୍ରହ ପୋଷାକ, ତୋଳାଳିମାନଙ୍କୁ ଚପଲ, ଶ୍ରମିକମାନଙ୍କ ମଶାରୀ ଓ କମ୍ବଳ, ତୋଳାଳି ଓ କର୍ମଚାରୀଙ୍କ ଟୋପି, ତୋଳଳି ଓ ଶ୍ରମିକ ଓ କର୍ମଚାରୀମାନଙ୍କ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା ପାଇଁ ଅନୁକମ୍ପା ମୂଳକ ସହାୟତା, ତୋଳାଳି, ଶ୍ରମିକ ଓ କର୍ମଚାରୀମାନଙ୍କ ପିଲାଙ୍କ ପାଇଁ ଶିକ୍ଷାବୃତ୍ତି ଆଦି କଲ୍ୟାଣ କାର୍ଯ୍ୟକ୍ରମ ସେମାନଙ୍କ ସାମାଜିକ, ଅର୍ଥନୈତିକ ଅବସ୍ଥାର ଉନ୍ନତିରେ ସହାୟକ ହୋଇପାରିଛି।

ସମ୍ବନ୍ଧିତ ଖବର