ଡିସେମ୍ବର ୨ରେ ପଦ୍ମପୁରରେ ପ୍ରଚାର କରିବେ ନବୀନ, ଏହି ୩ଟି ସ୍ଥାନରେ ହେବ ନିର୍ବାଚନୀ ସଭା

ଭୁବନେଶ୍ବର/ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିବେ। ଏହି ଗୋଟିଏ ଦିନରେ ସେ ନିର୍ବାଚନମଣ୍ଡଳୀର ପାଇକମାଳ, ଝାରବନ୍ଧ ଏବଂ ପଦ୍ମପୁରଠାରେ ନିର୍ବାଚନୀ ସଭା କରିବେ। ଭୁବନେଶ୍ବରରୁ ହେଲିକପ୍ଟରରୁ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦ୍ମପୁର ପହଞ୍ଚିବା ପରେ ନିର୍ବାଚନୀ ସଭାଗୁଡ଼ିକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଡିସେମ୍ବର ୨ ତାରିଖ ପୂର୍ବାହ୍ନ ୧୦ଟାରେ ନବୀନ ନିବାସରୁ ବାହାରି ୧୦ଟା ୫ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ୧୦ଟା ୧୦ରେ ବାହାରି ୧୧ଟାରେ ବରଗଡ଼ ଜିଲ୍ଲା ପଦ୍ମପୁରସ୍ଥିତ ସତୀଭଟା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ। ଏହା ପରେ ସେ ଝାରବନ୍ଧ ଅଭିମୁଖେ ବାହାରିବେ। ଝାରବନ୍ଧର ଶକ୍ତି ଛକ ହେଲିପ୍ୟାଡରେ ପୂର୍ବାହ୍ନ ୧୧ଟା ୨୫ରେ ପହଞ୍ଚିଲା ପରେ ଜନସଭାକୁ ସମ୍ବୋଧିତ କରିବେ।

ଝାରବନ୍ଧରେ ସଭାକାର୍ଯ୍ୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୧୨ଟା ୧୦ରେ ବାହାରି ୧୨ଟା ୩୦ରେ ପାଇକମାଳ ଏମ୍‌ଇ ସ୍କୁଲ ପଡ଼ିଆରେ କରାଯାଇଥିବା ହେଲିପ୍ୟାଡରେ ଅବତୀର୍ଣ୍ଣ କରିବେ। ହାଇସ୍କୁଲ ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିବା ପରେ ଅପରାହ୍ନ ୧ଟା ୧୫ରେ ପଦ୍ମପୁର ଅଭିମୁଖେ ବାହାରିବେ।

ଡିସେମ୍ବର ୨ ତାରିଖରେ ନବୀନଙ୍କ ତୃତୀୟ ତଥା ଶେଷ ଜନସଭା ପାଇକମାଳରେ ଆୟୋଜନ କରାଯାଇଛି। ନବୀନ ପଦ୍ମପୁରରେ ସାଢ଼େ ୧ଟାରେ ପହଞ୍ଚିବେ। ଏଠାରୁ ସେ ଆରଏଲ କଲ୍ୟାଣ ମଣ୍ଡପ କ୍ୟାମ୍ପସ ହେଲିପ୍ୟାଡରେ ପହଞ୍ଚିବେ। ଏଠାରୁ ସେ ରୋଡରେ ଆରକେ କଲ୍ୟାଣ ମଣ୍ଡପ ଅଭିମୁଖେ ବାହାରିବେ ଏବଂ ସାଢ଼େ ୩ଟାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ୪ଟା ୨୫ରେ ସତୀଭଟା ଏୟାରଷ୍ଟ୍ରିପରେ ପହଞ୍ଚିଲା ପରେ ୪ଟା ୩୦ରେ ଭୁବନେଶ୍ବର ଅଭିମୁଖେ ବାହାରିବେ।

 

ସମ୍ବନ୍ଧିତ ଖବର